ଭୋଡାଫୋନ୍‌ ଆଇଡିଆକୁ ଶେୟାରଧାରୀଙ୍କ ଠାରୁ ମିଳିଲା ୨୦ ହଜାର କୋଟି ଯୋଗାଡ଼ ମଞ୍ଜୁରୀ, ବଢ଼ିଲା କମ୍ପାନିର ଶେୟାର ପ୍ରାଇସ୍‌

Published By : Prameya-News7 Bureau | April 03, 2024 IST

ନୂଆଦିଲ୍ଲୀ: ଭୋଡାଫୋନ୍‌ ଆଇଡିଆକୁ ଶେୟାରଧାରୀଙ୍କ ଠାରୁ ୨୦ ହଜାର କୋଟି ଯୋଗାଡ଼ ପାଇଁ ମଞ୍ଜୁରୀ ମିଳିଛି। କମ୍ପାନି ଏହି ରାଶି ଇକ୍ବିଟୀ ଶେୟାର ଏବଂ ଅନ୍ୟାନ୍ୟ ଉତ୍ସରୁ ଏକାଠି କରିବ। ଏହି ଫଣ୍ଡ ଏକତ୍ର ପାଇଁ କମ୍ପାନି ଫେବ୍ରୁଆରୀରେ ଶେୟାରଧାରକଙ୍କ ସମ୍ମୁଖରେ ପ୍ରସ୍ତାବ ରଖିଥିଲା। ଯାହାକୁ ଏବେ ମଞ୍ଜୁରୀ ମିଳିଛି।

ଭୋଡାଫୋନ୍‌ ଆଇଡିଆ ଚଳିତ ତ୍ରୈମାସିକରେହିଁ ଏହି ଟଙ୍କା ଯୋଗାଡ଼ କରିବା ନେଇ ଅନୁମାନ କରୁଛି। କମ୍ପାନିର ପ୍ରମୋଟର ମଧ୍ୟ କିଛି ଶେୟାର କମ୍‌ କରିବେ।ତେବେ କମ୍ପାନି ଇକ୍ବିଟି ଏବଂ ଋଣକୁ ମିଶାଇ ପ୍ରାୟ ୪୫ ହଜାର କୋଟି ଟଙ୍କା ଯୋଗାଡ଼ କରିବ। ତେବେ ଏହା ଦ୍ବାରା କମ୍ପାନି ନଗଦ ସଙ୍କଟରୁ ବାହାରିବାକୁ ଚେଷ୍ଟା କରୁଛି। ଏହା ବାଦ୍‌ କମ୍ପାନି ୪ଜି ଏବଂ ୫ଜି ସେବାକୁ ବିକଶିତ ପାଇଁ ମଧ୍ୟ ଏହି ରାଶିକୁ ବ୍ୟବହାର କରିବ। 

ସୂଚନାଥାଉକି, କମ୍ପାନି ଉପରେ ବ୍ୟାଙ୍କ୍‌ର ୪,୫୦୦ କୋଟି ଟଙ୍କା ଋଣ ରହିଛି। ଯେତେବେଳେକି ଭୋଡାଫୋନ୍‌ ଆଇଡିଆର ସମୁଦାୟ ଋଣ ୨.୧୫ ଲକ୍ଷ କୋଟି ଟଙ୍କା ରହିଛି। ଏଥିରେ ସ୍ପେକ୍ଟ୍ରମ ଦେୟ ବାବଦକୁ ୧.୩୮ ଲକ୍ଷ କୋଟି, ସରକାରଙ୍କ ଏଜିଆର ଋଣ ୬୯,୦୨୦ କୋଟି ଏବଂ ପରିବର୍ତ୍ତିତ ଡିବେଞ୍ଜରର ୧୬୬୦ କୋଟି ଟଙ୍କା ବକେୟା ରହିଛି। 

କମ୍ପାନି ଏହି ଫଣ୍ଡକୁ ଏହାର ସର୍ଭିସକୁ ଉତ୍ତମ କରିବା ପାଇଁ ବ୍ୟବହାର କରିବ। ଗତ ୧୦ ତ୍ରୈମାସିକ ସମୟରେ କମ୍ପାନିର ୪ଜି ସବସ୍କ୍ରାଇବରଙ୍କ ସଂଖ୍ୟା ସଫଳତାପୂର୍ବକ ବଢ଼ାଇଛି। ସୂଚନା ଅନୁଯାୟୀ, କମ୍ପାନିର ୪ଜି ଗ୍ରାହକଙ୍କ ସଂଖ୍ୟା ୧୨.୧୬ କୋଟି ଥିଲା ଯାହା ଏବେ ୧୨.୫୬ କୋଟି ହୋଇଛି। ସେପଟେ ଏହି ନିଷ୍ପତ୍ତି ପରେ କମ୍ପାନିର ଶେୟାରରେ ବୃଦ୍ଧି ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.