ମମତା ସରକାରଙ୍କୁ ‘ଅପରାଜିତା’ ବିଧେୟକ ଫେରାଇ ଦେଲେ ପଶ୍ଚିମବଙ୍ଗ ଗଭର୍ଣ୍ଣର, ଉଦବେଗ ପ୍ରକାଶ କରିଥିଲା କେନ୍ଦ୍ର

Published By : Prameya-News7 Bureau | July 25, 2025 IST

କୋଲକାତା ୨୫।୭: ପଶ୍ଚିମବଙ୍ଗ ଗଭର୍ଣ୍ଣର ସି.ଭି. ଆନନ୍ଦ ବୋଷ ‘ଅପରାଜିତା’ ବିଲକୁ ରାଜ୍ୟ ସରକାରଙ୍କୁ ଫେରାଇ ଦେଇଛନ୍ତି। ରାଜ୍ୟପାଳ ବୋଷ ମମତା ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଠାଯାଇଥିବା ଗମ୍ଭୀର ଚିନ୍ତା ଦୃଷ୍ଟିରୁ ବିଧେୟକରେ ପ୍ରସ୍ତାବିତ ସଂଶୋଧନ ଉପରେ ପୁନର୍ବିଚାର କରିବାକୁ ଆଗ୍ରହ କରିଛନ୍ତି। ରାଜଭବନର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ବିଧେୟକକୁ ନେଇ ଆପତ୍ତି ବିଶେଷ କରି କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ଆପତ୍ତି ଯୋଗୁ ଫେରାଇ ଦିଆଯାଇଥିବା କହିଛନ୍ତି। 

ସେ କହିଛନ୍ତି ଯେ ବିଧେୟକର କେତେକ ଅଂଶ ବିଶେଷ କରି ଦଣ୍ଡାତ୍ମକ ପ୍ରାବଧାନ ଅଧିକ କଠୋର ହୋଇଥିବାରୁ ଗୃହମନ୍ତ୍ରାଳୟ ଆପତ୍ତି କରିଥିଲେ। ଅପରାଜିତା ମହିଳା ଓ ଶିଶୁ ସୁରକ୍ଷା ବିଧେୟକକୁ ସେପ୍ଟେମ୍ବର ୨୦୨୪ରେ ପଶ୍ଚିମବଙ୍ଗ ବିଧାନସଭାରେ ଗୃହୀତ କରାଯାଇଥିଲା। ଏହି ବିଧେୟକରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ରେ ବିଶେଷ କରି ଦୁଷ୍କର୍ମ ଦଣ୍ଡରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ପ୍ରୟାସ ଉଦ୍ୟମ କରାଯାଇଛି। 

କେନ୍ଦ୍ର ସରକାର ବିଧେୟକରେ ପ୍ରସ୍ତାବିତ କେତେକ ପ୍ରାବଧାନ ଏବେକା ଆଇନ ତୁଳନାରେ ଅନୁପାତହୀନ ବୋଲି କହିଛନ୍ତି।   ତେବେ ଅପରାଜିତା ବିଲକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟର ମୁଖ୍ୟ ଆପତ୍ତି ହେଉଛି ବିଏନଏସ୍ ର ଧାରା ୬୪ରେ ସଂଶୋଧନ ଉଦ୍ୟମ। ଏଥିରେ ଦୁଷ୍କର୍ମର ଦଣ୍ଡକୁ ଏବେକା ବ୍ୟବସ୍ଥା ୧୦ ବର୍ଷରୁ ବଢାଇ ଆଜୀବନ ଜେଲଦଣ୍ଡାଦେଶ ଅଥବା ମୃତ୍ୟୁଦଣ୍ଡ ପାଇଁ ପରାମର୍ଶ ଦେଉଛି। 

ଗୃହମନ୍ତ୍ରାଳୟ କଥିତ ରୂପେ ବିଧେୟକର ଏହି ପ୍ରସ୍ତାବକୁ ଅତ୍ୟଧିକ କଠୋର ତଥା ଅନୁପାତିକତା ସିନ୍ଧାନ୍ତ ସହିତ ମେଳ ଖାଉନଥିବା କହିଛନ୍ତି। ଅପରାଜିତା ବିଧେୟକରେ ଆଉ ଏକ ବିବାଦୀୟ ପ୍ରାବଧାନରେ ବିଏନଏସର ଧାରା ୬୫କୁ ହଟାଇବା ପ୍ରସ୍ତାବ ମଧ୍ୟ ରହିଛି। ଯାହା ବର୍ତ୍ତମାନ ନାବାଳିକା ଦୁଷ୍କର୍ମ ପୀଡ଼ିତ, ବିଶେଷ କରି ୧୬ ଓ ୧୨ ବର୍ଷ ବୟସରୁ କମ ବୟଷ୍କ ନାବାଳିକାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ନିମନ୍ତେ କଠୋର ଦଣ୍ଡର ପ୍ରାବଧାନ କରୁଛି। 

ଉଲ୍ଲେଖଯୋଗ୍ୟ ଯେ କୋଲକାତାର ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜନୈକ ଟ୍ରେନି ଡାକ୍ତରଙ୍କ ପ୍ରତି ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ବ୍ୟାପକ ଜନ ଅସନ୍ତୋଷକୁ ନଜରରେ ରଖି ସରକାର ଅପରାଜିତା ବିଧେୟକ ଆଣିଥିଲେ। ଏହି ଭୟାବହ ଘଟଣା ରାଜ୍ୟ ସରକାରଙ୍କୁ ମହିଳା ଓ ଶିଶୁଙ୍କ ବିରୋଧରେ ଯୌନ ଅପରାଧର ମୁକାବିଲା ନିମନ୍ତେ ରାଜ୍ୟରେ କଡ଼ା ଆଇନ ପାଇଁ ପ୍ରେରିତ କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.