ତଳି ଅଞ୍ଚଳରେ ବର୍ଷା ପାଣି ରହିଛି, କେଉଁଠି ବି ବନ୍ୟା ପାଣି ପଶି ନାହିଁ

Published By : Prameya-News7 Bureau | July 07, 2025 IST

ଭୁବନେଶ୍ବର ୭।୭: କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ । କିନ୍ତୁ ନଦୀ ଗୁଡିକରେ ଜଳସ୍ତର ବଢ଼ୁଛି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସେ ଆହୁରି କହିଛନ୍ତି, ଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ କ୍ଷୟକ୍ଷତି ହୋଇଛି । ତଳି ଅଞ୍ଚଳରେ ବର୍ଷା ପାଣି ରହିଛି । କେଉଁଠି ବି ବନ୍ୟା ପାଣି ପଶି ନାହିଁ ।

ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ ଏବଂ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ODRAF ଏବଂ NDRF ଟିମ୍ ମୁତୟନ ଅଛନ୍ତି । ଯଦି ବନ୍ୟା ସ୍ଥିତି ଉପୁଜେ ସରକାର ପ୍ରସ୍ତୁତ ଅଛନ୍ତି । ବନ୍ୟା ପାଣି ପଶିଲେ ଲୋକ ମାନେ ତୁରନ୍ତ ବନ୍ୟା ଆଶ୍ରୟସ୍ଥଳୀକୁ ଚାଲି ଆସନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ କ୍ଷୟକ୍ଷତି ରିପୋର୍ଟ ମାଗାଯାଇଛି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ, ଜିଲ୍ଲାପାଳ ମାନଙ୍କୁ କ୍ଷତିପୂରଣ ରାଶି ପଠାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ କାରଣ ଆଗାମୀ କିଛି ଦିନ ଯାଏଁ ବର୍ଷା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି । ସେ କହିଛନ୍ତି ଯେ, ହୀରାକୁଦର ୨୦ଟି ଗେଟ୍ ଦେଇ ୨.୯୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ମଙ୍ଗଳବାର ସକାଳ ୬ଟା ପରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବ । ୪.୫୦ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳୀ ଆସିବ । ଆଗାମୀ ଦିନରେ ବର୍ଷା ହେଲେ, ଅଧିକ ଗେଟ୍ ଖୋଲା ହେବ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବୈତରଣୀରେ ସତର୍କ ସଙ୍କେତ ପାର ହୋଇଥିଲା । IMDର ଆକଳନ ନଥିବା ସତ୍ତ୍ବେ ବର୍ଷା ହେଲା । ଯେହେତୁ ଗେଟ୍ ଖୋଲିବା ପରେ ଜଳ ନିଷ୍କାସନ ହେଲା, ହେଲେ ବିପଦ ସଙ୍କେତ ଛୁଇଁନି । ସେପଟେ ରେଙ୍ଗାଲି ଡ୍ୟାମ୍‌ର ଦୁଇଟି ଗେଟ୍ ଦେଇ ୩,୧୨୪ କ୍ୟୁମେକ୍‌ରେ ଜଳ ନିଷ୍କାସିତ ହେଉଛି । ବୁଢ଼ାବଳଙ୍ଗରେ ଅଧିକ ଜଳ ଆସିବ, ହେଲେ ବିପଦ ସଂକେତ ଛୁଇଁବ ନାହିଁ । 

ଯାଜପୁର ଜିଲ୍ଲା ଦଶରଥପୁରରେ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ସୁରକ୍ଷା ବାଡ଼ କରିବାର ଥିଲା । ହେଲେ ସେମାନେ କରିନାହାନ୍ତି । ତେଣୁ ଛୋଟ ଆକାରରେ ବନ୍ଧ ଭାଙ୍ଗିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।


You Can Read:

ମଙ୍ଗଳବାର ସକାଳେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ, ଆସିବ ୪.୫୦ ଲକ୍ଷ କ୍ୟୁସେକ୍ ଜଳ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.