ଭିଜିଲାନ୍ସ ପଞ୍ଝାରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଚଢାଉ ବେଳେ ଘରୁ ମିଳିଲା ପୁଳା ପୁଳା ଟଙ୍କା

Published By : Prameya-News7 Bureau | April 12, 2025 IST

ମାଲକାନଗିରି ୧୨।୦୪ : ଭିଜିଲାନ୍ସ ପଞ୍ଝାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ। ଲାଞ୍ଚ ଟଙ୍କା ନେଇ ଯାଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। କାର୍ ଭିତରୁ ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ ହୋଇଛି। ଏହାସହିତ ଅଧିକ ଚଢାଉରେ ଘରୁ ମିଳିଛି ନଗଦ ୧୩ ଲକ୍ଷ ୫୦ ହଜାର ଟଙ୍କା। 

ଖବର ଅନୁଯାୟୀ, ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଇଥିବା ଖବର ପାଇ ଭିଜିଲାନ୍ସ ତାଙ୍କ ଉପରେ ନଜର କରିଥିଲା। ଶୁକ୍ରବାର ପବିତ୍ର ମୋହନ ପାଣିଗ୍ରାହୀ ତାଙ୍କ କାର୍ଯ୍ୟାଳୟରୁ ଯିବା ସମୟରେ ଭିଜିଲାନ୍ସର ଏକ ଟିମ୍ ଗୋବିନ୍ଦପଲ୍ଲୀ ଛକ ନିକଟରେ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ଯନ୍ତ୍ରୀଙ୍କ କାର୍ ଭିତରୁ ନଗଦ ୫ ଲକ୍ଷ ୭ ହଜାର ଟଙ୍କା ଜବତ ହୋଇଥିଲା। ଏନେଇ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହା ପରେ ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା। ଚଢାଉ ବେଳେ ପବିତ୍ର ମୋହନଙ୍କ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ଡମଣା ସ୍କୋୟାର, ନନ୍ଦଦେବୀ ଆପାର୍ଟମେଣ୍ଟରୁ ୧୩ ଲକ୍ଷ ୫୦ ହଜାର ଟଙ୍କା ସହ ଅନ୍ୟାନ୍ୟ ସୁନା ଗହଣା ଜବତ ହୋଇଥିଲା। ପବିତ୍ର ମୋହନ ପାଣିଗ୍ରାହୀଙ୍କ ଠାରୁ ମୋଟ ୧୮ ଲକ୍ଷ ୫୭ ହଜାର ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ଏବେ ଯନ୍ତ୍ରୀଙ୍କୁ ଅଟକ ରଖି ତନାଘନା କରୁଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.