ଗ୍ରାମୀଣ ଭାରତ ଲାଗି ମାଷ୍ଟର ପ୍ଲାନ, ୬୩% ବଜେଟ ସହ ଭିବି-ଜୀ ରାମ-ଜୀ ହେଲା ବିଭାଗର ଲାଇଫ ଲାଇନ

NEWS7
wcd-gets-hiked-allocation-of-rs-26889-crore-in-union-budget-2025

ନୂଆଦିଲ୍ଲୀ ୧୫।୨: ଚଳିତବର୍ଷ ବଜେଟରେ ଗ୍ରାମୀଣ ବିକାଶ ବିଭାଗକୁ ଭିବି-ଜୀ ରାମ-ଜୀ ଯୋଜନାରେ ସବୁଠୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି। ରିପୋର୍ଟ ଅନୁସାରେ ଏହି ଯୋଜନାକୁ ବିଭାଗୀୟ ବଜେଟରେ ୪୦% ଦିଆଯାଇଛି। ପିଆରଏସ ଲେଜିସଲେଟିଭ ରିସର୍ଚ୍ଚ ଦ୍ୱାରା ଗ୍ରାମୀଣ ବିକାଶ ବିଭାଗ ଲାଗି କରାଯାଇଥିବା ବଜେଟ୍ ବିଶ୍ଲେଷଣରେ କୁହାଯାଇଛି ଯେ ଭିବି-ଜୀ ରାମ-ଜୀକୁ ବଜେଟରେ ୯୫.୬୯୨କୋଟି ଟଙ୍କା ଆବଣ୍ଟିତ କରାଯାଇଛି, ଯାହା ଗ୍ରାମୀଣ ବିକାଶ ବିଭାଗ ବଜେଟର ୪୦%।

୨୦୨୬-୨୭ଗ୍ରାମୀଣ ବିକାଶ ବିଭାଗର ମୋଟ ବଜେଟରେ ଭିବି-ଜୀ ରାମ-ଜୀ ଛଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ କୁ ୨୩ ପ୍ରତିଶତ ଆବଣ୍ଟିତ କରାଯାଇଛି। ଫଳରେ ବିଭାଗକୁ ମୋଟ ୬୩% ବଜେଟ୍ ଆବଣ୍ଟିତ ହୋଇଛି। ଏତଦବ୍ୟତୀତ ବିଭାଗକୁ ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିସନ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାକୁ ୮ ପ୍ରତିଶତ ଲେଖାଏଁ ବଜେଟ୍ ମିଳିଥିବା ବେଳେ ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ୪% ବଜେଟ୍ ଦିଆଯାଇଛି। ଏଣୁ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଗ୍ରାମୀଣ ବିକାଶ ବିଭାଗକୁ ମୋଟ ୧,୯୭,୦୨୩ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଏହା ୨୦୨୪-୨୫ ଆର୍ଥିକ ବର୍ଷର ସଂଶୋଧିତ ଅନୁମାନରୁ ୪% ଅଧିକ।

ଭିବି-ଜୀ ରାମ-ଜୀ ଅଧିନିୟମରେ ୧୨୫ ଦିନ କାମର ଗ୍ୟାରେଣ୍ଟି ଦିଆଯାଇଛି। ଏଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୬୦: ୪୦ ଅନୁପାତରେ ବ୍ୟୟ କରିବେ। ରିପୋର୍ଟରେ କୁହାଯାଇଛି ଯେ ପିଛିଲା ଏକ ଦଶନ୍ଧୀରେ ଏମଜିଏନଆରଜିଏସ୍ ଯୋଜନାରେ ବାର୍ଷିକ ପ୍ରତି ପରିବାର ହାରାହାରି ୪୮ ଦିନ କାମ ମିଳିଛି। ସେହିପରି ଯୋଜନା ଅନ୍ତର୍ଗତ ପରିବାର ମଧ୍ୟରୁ ୧୦%ରୁ କମ୍ ପରିବାର ୧୦୦ ଦିନ କାମ ପୁରା କରିଛନ୍ତି। ତେବେ କେବଳ କୋଭିଡ-୧୯ ଅବଧି ଛାଡି ଦେଲେ ବାକି ବର୍ଷମାନଙ୍କରେ କମ୍ ରୋଜଗାର ସୃଜନ ହୋଇଛି।

ରିପୋର୍ଟରେ ଏହା ବି କୁହାଯାଇଛି ଯେ ଗତ କିଛି ବର୍ଷ ହେଲା ଶ୍ରମିକଙ୍କୁ ଦିଆଯାଉଥିବା ବାସ୍ତବିକ ବେତନ ଅଧିସୂଚିତ ମଜୁରି ହାରରୁ କମ ରହିଛି। ତେବେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗ୍ରାମୀଣଙ୍କୁ ଗୃହ ନିର୍ମାଣ ନିମନ୍ତେ ୫୪,୯୧୭ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏହା ଯୋଜନା ଲକ୍ଷ୍ୟରେ ୬୯% ବୃଦ୍ଧି ଦର୍ଶାଉଛି। ଏଥିରେ ଏପର୍ଯ୍ୟନ୍ତ ମଞ୍ଜୁର ପ୍ରକଳ୍ପ ମଧ୍ୟରୁ ୭୦% ପୁରା ହୋଇ ପାରିଛି।

ଏହା ବି ପଢ଼ନ୍ତୁ:-୧୦୦୦ ରୁ ଅଧିକ ପାଇଲଟଙ୍କୁ ନିଯୁକ୍ତି ଦେବ ଇଣ୍ଡିଗୋ: କ୍ରୁ ଅଭାବ ଯୋଗୁ ଡିସେମ୍ବରରେ ବାତିଲ୍ ହୋଇଥିଲା ୫,୦୦୦ ବିମାନ ଉଡ଼ାଣ