ଦେଶରେ ଖସିଲା ଗହମ ଦର, ଏବେ ଚାଷୀଙ୍କୁ ଅଭାବୀ ବିକ୍ରି ଚିନ୍ତା

Published By : Prameya-News7 Bureau | May 04, 2025 IST

ନୂଆଦିଲ୍ଲୀ ୪।୫:  କିଛି ଦିନ ପୂର୍ବେ ଗହମ ଦର ଆକାଶ ଛୁଉଁଥିଲା। ଏବେ ଅମଳ ମଣ୍ଡିକୁ ପହଞ୍ଚିବା ପରେ ଦର ମାଟି ସାଉଁଟୁଛି। ସାରା ଦେଶର ମଣ୍ଡିରେ କେଉଁଠି ଗହମ ସରକାରୀ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ବିକ୍ରି ହେଉଥିବା ବେଳେ କେଉଁଠି ଏମଏସପି ତଳେ ବି ଚାଷୀ ବିକ୍ରି କରୁଥିବାର ଜଣା ପଡିଛି। ତେବେ ସବୁଠୁ ଚିନ୍ତାର ବିଷୟ ଯାହା ତାହା ହେଉଛି ଗହମର ଅଭାବୀ ବିକ୍ରି। ଚାଷୀ ମଣ୍ଡିକୁ ଅପେକ୍ଷା କରି ନ ପାରି ଏଜେଣ୍ଟଙ୍କ ଦରରେ ଗହମ ବିକୁଥିବା ଜଣାପଡିଛି। 

ଦେଶର ପ୍ରମୁଖ ଗହମ ଉତ୍ପାଦନକାରୀ ରାଜ୍ୟ ସମେତ ଅନ୍ୟ ରାଜ୍ୟରେ ଗହମ ଏବେ ଖୁବ କମ ଦରରେ କାରବାର ହେଉଛି। ଏବେ ଚାଷୀଙ୍କୁ ମିଳୁଥିବା ଦର ସେମାନଙ୍କ ଚାଷ ବାବଦ ଖର୍ଚ୍ଚ କାଢିପାରିବେ କି ନା ସେ ନେଇ ଚିନ୍ତାରେ ପକାଇଛି। କେତେକ ମଣ୍ଡିରେ ଗହମ ସରକାରୀ ନିର୍ଦ୍ଧାରିତ ଏମଏସପି ଦରରେ କିଣାବିକା ହେଉଥିବା ବେଳେ କେତେକ ମଣ୍ଡିରେ ଏମଏସପିରୁ କମ ଦରରେ ଚାଷୀ ଗହମ ବିକିବାକୁ ବାଧ୍ୟ ହେଉଛନ୍ତି। ବମ୍ପର ଉତ୍ପାଦନ ହିଁ ଗହମର ଏପରି ମୂଲ୍ୟ ହ୍ରାସର କାରଣ ପାଲଟିଛି। 

ଗହମ ଉତ୍ପାଦନରେ ଦୁଇ ବଡ଼ ରାଜ୍ୟ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ଗହମ ମଣ୍ଡିକୁ ପହଞ୍ଚିବାରେ ଲାଗିଛି। ଏଥର ସରକାର ଗହମର ଏମଏସପି ପ୍ରତି କ୍ୱିଣ୍ଟଲ ୨,୨୭୫ ଟଙ୍କାରୁ ବଢାଇ ୨,୪୨୫ଟଙ୍କା କରି ଦେଇଛନ୍ତି। ତେବେ ଗହମ ଚଢାଦର ଦେବାକୁ ବ୍ୟବସାୟୀ ରାଜି ହେଉ ନାହାନ୍ତି। କେତେକ ରାଜ୍ୟରେ ଚାଷୀଙ୍କୁ ଗହମ କ୍ୱିଣ୍ଟଲ ପିଛା ବୋନସ ଓ ଅତିରିକ୍ତ ରାଶି ମଧ୍ୟ ଦିଆଯାଉଛି। ହେଲେ ସବୁ ରାଜ୍ୟ କଥା ସମାନ ନୁହେଁ। ଅନେକ ରାଜ୍ୟରେ ଗହମକୁ ସରକାରୀ ଦର ବି ମିଳୁ ନାହିଁ। 

ଉତ୍ତରପ୍ରଦେଶରେ ଗହମ ସବୁଠୁ ଉଚ୍ଚ ର ୨,୨୬୦ ଟଙ୍କା ପ୍ରତି କ୍ୱିଣ୍ଟଲ ବିକ୍ରି ହେଉଛି। ଏହା ଏବେ ରାଜ୍ୟରେ ଗହମର ମଡେଲ ପ୍ରାଇସ ପାଲଟିଛି। ବମ୍ପର ଗହମ ଉତ୍ପାଦନ ଯୋଗୁ ୟୁପିରେ ଦର ଏମଏସପି ତଳେ ରହୁଛି। ତେବେ କେତେକ ମଣ୍ଡିରେ ଚାଷୀଙ୍କୁ ଏମଏସପି ହିସାବରେ ଦର ଦିଆଯାଉଥିବାର ଜଣାପଡିଛି। ସେହିପରି ଅନ୍ୟତମ ରାଜ୍ୟ ମଧ୍ୟପ୍ରଦେଶର ଅଧିକାଂଶ ଜିଲ୍ଲା ମଣ୍ଡିରେ ଗହମ ମୂଲ୍ୟ ଏମଏସପି ପାଖାପାଖି ରହୁଛି। ତେବେ କେତେକ ସ୍ଥାନରେ ଚାଷୀ ଏମଏସପିରୁ ବି କମ ଦରରେ ଗହମ ବିକ୍ରି କରୁଥିବାର ଦେଖାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.