LIVE TV

ମନ୍ଦିର-ଗୁରୁଦ୍ବାର ଯିବାକୁ ମନା କରି ଫସିଲେ ଆର୍ମି ଅଫିସର୍, ସୁପ୍ରିମକୋର୍ଟ କହିଲେ- ‘ଏଭଳି ବ୍ୟକ୍ତି ସେନାରେ ରହିବାକୁ ଅଯୋଗ୍ୟ’

NEWS7
western-odisha-development-council-chairman-asit-tripathy-visit-padmapur-and-reviewed-the-government-projects

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଜଣେ ଖ୍ରୀଷ୍ଟିଆନ ସେନା ଅଧିକାରୀ ସାମୁଏଲ କମଲେସନଙ୍କୁ ଭର୍ତ୍ସନା କରିଛନ୍ତି । ସାମୁଏଲ ଗୁରୁଦ୍ବାର ଯିବାକୁ ମନା କରିବାରୁ ତାଙ୍କୁ ସେନାରୁ ବହିଷ୍କାର କରାଯାଇଥିଲା । ସାମୁଏଲ ଜଣେ କଳହ ପ୍ରିୟ ଏବଂ ସେନା ପାଇଁ ଅନୁପଯୁକ୍ତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଖ୍ରୀଷ୍ଟିଆନ ଅଧିକାରୀଙ୍କୁ ସେନାରୁ ବହିଷ୍କାର ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ, ସେ ତାଙ୍କ ସାଥୀ ଶିଖ ସୈନିକଙ୍କ ବିଶ୍ୱାସକୁ ସମ୍ମାନ ଦେଇ ନାହାନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ଆଚରଣ ଗୁରୁତର ଅନୁଶାସନହୀନତା । ସାମରିକ ସଂସ୍ଥା ଭଳି ଏକ ପ୍ରତିଷ୍ଠାନରେ ଏପରି କାର୍ଯ୍ୟକୁ ସହ୍ୟ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ମେ ମାସରେ ସେନାର ନିଷ୍ପତ୍ତିକୁ ସମର୍ଥନ କରିଥିଲେ । ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ, ଅଧିକାରୀଙ୍କ ଆଚରଣ ରେଜିମେଣ୍ଟର ଏକତା, ଶୃଙ୍ଖଳା ଏବଂ ଧର୍ମନିରପେକ୍ଷତାର ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରୁଛି।

ଯୁଦ୍ଧ ପରିସ୍ଥିତିରେ ସାମରିକ ବାହିନୀର ଏପରି ଆଚରଣକୁ କ୍ଷତିକାରକ ବୋଲି ବର୍ଣ୍ଣନା କରିଥିଲେ କୋର୍ଟ । ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଥିଲେ ଯେ, କମଲେସନ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅପେକ୍ଷା ତାଙ୍କ ଧର୍ମକୁ ଅଧିକ ଗୁରୁତ୍ୱ ଦେଇଥିଲେ। ଏହା ସ୍ପଷ୍ଟ ଭାବରେ ଅନୁଶାସନହୀନତାକୁ ଦର୍ଶାଉଛି।

ଅଧିକାରୀ ସାମୁଏଲ୍ କମଲେସନଙ୍କ ଓକିଲ ଗୋପାଳ ଶଙ୍କରାନାରାୟଣନ୍ କହିଛନ୍ତି ଯେ, କେବଳ ମନ୍ଦିର ଭିତର ଭାଗରେ ପ୍ରବେଶ କରିବାକୁ ମନା କରିବାରୁ ତାଙ୍କୁ ସେନାରୁ ବହିଷ୍କାର କରାଯାଇଥିଲା । ସାମୁଏଲ ଜଣେ ଶୃଙ୍ଖଳିତ ଅଧିକାରୀ ଏବଂ ଅନ୍ୟ ସମସ୍ତ କର୍ତ୍ତବ୍ୟ ସଠିକ୍ ଭାବରେ ସମ୍ପାଦନ କରୁଥିଲେ। ସେ କେବଳ ଅନୁରୋଧ କରିଥିଲେ ଯେ, ତାଙ୍କୁ କୌଣସି ଦେବତାଙ୍କ ପୂଜାର୍ଚ୍ଚନା କରିବାକୁ ବାଧ୍ୟ କରାନଯାଉ।

ଅଫିସର ସାମୁଏଲ କମଲେସନଙ୍କ ମାମଲା ମାର୍ଚ୍ଚ ୨୦୧୭ର । ସେତେବେଳେ ସେ ତୃତୀୟ କାଭାଲରୀ ରେଜିମେଣ୍ଟରେ ଲେଫ୍ଟନାଣ୍ଟ ଥିଲେ। ତାଙ୍କ ୟୁନିଟରେ ଏକ ମନ୍ଦିର ଏବଂ ଏକ ଗୁରୁଦ୍ୱାର ଥିଲା । ଯେଉଁଠାରେ ପ୍ରତି ସପ୍ତାହରେ ଧାର୍ମିକ ପରେଡ୍ ଅନୁଷ୍ଠିତ ହେଉଥିଲା। ସେ ତାଙ୍କ ସୈନିକମାନଙ୍କ ସହିତ ମନ୍ଦିରକୁ ଯାଇଥିଲେ, କିନ୍ତୁ ପୂଜା କିମ୍ବା ଆଳତୀ ସମୟରେ ମନ୍ଦିର ଭିତର ଭାଗରେ ପ୍ରବେଶ କରିବାକୁ ମନା କରିଥିଲେ। ସେହିଭଳି ସେ ଗୁରୁଦ୍ବାର ଭିତରେ ମଧ୍ୟ ପ୍ରବେଶ କରିନଥିଲେ । ଖ୍ରୀଷ୍ଟିଆନ୍ ଧର୍ମ ତାଙ୍କୁ କୌଣସି ଦେବାଦେବୀଙ୍କୁ ପୂଜା କରିବାକୁ ଅନୁମତି ଦିଏ ନାହିଁ ବୋଲି ଯୁକ୍ତି ଦେଇଥିଲେ ସାମୁଏଲ ।