ପ୍ରେମିକା ସହ ସରିଥିଲା ରିଙ୍ଗ୍ ସେରିମନି, ପଡ଼ିଥାନ୍ତା ହାତଗଣ୍ଠି ; ଅନଲାଇନ୍ ଗେମ୍ ନେଇଗଲା କି ଜୀବନ ?

NEWS7
who-gave-jhanvi-car-worth-rs-4-crore

ନୟାଗଡ଼ ୫।୨: ପ୍ରେମିକା ସହ ସରିଥିଲା ରିଙ୍ଗ୍ ସେରିମନି । ଆଉ ଅଳ୍ପ ଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି । ଏହା ପୂର୍ବରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ । ନିଜ ବନ୍ଧୁକରୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ ରହିଛି ଆଉ କିଛି କାରଣ ? ଯଦି ଜୀବନ ହାରିଲେ, କାହିଁକି ଏମିତି ଚରଣ ନିଷ୍ପତ୍ତି ? ମୃତ୍ୟୁ ପୂର୍ବ ରାତିରେ ଭାବିପତ୍ନୀଙ୍କୁ କରିଥିଲେ ଶେଷ ମେସେଜ୍ । ନୟାଗଡ଼ ପୋଲିସ ବାରାକରେ କନେଷ୍ଟବଳ ସୁନୀଲ ସେଠୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଆଲୋଡ଼ନ ।

ଗୁରୁବାର ସକାଳୁ ସୁନୀଲ ରହୁଥିବା ବାରାକର ଛାତ ଉପରୁ ମିଳିଥିଲା ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ । ଛାତ ଉପରେ ଥିବା ପାଣିଟାଙ୍କି ନିକଟରେ ପଡିଥିଲା ତାଙ୍କ ମୃତଦେହ । ପାଖରେ ପଡ଼ିଥିଲା ତାଙ୍କ ସର୍ଭିସ୍ ରିଭଲଭର । ସେ ତାଙ୍କ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା କୁହାଯାଉଛି । ଗୁଳିଟି ସୁନୀଲଙ୍କ ମୁଣ୍ଡର ଡାହାଣ ପଟେ ବାଜିଥିବା ବେଳେ ମୁଣ୍ଡର ବାମପଟେ ବାହାରି ଯାଇଛି ।

ମୃତକ କନେଷ୍ଟବଳ ସୁନୀଲ ସେଠୀଙ୍କ ଘର ଓଡ଼ଗାଁ ଥାନା ବେରୁହାଅଁବାରୀ ଗ୍ରାମରେ । ସୁନୀଲ ଦୁଇ ବର୍ଷ ହେଲା ପୋଲିସ ଚାକିରି କରିଥିଲେ । ସେ ନୟାଗଡ଼ ଏସ୍ପି ଅଫିସ୍ ନିକଟ ବାରାକରେ ରହୁଥିଲେ । ସେ ବହୁଚର୍ଚ୍ଚିତ ପରୀ ବାପାଙ୍କ ପିଏସ୍ଓ ଭାବେ କାର୍ଯ୍ଯ କରୁଥିବା ଜଣାପଡିଛି । ଗତ ଜାନୁଆରୀ ୨୫ ତାରିଖରେ ସେ ଭଲ ପାଉଥିବା ଯୁବତୀଙ୍କ ସହ ତାଙ୍କ ରିଙ୍ଗ୍ ସେରେମନି ହୋଇଥିଲା । କିଛି ଦିନ ପରେ ଉଭୟଙ୍କର ବିବାହ ହୋଇଥାନ୍ତା । ଏହାପୂର୍ବରୁ ସୁନୀଲ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ବୁଧବାର ରାତି ପ୍ରାୟ ୧୨ଟା ସମୟରେ ସେ ଭାବିପତ୍ନୀଙ୍କୁ ଏକ ମେସେଜ କରିଥିଲେ । ମୋତେ କ୍ଷମା କରିବ, ଟଙ୍କା ପଠାଇଛି ଏବଂ ଆମ ସମ୍ପର୍କରେ କାହାର ନଜର ଲାଗିଗଲା ବୋଲି ମେସେଜରେ ଲେଖାଥିବା ଜଣାପଡିଛି । ଭାବିପତ୍ନୀଙ୍କ ସହ ତାଙ୍କର ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା ଯାହାକୁ ସୁନୀଲଙ୍କ ପରିବାର ଲୋକେ ବିରୋଧ କରୁଥିଲେ ବୋଲି ଏସ୍ପି କହିଛନ୍ତି । ପରିବାରରେ କୌଣସି ବିବାଦ ନଥିଲା ଏବଂ ତା ଉପରେ କୌଣସି ଚାପ ନଥିଲା ବୋଲି ସୁନୀଲଙ୍କ ପରିବାର ଲୋକ କହିଛନ୍ତି । ସୁନୀଲ ଘରକୁ ଟଙ୍କା ଦେଉନଥିବା ପରିବାର ଲୋକ କହୁଥିବା ବେଳେ ବ୍ଯାଙ୍କରୁ ସେ ୯ ଲକ୍ଷରୁ ଅଧିକ ଟଙ୍କା ଲୋନ୍ କରିଥିବା ଜଣାପଡିଛି । ସେ ଟଙ୍କା କ’ଣ କରୁଥିଲେ ବୋଲି ପ୍ରଶ୍ନ ଉଠିଛି । ଏହା ସହିତ ସୁନୀଲ ଅନଲାଇନ୍ ଗେମ୍ ଖେଳୁଥିବା ସୂଚନା ମିଳିଛି ।

ସେପଟେ ରାତିରେ ସୁନୀଲ ନିଜକୁ ଗୁଳି କରିଥିଲେ ମଧ୍ଯ ଗୁଳି ଫୁଟିବାର ଶବ୍ଦ କେହି କିପରି ଶୁଣିପାରିଲେ ନାହିଁ ତାହା ମଧ୍ଯ ତଦନ୍ତ ସାପେକ୍ଷ । ସବୁ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଏସ୍ପି କହିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ସହ ବନ୍ଧୁକ, ବନ୍ଧୁକରେ ଥିବା ସମସ୍ତ ଅଫୁଟା ଗୁଳିକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ଏ ଖବର ବି ପଢ଼ନ୍ତୁ :- ନୂଆ ଟ୍ରେଡ୍ ଡିଲ୍‌ରେ ଓଡ଼ିଶାକୁ ମିଳିବ ଫାଇଦା, ଆମେରିକା ବଜାରରେ ବଢିବ ଓଡ଼ିଶା ଖାଦ୍ୟର ଚାହିଦା