ନୂଆଦିଲ୍ଲୀ ୮।୮: ଭାରତ ଉପରେ ପଡିଛି ଟ୍ରମ୍ପଙ୍କ ଟାରିଫର ପ୍ରଭାବ। ଭାରତ ଉପରେ ଆମେରିକା ୫୦% ଟାରିଫ ଲାଗୁ କରିବା ପରେ ଏବେ ୱାଲମାର୍ଟ, ଆମାଜନ, ଟାର୍ଗେଟ୍ ଓ ଗ୍ୟାପ୍ ସହିତ ପ୍ରମୁଖ ଆମେରିକୀୟ ଖୁଚୁରା ବିକ୍ରେତା ଭାରତରୁ ଆସୁଥିବା ଅର୍ଡରକୁ ଏବେ ହୋଲ୍ଡ କରିଦେଇଛନ୍ତି। ତେବେ ଇଣ୍ଡିଆନ ଏକ୍ସପୋର୍ଟର୍ସ ପୂର୍ବରୁ ଏହା ଅନୁମାନ କରିସାରିଥିଲେ। ସେମାନେ ଜାଣିଥିଲେ ଟାରିଫ ବଢିଲେ ସେମାନଙ୍କ ଅର୍ଡର ପ୍ରଭାବିତ ହେବ।
ଏନଡିଟିଭି ସୂତ୍ର ଅନୁସାରେ ଏହି ଦାବି କରିଛି ଯେ ଭାରତୀୟ ଏକ୍ସପୋର୍ଟର୍ସଙ୍କୁ ଆମେରିକୀୟ କ୍ରେତାଙ୍କ ଠାରୁ ପତ୍ର ଓ ଇ-ମେଲ ମିଳିଛି। ଏଥିରେ କୁହାଯାଇଛି ଭାରତୀୟ ରପ୍ତାନୀକାରୀ ପରବର୍ତ୍ତି ସୂଚନା ପର୍ଯ୍ୟନ୍ତ କପଡା ସିପମେଣ୍ଟ ରୋକି ଦିଅନ୍ତୁ। ତେବେ ଆମେରିକୀୟ କମ୍ପାନୀ ଚାହୁଁଛନ୍ତି ଟାରିଫ ଯୋଗୁ ବଢୁଥିବା ବ୍ୟୟ ଭାର ଭାରତୀୟ ରପ୍ତାନୀକାରୀ ବହନ କରନ୍ତୁ। ଟାରିଫ ଯୋଗୁ ଆମେରିକାରେ ବିକ୍ରି ହେଉଥିବା ସାମଗ୍ରୀର ମୂଲ୍ୟ ୩୦ରୁ ୩୫% ବଢିବ ବୋଲି ଆକଳନ କରାଯାଉଛି।
ଭାରତର ୱେଲସ୍ପନ ଲିଭିଂ, ଗୋକଲଦାସ ଏକ୍ସପୋର୍ଟସ୍, ଇଣ୍ଡୋ କାଉଣ୍ଟ ଓ ଟ୍ରାଇଡେଣ୍ଟ ଭଳି ପ୍ରମୁଖ ରପ୍ତାନୀକାରୀ ଅଛନ୍ତି ଯେଉଁମାନେ ଆମେରିକାରେ ୪୦ରୁ ୭୦% ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି। କୁହାଯାଉଛି ଆମେରିକା ଯାଉଥିବା ଅର୍ଡର ଏବେ ହୋଲ୍ଡ ହେବା ଯୋଗୁ ବାଣିଜ୍ୟରେ ୪୦ରୁ ୫୦% ହ୍ରାସ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ଭାରତରୁ ବହୁମାତ୍ରାରେ କପଡା ଆମେରିକା ରପ୍ତାନୀ ହୋଇଥାଏ। ଏବେ ଟାରିଫ ଲାଗୁ ହେବା ଯୋଗୁ ଏହି ସବୁ ଅର୍ଡର ବାଂଲାଦେଶ ବା ଭିଏତନାମକୁ ମିଳିପାରେ।
ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ ଲାଗୁ କରିଛନ୍ତି। ତେବେ ବାଂଲାଦେଶ ଓ ଭିଏତନାମ ଉପରେ ଏହି ଟାରିଫ ହାର ମାତ୍ର ୨୦%। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ଭାରତ ଅତାର୍କିକ କହି ବିରୋଧ କରିଥିଲା। ତେବେ ଟ୍ରେଡ ଡିଲ ନ ହେବା ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହେବାର କୌଣସି ରାସ୍ତା ଦେଖା ଯାଉ ନାହିଁ।