ଆନନ୍ଦପୁର ୭।୭: ବର୍ଷା ହେଲେ ଗାଁ ଦାଣ୍ଡରେ ଲହଡି ମାରୁଛି ପାଣି । ଆଣ୍ଠୁଏ ପାଣିରେ ପଶି ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ରୋଗୀ ଓ ସାଧାରଣ ଗ୍ରାମବାସୀ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । କେନ୍ଦୁଝର ଘଷିପୁରା ବ୍ଲକ୍ କେଶଦୁରାପାଳ ଗାଁର ଏହି ସମସ୍ୟା ଦୀର୍ଘବର୍ଷ ହେବ ଲାଗିରହିଥିବା ବେଳେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ ହେଉନଥିବା ଅଭିଯୋଗ ହୋଇଛି । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ମାନେ ବାଉଁଶ ବାନ୍ଧି ରାସ୍ତାବନ୍ଦ କରି ପ୍ରତିବାଦ କରିଛନ୍ତି । ସମସ୍ୟାର ସମାଧାନ ନହେବା ଯାଏଁ ଲୋକେ ରସ୍ତା ଛାଡିବେନାହିଁ ବୋଲି ରୋକ୍ଠୋକ୍ କହିଛନ୍ତି ।
ଅନ୍ୟପଟେ ଏହି ସମସ୍ୟା ସମାଧାନ ପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ତରଫରୁ ପାଖାପାଖି ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ଶୈଲଙ୍ଗ ଠାରୁ କେଶଦୂରାପାଳ ଯାଏଁ ରାସ୍ତା ନିର୍ମାଣ ଚାଲିଛି । ହେଲେ ରାସ୍ତାର ଉଭୟ ପାର୍ଶ୍ବରେ ଜବରଦଖଲ ଯୋଗୁଁ କାମ ପ୍ରାୟ ୬ ମାସ ହେବ ବନ୍ଦ ପଡିଛି । କିଛିଦିନ ତଳେ ଏଠାରେ ରାସ୍ତାକାମ ପାଇ ପ୍ରଶାସନ ତରଫରୁ ଜବରଦଖଲ ମୁକ୍ତ ପାଇଁ ପଦକ୍ଷେପ ନିଆଁଯାଇଥିଲା । ସାଧାରଣ ଲୋକେ ସ୍ବଇଚ୍ଛାରେ ପ୍ରଶାସନକୁ ସହଯୋଗ କରି ଜାଗା ଛାଡିଥିଲେ, ହେଲେ କିଛି ମୁଷ୍ଟିମେୟ ଲୋକଙ୍କ ଜବରଦଖଲରେ ଥିବା ଜମିକୁ ପ୍ରଶାସନ ଜବରଦଖଲ ମୁକ୍ତ କରିବାରେ ବିଫଳ ହୋଇଛି । ଫଳରେ ଏଭଳି ପରିସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ବାକିଥିବା ସ୍ଥାନକୁ ଜବରଦଖଲ ମୁକ୍ତ କରି ରାସ୍ତାକାମ ସାରିବାକୁ ଲୋକେ ଦାବି କରିଛନ୍ତି । ତେବେ ଏ ସମ୍ପର୍କରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
You Can Read:
ଭଦ୍ରକରେ ମିଳିଲା ଅଲୌକିକ ପଥର, ବୈତରଣୀ ନଦୀ ବନ୍ୟାପାଣିରେ ଭାସୁଛି