କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର କୁମାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି, ୧୦୮ ଏସଇବିସି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ ପାଇଁ ଅନୁରୋଧ

NEWS7
vijays-goat-collected-rs-215-crores-even-before-its-release-bumper-earnings-from-ott-and-satellite-rights

ଭୁବନେଶ୍ବର ୨୩।୧୨: ଓଡ଼ିଶାର ବିଭିନ୍ନ ପଛୁଆ ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା ଏବଂ ସେମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ଦିଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡାକ୍ତର ବୀରେନ୍ଦ୍ର କୁମାରଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ଏସଇବିସି ତାଲିକାରେ ସ୍ୱୀକୃତିପ୍ରାପ୍ତ ୧୦୮ଟି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବା ପାଇଁ ସେ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର କୁମାରଙ୍କୁ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ଏହି ସମ୍ପ୍ରଦାୟଗୁଡ଼ିକ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ଏସଇବିସି ତାଲିକାରେ ମାନ୍ୟତା ପାଇଥିଲେ ମଧ୍ୟ କେନ୍ଦ୍ରୀୟ ତାଲିକାରେ ସ୍ଥାନ ପାଇନାହାନ୍ତି । ଏହି ଅସଙ୍ଗତି କାରଣରୁ ଏହି ବର୍ଗର ଲୋକମାନେ କେନ୍ଦ୍ର ସରକାରଙ୍କ ଚାକିରି, ଶିକ୍ଷାନୁଷ୍ଠାନରେ ନାମଲେଖା ତଥା ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଓଡ଼ିଶାର ଜନସଂଖ୍ୟା ଅନୁସାରେ ଏସଇବିସି ବର୍ଗର ଲୋକମାନଙ୍କ ସଂଖ୍ୟା ଅଧିକ । ଏହି ସମ୍ପ୍ରଦାୟର ଜାତି/ଉପଜାତି/ବର୍ଗର ଲୋକମାନଙ୍କୁ କେନ୍ଦ୍ରୀୟ ତାଲିକାରେ ଅନ୍ତର୍ଭୁକ୍ତ କରାଗଲେ ସେମାନଙ୍କୁ ସମାନ ଭାବେ ସର୍ବଭାରତୀୟ ସ୍ତରରେ ସ୍ଥାନ ସଂରକ୍ଷଣ ଓ କଲ୍ୟାଣକାରୀ ଯୋଜନାର ସୁବିଧା ମିଳିପାରିବ, ଯାହା ସେମାନଙ୍କର ଆର୍ଥିକ ଓ ଶିକ୍ଷାଗତ ଅଭିବୃଦ୍ଧିରେ ସହାୟକ ହେବ ।

ଚିଠି ସହ ୧୦୮ଟି ସମ୍ପ୍ରଦାୟର ଏକ ସବିଶେଷ ତାଲିକା ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିରେ ଖଣ୍ଡାୟତ, ପ୍ରଧାନ, ଚଷା ପାଇକ, ମହାନ୍ତି, ଗଉଡ଼, ବଣିଆ, ଏବଂ ତେଲି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ସମ୍ପ୍ରଦାୟଗୁଡ଼ିକର ଶିକ୍ଷାଗତ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସୋମବାର ଧର୍ମେନ୍ଦ୍ର ପ୍ରଧାନ ଏ ସଂକ୍ରାନ୍ତରେ ତଥା ଏସଇବିସି ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି)ର ତୁରନ୍ତ ପୁନର୍ଗଠନ ପାଇଁ ଅନୁରୋଧ କରିଥିଲେ ।