ଭାରତ ଉପରେ ଅଧିକ ଟାରିଫ୍ ଲଦିଲା ଆମେରିକା; ୩୦ ଉତ୍ପାଦ ଉପରେ ଶୁଳ୍କ କମାଇବେ ସରକାର !

Published By : Prameya-News7 Bureau | February 14, 2025 IST

ନୂଆଦିଲ୍ଲୀ,୧୪/୦୨:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆମଦାନୀ ଶୁଳ୍କ ବା ଟାରିଫ୍‌ ନୀତି ଘୋଷଣା କରିଛନ୍ତି ।  ଅର୍ଥାତ୍‌ ଆମେରିକା ଉତ୍ପାଦ ଉପରେ ଯେଉଁ ଦେଶ ଯେତିକି ହାରରେ ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି, ସେହି ଦେଶର ସାମଗ୍ରୀ ଉପରେ ଆମେରିକା ବି ଅନୁରୂପ ଢଙ୍ଗରେ ଶୁଳ୍କ ଲାଗୁ କରିବ ।  ଭାରତରୁ ଆମେରିକାକୁ ରତ୍ପାନି ହେଉଥିବା ବିଭିନ୍ନ ସାମଗ୍ରୀ ଉପରେ ସମାନ ଧରଣର ଆମଦାନୀ ଶୁଳ୍କ ଲାଗୁ ହେବ ।  ଟ୍ରମ୍ପ୍‌ କହିଛନ୍ତି, ଅନ୍ୟ ସମସ୍ତ  ଦେଶ ତୁଳନାରେ ଭାରତର ଆମଦାନୀ ଶୁଳ୍କ ସବୁଠୁ ଅଧିକ । ଏଣୁ ଟାରିଫ୍‌ ନୀତିରେ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ।  

ଆମେରିକାର ଅଟୋମୋବାଇଲ ହାର୍ଲେ ଡ୍ୟାଭିଡ୍‌ସନ୍‌ ମୋଟର ସାଇକେଲ କିମ୍ବା କାର୍‌ ଉପରେ ଭାରତ ୧୦୦% ଅଧିକ ଆମଦାନୀ ଶୁଳ୍କ ଆଦାୟ କରୁଛି । ଭାରତର ଅଟୋମୋବାଇଲ୍‌  ରତ୍ପାନି ଉପରେ ବି ସେହି ହାରରେ ଆମଦାନୀ ଶୁଳ୍କ ଲାଗୁ  କରିବ ଆମେରିକା ।  ଯେସାକୁ ତେସା ଶୁଳ୍କ ନୀତିରୁ ବଞ୍ଚିବା ପାଇଁ ଭାରତ ୩୦ ଆମେରିକୀୟ ଉତ୍ପାଦରେ ଟାରିଫ୍‌ କମାଇବାକୁ  ବିଚାର କରୁଛି । ଏଥିରେ ଇଭି, ପ୍ରିମିୟମ୍‌ କାର୍‌, ମୋଟରସାଇକେଲ, ୱାଇନ୍‌, ହ୍ୱିସ୍କି ଆଦି ଉପରୁ ଶୁଳ୍କ   କମିପାରେ ବୋଲି ଅନୁମାନ କରାଯାଉଛି । ଏସବୁ ସାମଗ୍ରୀ ଉପରେ ଭାରତ ୧୦୦ରୁ  ୧୫୦% ପର୍ଯ୍ୟନ୍ତ ଶୁଳ୍କ ଲଗାଉଛି ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯେଉଁ ରାଷ୍ଟ୍ର ଯେତିକି ଟାରିଫ୍‌  ଲଦିବେ ଆମେରିକା ବି ସମାନ ମାତ୍ରାରେ ଶୁଳ୍କ କଷିବ । 

ତେବେ ଟ୍ରମ୍ପଙ୍କ ପାଲଟା ଟାରିଫ୍‌ ବାଣରୁ ମୁକୁଳିବା ପାଇଁ ଭାରତ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ସେତିକି ନୁହେଁ, ଆମେରିକାରୁ ପ୍ରତିରକ୍ଷା ଏବଂ ଶକ୍ତି ଉତ୍ପାଦ ଆମଦାନୀକୁ ବଢ଼ାଇବା  ପାଇଁ ବି ବିଚାର କରାଯାଉଛି । ଆମେରିକା ସହ ବାଣିଜ୍ୟିକ ସମ୍ପର୍କକୁ ଭାରତ ଖରାପ କରିବାକୁ  ଚାହେଁନାହିଁ । ବଜେଟରେ ସରକାର ଇଲେକ୍ଟ୍ରୋନିକ୍ସ, ବୟନ ସାମଗ୍ରୀ ଏବଂ ପ୍ରିମିୟମ ମୋଟର୍‌ସାଇକେଲ ଭଳି କେତେକ ସାମଗ୍ରୀ ଉପରୁ ଆମଦାନୀ ଶୁଳ୍କ କମାଇଛନ୍ତି । ଏହା ମଧ୍ୟ ଆମେରିକାକୁ ଖୁସି କରିବା ପାଇଁ ଏକ ଉଦ୍ୟମ  ବୋଲି କୁହାଯାଇପାରିବ । ବର୍ତ୍ତମାନ ଭାରତ ସରକାର ବିଳାସପୂର୍ଣ୍ଣ କାର, ସୋଲାର ସେଲ୍‌  ଏବଂ କେମିକାଲ ଆଦି ଉପରେ ଅତିରିକ୍ତ ଟାରିଫ୍‌ କମାଇବା ପାଇଁ ବିଚାର  କରୁଛନ୍ତି । 

ରିପୋର୍ଟ ଅନୁସାରେ, ଆମେରିକାରୁ ଭାରତ ଆସୁଥିବା ୮୦%ରୁ ଊର୍ଦ୍ଧ୍ୱ ସାମଗ୍ରୀରେ ୨୦%ରୁ କମ୍‌ ଟାରିଫ୍‌ ଲାଗୁଥିବା ବେଳେ ୨୦ଟି ସାମଗ୍ରୀରେ ୧୦୦%ରୁ ଅଧିକ ଟାରିଫ୍‌ ଲାଗୁଛି । ଏଲନ୍‌ ମସ୍କଙ୍କ ଟେସ୍‌ଲା ମଧ୍ୟ ଏହି ଉଚ୍ଚ ଟାରିଫ୍‌ ଯୋଗୁ ଭାରତକୁ ଆସିପାରିନାହିଁ । ଆମେରିକାରୁ ଆସୁଥିବା ପ୍ରିମିୟମ କାର ଏବଂ ମୋଟର୍‌ସାଇକେଲ ଉପରେ ତଗ୍‌ଡା ଶୁଳ୍କ ଲଗାଉଛି ଭାରତ ।  ପୂର୍ବ କାର୍ଯ୍ୟକାଳରେ ହାର୍ଲେ-ଡେଭିଡ୍‌ସନ୍‌ ମୋଟରସାଇକେଲ ଉପରେ ଲାଗୁଥିବା ମୋଟା ଟାରିଫକୁ ସମାଲୋଚନା କରିଥିଲେ ଟ୍ରମ୍ପ ।  ଆମେରିକାରୁ ଆସୁଥିବା ଇଭିଗୁଡ଼ିକ ଉପରେ ଭାରତ ୧୨୫% ଶୁଳ୍କ ଲଗାଉଛି । ସେଠାରୁ ଆସୁଥିବା ୱାଇନ୍‌, ହ୍ୱିସ୍କି, ରମ୍‌ ଏବଂ ଅନ୍ୟାନ୍ୟ ମାଦକ  ଦ୍ରବ୍ୟ ଉପରେ ୧୫୦%ର ସର୍ବୋଚ୍ଚ ଟାରିଫ୍‌ ଲାଗୁଛି । ଆଉ ୪୨ଟି ସାମଗ୍ରୀ  ଉପରେ ୬୦ରୁ ୧୦୦% ଟାରିଫ୍‌ ଲାଗୁଥିବାବେଳେ ୧.୯% ଉତ୍ପାଦରେ  ୩୦ରୁ୬୦% ଶୁଳ୍କ ଲାଗୁ ହେଉଛି ।  ମୂଲ୍ୟ ହିସାବରେ ଏସବୁ ବର୍ଗରେ ୨୦୨୩-୨୪ରେ ଭାରତକୁ  ଆସିଥିବା ମୋଟ ସାମଗ୍ରୀ ମୂଲ୍ୟର ମାତ୍ର ୦.୪% । ତେବେ ଅନୁମାନ କରାଯାଉଛି ଭାରତ ଏହି ବର୍ଗଗୁଡ଼ିକରେ ଟାରିଫ୍‌ କମାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.