ଭାରତ-ଜିମ୍ବାଓ୍ୱେ ମୁକାବିଲା ପୂର୍ବରୁ ସ୍ପଷ୍ଟ ହୋଇଯିବ ସେମି ଚିତ୍ର ! ଟିମ୍ ଇଣ୍ଡିଆ ପାଇଁ ଜରୁରୀ ଆଫ୍ରିକା-ଇଣ୍ଡିଜ୍ ମ୍ୟାଚ୍

NEWS7
what-happens-by-sweeping-the-house-repeatedly

ଚେନ୍ନାଇ, ୨୬/୦୨: ଟି୨୦ ବିଶ୍ୱକପ୍ ର ସୁପର ୮ ମୁକାବିଲାରେ ଗୁରୁବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ । ଗୋଟିଏ ଦିନରେ ଦୁଇଟି ବଡ ମୁକାବିଲା ରହିଛି । ସନ୍ଧ୍ୟା ୭ଟାରେ ଭାରତ ଏବଂ ଜିମ୍ବାଓ୍ୱେ ମୁହାଁମୁହିଁ ହେବେ । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଭେଟିବ ଓ୍ୱେଷ୍ଟ୍ ଇଣ୍ଡିଜ୍ । ତେବେ ଭାରତ ପାଇଁ ଆଫ୍ରିକା- ଇଣ୍ଡିଜ ମୁକାବିଲା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଭାରତର ଭବିଷ୍ୟତ ଏହି ମ୍ୟାଚ୍ ଉପରେ ନିର୍ଭର କରିବ ।

ଭାରତ ପାଇଁ କର ବା ମର ସ୍ଥିତି

ଗୁରୁବାର ମୁହାଁମୁହିଁ ହେବେ ଭାରତ ଏବଂ ଜିମ୍ବାଓ୍ୱେ । ସେମି ଫାଇନାଲ ରେସରେ ଜୀବିତ ରହିବାକୁ ହେଲେ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ । ଜିମ୍ବାଓ୍ୱେ ପାଇଁ ମଧ୍ୟ ସମାନ ଭାବେ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଦିଗରେ ଭାରତ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଅନ୍ୟ ଦିଗରେ ଓ୍ୱେଷ୍ଟ୍ ଇଣ୍ଡିଜଠୁ ମାତ୍ ଖାଇଛି ଜିମ୍ବାଓ୍ୱେ । ତେଣୁ ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆକୁ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିବାକୁ ହେଲେ ପ୍ରଥମେ ବ୍ୟାଟିଂ କରିବାକୁ ହେବ । ଏହାସହ ଜିମ୍ବାଓ୍ୱେକୁ ୧୦୦ରୁ ଅଧିକ ରନରେ ପରାସ୍ତ କରିବାକୁ ପଡିବ । ଯାହା ଦ୍ୱାରା ଦଳର ବିଗିଡିଥିବା ରନ୍ ରେଟରେ ସୁଧାର ଆସିବ ।

ଏହି ଖବରଟି ପଢନ୍ତୁ... ଭାରତ ପାଇଁ 'କର ବା ମର' ମୁକାବିଲା : ତିଲକ୍ ଆଉଟ୍, ଜିମ୍ବାଓ୍ୱେ ବିପକ୍ଷରେ ଖେଳିବେ ସଞ୍ଜୁ !

ଇଣ୍ଡିଜ୍ ବନାମ ଆଫ୍ରିକା

ଓ୍ୱେଷ୍ଟ୍ ଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ମ୍ୟାଚ୍ ଜିତିଛନ୍ତି । ଆଜିର ମ୍ୟାଚ୍ ଯିଏ ଜିତିବ ସେ ସେମି ଫାଇନାଲ ଖେଳିବା ଏକ ପ୍ରକାର ନିଶ୍ଚିତ । ତେବେ ଭାରତକୁ ଦରକାର ଦକ୍ଷିଣ ଆଫ୍ରିକାର ବିଜୟ । ଦକ୍ଷିଣ ଆଫ୍ରିକା ଜିତିଲେ ଭାରତ ପାଇଁ ଭଲ ହେବ । ସେମି ରାସ୍ତା ସହଜ ହୋଇଯିବ । କିନ୍ତୁ ଯଦି ଓ୍ୱେଷ୍ଟ୍ ଇଣ୍ଡିଜ୍ ଜିତେ ତାହାଲେ ସେମି ଗଣିତ ଆହୁରି ବିଗିଡିଯିବ । ଟିମ୍ ଇଣ୍ଡିଆ ପାଇଁ ଅଡୁଆ ବଢିଯିବ । ଇଣ୍ଡିଜ ଜିତିଲେ ଭାରତକୁ ବଳକା ଦୁଇଟି ମ୍ୟାଚ୍ ବଡ ବ୍ୟବଧାନରେ ଜିତିବାକୁ ହେବ । ଏହାସହ ଅଧିକ ରନ ରେଟ୍ ଜରୁରୀ ହୋଇଯିବ ।

ଦକ୍ଷିଣ ଆଫ୍ରିକା ବିଜୟୀ ହେଲେ ଏବଂ ଭାରତ ଜିମ୍ବାଓ୍ୱେକୁ ମାତ୍ ଦେଲେ ଆଗାମୀ ମ୍ୟାଚ୍ ଭାରତ ଏବଂ ଇଣ୍ଡିଜ ମଧ୍ୟରେ ଖେଳାଯିବ । ଏହା ପ୍ରି ସେମିଫାଇନାଲ ହୋଇଯିବ । ଯେଉଁ ଦଳ ଜିତିବ ସେ ହିଁ ସେମି ଫାଇନାଲରେ ଏଣ୍ଟ୍ରି କରିବ । ଯଦି ଏହି ମ୍ୟାଚ୍ ଇଣ୍ଡିଜ ଜିତେ ତେବେ ମଧ୍ୟ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାଓ୍ୱେ ମ୍ୟାଚରେ ଆଫ୍ରିକା ହାରିଗଲେ ଭାରତର ସେମି ଖେଳିବା ନେଇ ସମ୍ଭାବନା ରହିଛି ।