ଘରେ ତାଲା ପକାଇ ଯାତ୍ରା ଦେଖିବାକୁ ଯାଇଥିଲେ ପୂରା ପରିବାର, କଳାକନା ବୁଲାଇଦେଲେ ଚୋର

NEWS7
when-will-saturn-transit-in-pisces

ଭଦ୍ରକ ୧୧।୨: ଅପେରା ଚାଲୁଥିବା ବେଳେ ଘରେ ପଶି ଲୁଟ୍ l ଧରାପଡ଼ି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ଯୁବକକୁ ହସ୍ତାନ୍ତର କଲେ ଗ୍ରାମବାସୀ l ୩ ଜଣ ଫେରାର ହୋଇଥିବା ବେଳେ ପରେ ୪ ଜଣଙ୍କୁ ସନ୍ଦେହରେ ଅଟକ ରଖିଛି ପୋଲିସ । ଭଦ୍ରକ ଜିଲ୍ଲା ଅଗରପଡା ଥାନାରେ ଆଡିଆ ଗ୍ରାମରେ ଏପରି ଘଟଣା ଘଟିଛି l

ଏ ଖବର ବି ପଢ଼ନ୍ତୁ:- ପୋଲିସ ପରିଚୟରେ ବ୍ଲାକ୍‌ମେଲିଂ, ଆଦାୟ କରୁଥିଲା ମୋଟା ଅଙ୍କର ଟଙ୍କା

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଗାଁରେ ଅପେରା ପାର୍ଟି ଯାତ୍ରା କରୁଥିଲା l ଯାତ୍ରା କ୍ୟାମ୍ପ ନିକଟରେ ଗ୍ରାମର ନିରଞ୍ଜନ ମଲ୍ଲିକଙ୍କ ଘର ହୋଇଥିବା ବେଳେ ପରିବାର ଲୋକେ ଘର ତାଲା ପକାଇ ଯାତ୍ରା ଦେଖିବାକୁ ଯାଇଥିଲେ । ନିରଞ୍ଜନଙ୍କ ପୁଅ ଆଶୁତୋଷ ଯାତ୍ରା ମଝିରେ ଘର ଆଡେ ବୁଲି ଯାଇଥିଲା ବେଳେ ତାଙ୍କ ଘର ଭିତରୁ ୨ ଜଣ ଲୁଟେରା ବାହାରି ଦୌଡ଼ି ପଳାଇଥିଲେ l ଖସି ଯାଉଥିବା ବେଳେ ଜଣକୁ କାବୁ କରିନେଇଥିଲେ ଆଶୁତୋଷ l ଲୁଟେରା ଜଣକ ଏକ ସ୍କୃ-ଡାଇଭରରେ ଆଶୁତୋଷଙ୍କ ବେକକୁ ଆକ୍ରମଣ କରିଥିଲା l ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ ଲୁଟେରାକୁ ଛାଡି ନଥିଲେ l ପରେ ଗ୍ରାମବାସୀ ପହଞ୍ଚି ଉକ୍ତ ଲୁଟେରାକୁ ମାଡ ମାରି ଘର ଭିତରେ ଅଟକ ରଖିଥିଲେ l ଲୁଟେରା ଯୁବକ ତାଙ୍କ ଘର ଧାମନଗର ଥାନା ଅଧୀନରେ ବୋଲି ପୋଲିସ ଆଗରେ କହିଥିବା ସୂଚନା ମିଳିଛି l କାବୁ ହୋଇଥିବା ଚୋରର ମୋବାଇଲ୍ କଲ୍ ଲିଷ୍ଟରୁ ଚୋରିରେ ସମ୍ପୃକ୍ତ ଥିବା ସନ୍ଦେହରେ ଅନ୍ୟ ୩ ଜଣ ଯୁବକଙ୍କୁ ମଧ୍ୟ ଅଟକ ରଖାଯାଇଛି l ଅଗରପଡା ପୋଲିସ ପହଞ୍ଚି ମୋଟ୍ ୪ ଜଣକୁ ଥାନାକୁ ନେଇଛି l ନିରଞ୍ଜନଙ୍କ ଘର ଅଲମିରା ଲକର ଭାଙ୍ଗି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା-ରୁପା ଅଳଙ୍କାର ସହ ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ବୋଲି ଆଶୁତୋଷ କହିଛନ୍ତି l ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

ଏ ଖବର ବି ପଢ଼ନ୍ତୁ:- ବିଜେଡି ଆନ୍ଦୋଳନର ପ୍ରଭାବ ଯାଜପୁରରେ କି ଓଡ଼ିଶାରେ ପଡ଼ିବନି, ୩ ଘଣ୍ଟାରେ ୧୦ ହଜାର ଲୋକ ଗଦେଇ ଦେବି