ପରୋପକାରର ଉଦାହରଣ ପାଲଟିଲେ ୱରେନ ବଫେଟ, ଦାନ କଲେ ୬୦୦ କୋଟି ଡଲାର

Published By : Prameya-News7 Bureau | June 28, 2025 IST

ନବରସ୍କା ୨୮।୬: ଦିଗ୍ଗଜ ନିବେଶକ ତଥା ବର୍କସାୟର ହାଥୱେ ଚେୟାରମ୍ୟାନ ୱରେନ ବଫେଟ ପୁଣି ଥରେ ପରୋପକାରର ଉଦାହରଣ ପାଲଟିଛନ୍ତି। ୯୪ ବର୍ଷ ବୟଷ୍କ ବଫେଟ ପାଖାପାଖି ୬୦୦ କୋଟି ଡଲାର (୫୧,୨୯୧ କୋଟି ଟଙ୍କା) ମୂଲ୍ୟର ବର୍କସାୟରର କ୍ଲାସ୍ ବି ସେୟାର ଦାନ କରିଦେଇଛନ୍ତି। ସେ ଏହି ଡୋନେସନ ଗେଟସ୍ ଫାଉଣ୍ଡେସନ ସହିତ ୪ ପାରିବାରିକ ଚ୍ୟାରିଟି ସଂସ୍ଥାମାନଙ୍କୁ ଦେଇଛନ୍ତି। ଏହା ଏ ପର୍ଯ୍ୟନ୍ତ ତାଙ୍କର ସବୁଠୁ ବଡ଼ ବାର୍ଷିକ ଦାନ। 

ରୟଟର୍ସ ଅନୁସାରେ ଯେବେଠାରୁ ବଫେଟ ତାଙ୍କ ସମ୍ପତ୍ତି ଦାନ କରିବା ଆରମ୍ଭ କରିଛନ୍ତି ସେବେଠାରୁ ଚଳିତବର୍ଷର ଡୋନେସନ ଇତିହାସ ରଚିଛି। ଏଥର ଡୋନେସନ ପରେ ତାଙ୍କର ମୋଟ ଚ୍ୟାରିଟେବଲ ଯୋଗଦାନ ୬ ହଜାର କୋଟି ଡଲାର ପାର କରିଯାଇଛି। ବଫେଟ ମୋଟ ୧.୨୪ କୋଟି କ୍ଲାସ୍ ବି ସେୟାର ଦାନ କରିଛନ୍ତି। ଏଥିରେ ଗେଟସ୍ ଫାଉଣ୍ଡେସନକୁ ୯୪.୩ ଲକ୍ଷ ସେୟାର ମିଳିଥିବା ବେଳେ ସୁସାନ ଥମ୍ପସନ ବଫେଟ ଫାଉଣ୍ଡେସନକୁ ୯.୪୩ ଲକ୍ଷ ସେୟାର, ତାଙ୍କ ପିଲାଙ୍କ ସଂସ୍ଥା ଯେପରି ହୱର୍ଡ ଜି.ବଫେଟ ଫାଉଣ୍ଡେସନ, ସେରଉଡ ଫାଉଣ୍ଡେସନ ଓ ନୋଭୋ ଫାଉଣ୍ଡେସନ ପ୍ରତ୍ୟେକକୁ ୬.୬ଲକ୍ଷ ସେୟାର ମିଳିଛି। 

ଏହି ସବୁ ସଂସ୍ଥାମାନଙ୍କ ଫୋକସ ସାଧାରଣତଃ ଶିକ୍ଷା, ପ୍ରଜନନ ସ୍ୱାସ୍ଥ୍ୟ, ଅନାହାର, ମାନବ ତସ୍କରୀ ଓ ସମାଜର ଶେଷ ଧାଡିରେ ଥିବା ସମୂଦାୟଙ୍କ ସଶକ୍ତିକରଣ ଦିଗରେ ରହିଛି। ଦାନ ପୂର୍ବରୁ ବଫେଟଙ୍କ ମୋଟ ସମ୍ପତ୍ତି ୧୫,୨୦୦ କୋଟି ଡଲାର ଥିଲା ଓ ଫୋର୍ବସ ଧନୀକଙ୍କ ସୂଚୀର ସେ ପଞ୍ଚମ ସ୍ଥାନରେ ଥିଲେ। ଡୋନେସନ ପରେ ତାଙ୍କ ନେଟୱର୍ଥ ହ୍ରାସ ହୋଇଥିବା ବେଳେ ସେ ଏବେ ବିଶ୍ୱ ଧନୀକଙ୍କ ସୂଚୀର ଷଷ୍ଠ ସ୍ଥାନକୁ ଖସିଛନ୍ତି। ତାଙ୍କ ପାଖରେ ଏବେବି ବର୍କସାୟରର ୧୩.୮ ପ୍ରତିଶତ ଭାଗିଦାରୀ ରହିଛି। 

ବଫେଟ ୧୯୬୫ ମସିହାରୁ ବର୍କସାୟର ହାଥୱେର ନେତୃତ୍ୱ ନେଇଆସୁଛନ୍ତି। ୧.୦୫ଲକ୍ଷକୋଟି ଡଲାର ମୂଲ୍ୟର ଏହି କମ୍ପାନୀ ଜିଇଆଇସିଓ, ବିଏନଏସଏଫ ରେଲ ରୋଡ ସମେତ ପାଖାପାଖି ୨୦୦ ବ୍ୟବସାୟକୁ ସଞ୍ଚାଳନ କରୁଛି। ଏହା ଛଡା କମ୍ପାନୀ ପୋର୍ଟଫୋଲିଓରେ ଆପଲ, ଆମେରିକାନ ଏକ୍ସପ୍ରେସ୍ ଭଳି ଦିଗ୍ଗଜ କମ୍ପାନୀଙ୍କ ଭାଗିଦାରୀ ମଧ୍ୟ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.