ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ୧୮ ଜଣକ ମୃତ୍ୟୁ, ଅନେକ ଗୁରୁତର

NEWS7
virat-kohli-in-forbes-indias-list-of-top-100-celebrities

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ଛାତିଥର ଦୁର୍ଘଟଣା। ବାଣ ବିସ୍ଫୋରଣ ଯୋଗୁ ୧୮ ଜଣକ ମୃତ୍ୟୁ । ଘଟଣା ଘଟିଛି କାକିନାଡା ଜିଲ୍ଲାର ପେଡ୍ଡାପୁରମ ଅଞ୍ଚଳର ସମାଲକୋଟ ମଣ୍ଡରଳ ବେତଲାପଲେମ ଗାଁରେ ଏକ ବାଣ ତିଆରି ଫ୍ୟାକ୍ଟ୍ରିରେ । ଘଟଣା ପରେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଦୁର୍ଘଟଣାରେ ଅନେକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ନିଆଁ ଦ୍ରୁତ ଗତିରେ ବ୍ୟାପିବା ପୂର୍ବରୁ ଜୋରରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ସମୟରେ ଅନେକ ଲୋକ ବାଣ କାରଖାନା ଭିତରେ ଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ରିପୋର୍ଟ ଅନୁସାରେ, କାରଖାନା ଭିତରେ ନିଆଁ ଲାଗିଯିବାରୁ ବଡ଼ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୃତଦେହଗୁଡ଼ିକ ପାଖ କ୍ଷେତକୁ ଛିଟିକି ପଡ଼ିଥିଲା। ଆଉ କାରଖାନା ସମ୍ପୂର୍ଣ୍ଣ ନିଆଁରେ ପୋଡ଼ି ଯାଇଥିଲା। କାକିନାଡା ସରକାରୀ ହସ୍ପିଟାଲର ଅଧୀକ୍ଷକ କହିଛନ୍ତି, ଶରୀରର ୯୦ରୁ ୧୦୦ ପ୍ରତିଶତ ପୋଡ଼ି ଯାଇଥିବା ୭ ଜଣକୁ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି। ସେପଟେ ଘଟଣାରେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଗଭୀର ଶୋକ ପ୍ରକାଶ କରିଛନ୍ତି।

ଜଣାପଡ଼ିଛି, ଦୁର୍ଘଟଣା ସମୟରେ ପ୍ରାୟ ୩୦ରୁ ୩୫ ଜଣ ଶ୍ରମିକ କାରଖାନା ଭିତରେ ଥିଲେ । ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଥିଲା। ଉଦ୍ଧାର ସମୟରେ ଉତ୍ତେଜନା ଦେଖିବାକୁ ମିଳିଥିବାବେଳେ, ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

ତେବେ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କାରଖାନା ସୁରକ୍ଷା ନିୟମ ଉଲ୍ଲଂଘନ କରିଛି କି କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଛି ତାହା ପୋଲିସ ତଦନ୍ତ କରୁଛି। ଏକ ଫୋରେନସିକ୍ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।