ବେଆଇନ ଖଣି ଖନନର ତଦନ୍ତ ଭିଜିଲାନ୍ସ SIT ଟିମ୍ ଗଠନ, ସ୍କାନରରେ ସୁନ୍ଦରଗଡ଼

Published By : Prameya-News7 Bureau | May 24, 2025 IST

କଟକ: ବେଆଇନ ଖଣି ଖନନର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଗଠନ କଲା ସ୍ଵତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି)। ଏହି ଏସଆଇଟି ବେଆଇନ ଖଣି ଖନନ ନେଇ ତଦନ୍ତ ଆରମ୍ଭ କରିଥିବା ଭିଜିଲାନ୍ସ ସେଲ୍ ଏସପି ଏମ ରାଧାକ୍ରିଷ୍ଣ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଷ୍ଟିଲ ଏଵଂ ଖଣି ବିଭାଗର ପରାମର୍ଶ କ୍ରମେ ଏହି ଏସ୍ ଆଇ ଟି ଗଠନ କରାଯାଇଛି। ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଓ ହେମଗିରି ଅଞ୍ଚଳରେ ବେଆଇନ ଖଣି କାରବାର ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଏସ୍ ଆଇ ଟି। 

ହେମଗିରି ଅଞ୍ଚଳରେ ଵ୍ୟାପକ ବେଆଇନ କୋଇଲା ଉତ୍ତୋଳନ ଓ କୋଇଡା ତହସିଲ ଅଧିନରେ ଵ୍ୟାପକ ମାଙ୍ଗାନିଜ ଓ ଲୁହା ପଥର ଖନନ ଏଵଂ ଚୋରାଚାଲାଣ ହେଉଥିବା ନେଇ ନିର୍ଦ୍ଧିଷ୍ଟ ଅଭିଯୋଗ ମିଳିବା ପରେ ରାଜା ସରକାରଙ୍କ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିଷ୍ପତ୍ତି ନିଆଯାଇଥିଲା। 

ସୂଚନାଯୋଗ୍ୟ, ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବେଆଇନ ଖଣି ଖନନ କରି କୋଇଲା ଚୋରି କରୁଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ପ୍ରଶାସନ, ପୋଲିସ, ଖଣି ବିଭାଗ, ବନ ବିଭାଗର ମିଳିତ ଟିମ୍‌ ହେମଗିରି ଅଞ୍ଚଳରେ ଥିବା କୋଲ ୱାସରୀରେ ଚଢାଉ ହୋଇଥିଲା। ତେଲେନାଡୀହି, ରତନସରା, ଭୋଗରାକଚ୍ଛାର ସହ ୧୦ ରୁ ଅଧିକ ଜଙ୍ଗଲରେ ଗଛିତ ଥିବା ଚୋରି କୋଇଲା ସିଜ କରିଛି ଖଣି ବିଭାଗ । ହେମଗିରିର ତତ୍କାଳୀନ ତହସିଲଦାର ଲବେଣେନ୍ଦୁ ମହାନ୍ତିଙ୍କୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ ବି ଜାରି କରିଥିଲେ ।  ଯାହାର ଉତ୍ତର ରଖିଥିଲେ ତହସିଲଦାର ।  ଏହା ପୂର୍ବରୁ ତେଲେନଡିହି ଜଙ୍ଗଲରେ ବେଆଇନ କୋଇଲା ଖଣି ଠାବ ସହ କୋଇଲା ଜବତ କରିଥିଲା ଖଣି ବିଭାଗ । ଏହାପରେ ଚାଲିଥିଲା ଜୋରଦାର ତନାଘନା।  

ସେପଟେ ଏହି ମାମଲାରେ କାହାରିକୁ ଛଡା ଯିବ ନାହିଁ ବୋଲି ଏସ୍‌ଡିପିଓ ଏବଂ ଖଣି ବିଭାଗର ଡେପୁଟି ଡାଇରେକ୍ଟର କହିଥିଲେ। ଏହି ବେଆଇନ ବେଆଇନ ଖଣି ଖନନର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଉପବାଚସ୍ପତି ଭବାନୀଶଙ୍କର ଭୋଇ । ଏବେ ସୁଦ୍ଧା ୨୫୦ରୁ ଅଧିକ ଟନ୍‌ର କୋଇଲା ଜବତ କରିସାରିଲାଣି ପ୍ରଶାସନ। ତେବେ ମାଫିଆଙ୍କୁ ଧରିବାକୁ ପ୍ରଶାସନର ହାତ କେବେ ପହଞ୍ଚୁଛି ତାକୁ ଅପେକ୍ଷା କରିଛନ୍ତି ସମସ୍ତେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.