ଦିନ କେଇଟା ପରେ କାର୍ଯ୍ୟକାରୀ ହୋଇଥାନ୍ତା ଭେଣ୍ଡିଂ ଜୋନ୍, କାହିଁକି ନିର୍ମାଣ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ ?

Published By : Prameya-News7 Bureau | May 23, 2025 IST

କଟକ  ୨୩/୦୫: କ୍ଷୁଦ୍ର ତଥା ଉଠା ଦୋକାନୀ ମାନଙ୍କୁ ଥଇଥାନ କରିବା ଲାଗି ନିର୍ମାଣ ହେଲା ଭେଣ୍ଡିଂଜୋନ  ।  ଖର୍ଚ୍ଚ ହେଲା ପ୍ରାୟ ୨୫ ଲକ୍ଷ ଟଙ୍କା । କିନ୍ତୁ ସିଏମସି କର୍ତ୍ତୃପକ୍ଷଙ୍କ ଦୁରଦୃଷ୍ଟି ଅଭାବ ଯୋଗୁ ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ଅଦାଲତି ଅଙ୍କୁଶ। କଟକ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ଲାଗି ନିର୍ମିତ ହେଉଥିବା ଭେଣ୍ଡିଙ୍ଗଜୋନ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। କୌଣସି ପ୍ରକାର ନିର୍ମାଣ କାମ ଏବଂ ଆଲଟମେଣ୍ଟ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ତେଣେ ମେୟର ସଫେଇ ଦେଇଛନ୍ତି କି କୋର୍ଟ ନିର୍ଦେଶକୁ ତର୍ଜମା କରିବୁ, ଓକିଲଙ୍କ ସହ ପରାମର୍ଶ ନେଇ ପରବର୍ତ୍ତୀ ପଦକ୍ଷେପ ନେବୁ।

ଭେଣ୍ଡିଂ ଜୋନ୍‌ ନିର୍ମାଣ କାମ  ପ୍ରାୟ ସରି ଆସିଥିଲା ।  ହୁଏତ ଆଉ ଦିନ କେଇଟା ପରେ କଟକ ଯୋବ୍ରା ସ୍ଥିତ ଏହି ଭେଣ୍ଡିଂ ଜୋନ କାର୍ଯ୍ୟକାରୀ ହୋଇଥାଆନ୍ତା। କିନ୍ତୁ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇଦେଲେ ହାଇକୋର୍ଟ। ଅନ୍ୟାଦେଶ ନ ଆସିବା ଯାଏ ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।  ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର କ୍ୟାମ୍ପସକୁ ଲାଗି ଏହି  ଭେଣ୍ଡିଂ ଜୋନ ନିର୍ମାଣ ହେଉଥିଲା। କିନ୍ତୁ ଏହାଦ୍ବାରା ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାତାବରଣ ପ୍ରଭାବିତ ହେବ ବୋଲି ଅଭିଯୋଗ କରି ବିଶ୍ବବିଦ୍ୟାଳୟର ୩ ଜଣ ଛାତ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ସିଏମସି କମିଶନର ବ୍ୟକ୍ତିଗତ ଭାବେ ହଜାର ହୋଇ ନିଜର ପକ୍ଷ ମଧ୍ୟ ରଖିଥିଲେ। କିନ୍ତୁ ଜବାବ ସନ୍ତୋଷଜନକ ନଥିଲା, ତେଣୁ ନିର୍ମାଣ କାମ ଉପରେ ରହିତାଦେଶ ଜାରି କରିଛନ୍ତି କୋର୍ଟ, ତା ସହିତ ଆବଶ୍ୟକୀୟ ତଥ୍ୟ ଦାଖଲ କରିବାଲାଗି ସିଏମସି କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। କଟକ ସହରରେ ହଜାର ହଜାର ସଂଖ୍ୟାର କ୍ଷୁଦ୍ର ତଥା ଉଠା ଦୋକାନୀ ଅଛନ୍ତି। ସେମାନଙ୍କ ଥଇଥାନ ପାଇଁ ଭେଣ୍ଡିଂ ଜୋନର ଆବଶ୍ୟକତା ରହିଛି, ତାର ଅର୍ଥ ନୁହେଁ, ଯେ ଦୁରଦୃଷ୍ଟି ନରଖି ନିଷ୍ପତ୍ତି ନେବା। ତାହା ନହୋଇ ଥିଲେ ହୁଏତ ଏହି ନିର୍ମାଣଧୀନ ପ୍ରକଳ୍ପ ଉପରେ ଅଦାଲତି ଅଙ୍କୁଶ ଲାଗି ନଥାନ୍ତା।

 

 

 

  • cuttack
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.