ପୁରୀ: ଆସନ୍ତାକାଲି ବିଶ୍ଵନିୟନ୍ତାଙ୍କ ସ୍ନାନଯାତ୍ରା। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଏହି ଯାତ୍ରା ଅନୁଷ୍ଠିତ ହେବ । ଦଇତାପତିମାନେ ଆଜି ମହାପ୍ରଭୁଙ୍କ ସେନାପଟା ଲାଗି କାର୍ଯ୍ୟ କରିଛନ୍ତି। ସେପଟେ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ବ ଦେଇଛି ପ୍ରଶାସନ। ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ମାର୍କେଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ ବ୍ୟବସ୍ଥା ସହ AI କ୍ୟାମେରା ଛାଉଣୀରେ ରହିଛି ଶ୍ରୀକ୍ଷେତ୍ର। ଏଥିସହ ପର୍ଯ୍ୟାପ୍ତ ସିସିଟିଭି, ୭୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ରାତି ପାହିଲେ ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ସ୍ନାନ ବେଦୀରେ ପ୍ରତ୍ୟେକ୍ଷ ସ୍ନାନ କରିବେ ଚତୁର୍ଦ୍ଧାମୂରତି। ମହାପ୍ରଭୁଙ୍କ ଏହି ସ୍ନାନ ଯାତ୍ରା ଦେଖିବା ସହ ସାନିଧ୍ୟ ଲାଭ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ପବିତ୍ର ସ୍ନାନ ଯାତ୍ରା ପାଇଁ ଆଜି ସେନାପଟା ଲାଗି କାର୍ଯ୍ୟ ସମ୍ପାଦନ କରିଛନ୍ତି ଦଇତାପତି ସେବାୟତ। ବିଳମ୍ବିତ ରାତିରେ କୋଠସୁଆଁସିଆଁ ସେବକ ମାନେ ମହାପ୍ରଭୁଙ୍କ ଚାରମାଳ ବନ୍ଧା କାର୍ଯ୍ୟ କରିଥିବା ବେଳେ ଆଜି ସକାଳେ ଏହା ସମ୍ପନ୍ନ ହୋଇଛି । ପହଣ୍ଡି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତି ମାନେ ସେନାପଟା ଲାଗି ଗୁପ୍ତ ନୀତି କରୁଥିବାରୁ ଆଜି ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଥିଲା।
ସେପଟେ ଅତ୍ୟଧିକ ସ୍ନାନ ପରେ ଜ୍ବରରେ ପଡ଼ିବେ ମହାପ୍ରଭୁ। ୧୫ ଦିନ ଧରି ଅଣସର ଘରେ ଚତୁଃର୍ଦ୍ଧାମୂର୍ତ୍ତୀଙ୍କର କରାଯିବ ଗୁପ୍ତସେବା। ଏହି ସମୟରେ ଶ୍ରୀମନ୍ଦିରରେ ମନ୍ତ୍ରୋଚାରଣ ଓ ଅନ୍ୟାନ୍ୟ ନିତୀ ବନ୍ଦ ରହିବ। ଭକ୍ତମାନଙ୍କୁ ନିରାଶ ନକରି ଶ୍ରୀମନ୍ଦିରରେ ପଟିଦିଅଁ ରୂପରେ ଦର୍ଶନ ଦେବେ ଶ୍ରୀଜିଉ। ଏଥିପାଇଁ ଚିତ୍ରକର ସେବାୟତ ମାନେ ପ୍ରସ୍ତୁତ କରୁଛନ୍ତି ପଟ୍ଟି ଦିଅଁ।
ସ୍ନାନଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଆଇନ୍ ଶୃଙ୍ଖଳା, ଭିଡ ନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ଚାରିଜଣ ଏସପି ରାଙ୍କର କମାଡାଣ୍ଟ, ୪୫୦ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ବପୂର୍ଣ୍ଣ ସ୍ଥାନ ମାନଙ୍କରେ ସିସିଟିଭି ଲଗାଯାଇ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିବ ପୋଲିସ ।
ସେହିଭଳି AI କ୍ୟାମେରା ଛାଉଣୀରେ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରକୁ ରଖାଯାଇଛି। ବିଶେଷ କରି ବେଳାଭୂମିରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ମାର୍କେଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ ବ୍ୟବସ୍ଥା ସହ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ସାମିଆନା ବ୍ୟବସ୍ଥା ମଧ୍ୟ କରିଛି ପ୍ରଶାସନ। ମହାପ୍ରଭୁଙ୍କ ପରମାଣିକ ଟିକେଟ ଧାରୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ସ୍ନାନ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଆଜି ସନ୍ଧ୍ୟାରୁ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଲଗାଯାଇଛି।