ଶିମିଳିପାଳରେ କୁମ୍ଭୀର ସଂଖ୍ୟା ୮୪କୁ ବୃଦ୍ଧି, ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ କୁମ୍ଭୀର

NEWS7
virat-kohli-ranji-trophy-record

ବାରିପଦା ୧୪।୧: ଶିମିଳିପାଳରେ ବଢ଼ିଛି କୁମ୍ଭୀର ସଂଖ୍ୟା । ଗତ ୬ରୁ ୮ତାରିଖରେ ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ପରେ ଗତବର୍ଷ ତୁଳନାରେ ୩ଟି କୁମ୍ଭୀର ଅଧିକ ଥିବା ଜଣାପଡିଛି । ଫଳରେ ଶିମିଳିପାଳରେ କୁମ୍ଭୀର ସଂଖ୍ୟା ୮୪କୁ ବୃଦ୍ଧି ପାଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି ।

କୁମ୍ଭୀର ଗଣନା ପ୍ରକ୍ରିୟାରେ ଶିମିଳିପାଳ ଅଭୟାରଣ୍ୟ ଏବଂ ଶିମିଳିପାଳ ପାଦଦେଶର ୮ଟି ଜଳ ଉତ୍ସର ୨୦ଟି ସ୍ଥାନରେ କରାଯାଇଛି । ୱେଷ୍ଟ ଦେଓ, ଇଷ୍ଟ ଦେଓ, ଖଈରୀ, ଖଡ଼ଖାଇ, ଠକଠକି ନଦୀ, ସାଳନ୍ଦୀ ନଦୀ ଓ ଖଡ଼ଖାଇ ନାଳ, ବୁଢ଼ାବଳଙ୍ଗ ଆଦି ନଦୀ କୂଳ ସମେତ ରାମତୀର୍ଥ ସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ମିଶାଇ ପ୍ରାୟ ୨୦ଗୋଟି ସ୍ଥାନରେ କୁମ୍ଭୀର ଗଣନା କରାଯାଇଥିଲା । ଉକ୍ତ ଗଣନାରେ ଉତ୍ତର ଓ ଦକ୍ଷିଣ ଶିମିଳିପାଳର ଗୋଟି ରେଞ୍ଜକୁ ମିଶାଇ ସମୁଦାୟ ୧୬ଗୋଟି ରେଞ୍ଜରେ ଗଣନା ହୋଇଥିଲା । ପ୍ରତି ରେଞ୍ଜରେ କୁମ୍ଭୀର ଗଣନା ପାଇଁ  ରେଞ୍ଜର, ଫରେଷ୍ଟର ଓ କର୍ମଚାରୀଙ୍କୁ ନେଇ ୩୦ ଟିମ୍‌ରେ ୧୦୦ଜଣରୁ ଉର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ହୋଇଥିଲେ । ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଅଧିକ ଗୋମୁହାଁ ବା ମଗର ପ୍ରଜାତିର କୁମ୍ଭୀର ଦେଖାଯାଇଥାନ୍ତି । 

ରିପୋର୍ଟ ଅନୁଯାୟୀ, ୨୦୨୧ ମସିହା ଗଣନାରେ ୮୧ଟି, ୨୦୨୨ ମସିହା ଗଣନାରେ ୮୩ଟି, ୨୦୨୩ ମସିହା ଗଣନାରେ ୮୬ଟି କୁମ୍ଭୀର ଶିମିଳିପାଳ ଅଭୟାରଣ୍ୟରେ ଥିବାବେଳେ ୨୦୨୪ ମସିହା ଗଣନାରେ ୪ଗୋଟି କୁମ୍ଭୀର ସଂଖ୍ୟା ହ୍ରାସ ପାଇ ମୋଟ୍ ୮୨ଟି କୁମ୍ଭୀର ରହିଥିବା ବେଳେ ୨୦୨୫ ଗଣନାରେ ଗୋଟିଏ କମି ୮୧ଟି କୁମ୍ଭୀର ରହିଥିଲେ । ତେବେ ଏବର୍ଷ ସଂଖାରେ ୩ଟି ବୃଦ୍ଧି ଘଟି ସଂଖ୍ୟା ୮୪ରେ ପହଞ୍ଚିଥିବା ଜଣାପଡିଛି । ତନ୍ମଧ୍ୟରୁ ଶିମିଳିପାଳ ଦକ୍ଷିଣ ବନଖଣ୍ଡରେ ୭୮ଟି କୁମ୍ଭୀର ଥିବା ବେଳେ ଉତ୍ତର ବନଖଣ୍ଡରେ ଗୋଟିଏ,  ରାମତୀର୍ଥରେ ୫ଟି କୁମ୍ଭୀର ରହିଛନ୍ତି । ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ଟି କୁମ୍ଭୀର ରହିଛନ୍ତି ।

ଗତ ବର୍ଷ ତୁଳନାରେ କୁମ୍ଭୀର ସଂଖ୍ୟା ବୃଦ୍ଧି ଚାଲିଥିବା ସଫଳ ସଂରକ୍ଷଣ ଓ ପୁନଃପ୍ରଚଳନ କାର୍ଯ୍ୟକ୍ରମର ସଫଳତାକୁ ଦର୍ଶାଉଛି । ରାମତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ପ୍ରତିବର୍ଷ ଶାବକ ମାନଙ୍କୁ ବିଭିନ୍ନ ଜଳ ଉତ୍ସରେ ଛାଡ଼ିବା ଫଳରେ ଏହି ବୃଦ୍ଧି ସମ୍ଭବ ହୋଇଛି ।