ରାସ୍ତା କରୁନି ପ୍ରଶାସନ, ଧାନତଳି ପୋତି ଗାଁ ଲୋକଙ୍କ ପ୍ରତିବାଦ

Published By : Prameya-News7 Bureau | July 13, 2025 IST

ଆନନ୍ଦପୁର ୧୩/୦୭: ପ୍ରଶାସନିକ ଅବହେଳା ବିରୋଧରେ ଅଭିନବ ପ୍ରତିବାଦ । ପ୍ରଥମେ ବାଉଁଶ ବାନ୍ଧି ରାସ୍ତାରୋକ କରିଥିଲେ । ଏବେ ଆଣ୍ଠୁଏ ପାଣିରେ ଧାନତୋଳି ପୋତି ପ୍ରତିବାଦ ଜଣାଇଛନ୍ତି ଗାଁ ଲୋକ । ଆନନ୍ଦପୁର  ୨୦ ନମ୍ବର ଜାତୀୟ ରାଜପଥ ଶୈଲଙ୍ଗ ଠାରୁ କେଶଦୂରାପାଳ ଯାଏ ରାସ୍ତା ଅବସ୍ଥା ବେହାଲ । ରାସ୍ତା ପ୍ରଶସ୍ତୀକରଣ ନାଁରେ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ ଚାଲିଛି ଯେ ସରୁନି । ଅଧାପନ୍ତରିଆ ହୋଇ ରାସ୍ତା ପଡିଥିବାରୁ  ଯାତାୟତ ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖରାଦିନ ଯେନତେନ ଚଳିଯାଏ । ବର୍ଷା ଦିନ ଆସିଲେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଏ । ଗାଁ ଦାଣ୍ଡରେ କୁତ୍ରିମ ପୋଖରୀ ସୃଷ୍ଟି ହୁଏ । ଆଣ୍ଠୁଏ ଆଣ୍ଠୁଏ ପାଣିରେ ରାସ୍ତା ପାର ହୁଅନ୍ତି ଲୋକେ ।

ଲୋକଙ୍କ ଅଭିଯୋଗ ହେଉଛି ଗାଁର କେତେକ ପ୍ରଭାବଶାଳୀ ଲୋକଙ୍କ ଅକ୍ତିଆରରେ ଜମି ଥିବାରୁ ପ୍ରଶାସନ ସେଥିରେ ହାତ ମାରିପାରୁନି । ରାସ୍ତା ପ୍ରଶସ୍ତୀକରଣ କାମ ୯୫ ପ୍ରତିଶତ ସରିଯାଇଥିବାବେଳେ ୫ ପ୍ରତିଶତ କାମ ପ୍ରଭାବଶାଳୀ ଲୋକଙ୍କ ପାଇଁ ଅଟକି ରହିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତାକାମ ଶେଷ ହେଉନି । କିଛି ଦିନ ତଳେ ରାସ୍ତାରେ ବାଉଁଶ ବାନ୍ଧି ରାସ୍ତାରୋକ କରିଥିଲେ ହେଲେ କିଛି ଫାଇଦା ହେଲାନି । ବାଧ୍ୟ ହୋଇ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ଗାଁ ଦାଣ୍ଡରେ ଆଣ୍ଠୁଏ ପାଣିରେ ଧାନତଳି ପୋତି ପ୍ରତିବାଦ ଜଣାଇଛନ୍ତି । ତେବେ ଏ ସଂପର୍କରେ ପ୍ରଶାସନିକ ଅଧିକାରୀଙ୍କର କୌଣସଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି । 



  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.