ଭାରତରେ ହେଲାନି ବିଦେଶରେ ଥୋରିୟମରୁ ବାହାରିଲା ଆଣବିକ ଶକ୍ତି, ୭୦ ବର୍ଷ ହେଲା ଗବେଷଣା କରୁଥିଲା BARC

NEWS7
veteran-hollywood-actress-louise-fletcher-passes-away-at-88

ନୂଆଦିଲ୍ଲୀ ୫।୧: ଭାରତର ସବୁଠୁ ବଡ଼ ନ୍ୟୁକ୍ଲିୟର ମିସନ ବିଫଳ ହୋଇଛି। ଯେଉଁ ଥୋରିୟମ ରିଆକ୍ଟର ଓ ଏହାର ଇନ୍ଧନ ବିକଶିତ କରିବାର ଗବେଷଣା ବଳରେ ଭାରତ ନିଜର ଶକ୍ତି ଆବଶ୍ୟକତା ପୂରଣ ପାଇଁ ସ୍ୱପ୍ନ ଦେଖୁଥିଲା ଏହାକୁ ବିଦେଶୀ କମ୍ପାନୀ ମାତ୍ର କିଛି ବର୍ଷର ଗବେଷଣାରେ କରି ଦେଖାଇଛି। ତେବେ ଖାସ କଥା ଯାହା ତାହା ହେଉଛି ଏହି ବିଦେଶୀ କମ୍ପାନୀ ପରାମର୍ଶଦାତାଙ୍କ ମଧ୍ୟରେ ଭାରତୀୟ ମଧ୍ୟ ଅଛନ୍ତି। ଏମାନେ ଭାରତର ନ୍ୟୁକ୍ଲିୟର ମିସନରେ ବଡ଼ ବଡ଼ ଦାୟିତ୍ୱ ନିର୍ବାହ କରୁଥିଲେ।

ବିଜନେସ ୱାର୍ଲଡର ଏକ ରିପୋର୍ଟ ଅନୁସାରେ ଭାରତରେ ଥୋରିୟମ ମିସନର ଅସଫଳତା ପଛରେ ବ୍ଲୁପ୍ରିଣ୍ଟ ଚୋରି ଅଥବା ଗୋଇନ୍ଦାଗିରିର ଅଭିଯୋଗ ନାହିଁ। ତଥାପି ଏହା ଏବେ ଜାତୀୟ ରହସ୍ୟରେ ପରିଣତ ହୋଇଛି। ତେବେ ଆସନ୍ତୁ ଜାଣିବା ଥୋରିୟମ ରିଆକ୍ଟର ଭାରତ ପାଇଁ କାହିଁକି ଜରୁରି ଓ ଏହାକୁ କାହିଁକି ବଡ଼ ଅସଫଳତା ମନେ କରାଯାଉଛି?

ଭାରତ ନିଜର ପରମାଣୁ ଶକ୍ତି ପାଇଁ ୟୁରାନିୟମ ଆମଦାନୀ କରୁଛି। ହେଲେ ଭାରତରେ ପ୍ରଚୁର ପରିମାଣରେ ଥୋରିୟମ ଉପଲବ୍ଧ ଅଛି। ଏଣୁ ଭାରତ ଥୋରିୟମ ରିଆକ୍ଟର ତିଆରି କରୁଥିଲା, ଯାହାଦ୍ୱାରା ଥୋରିୟମରୁ ପରମାଣୁ ଶକ୍ତି ତିଆରି କରାଯାଇ ପାରିବ। ଏଥିରେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର (ବିଏଆରସି) ମୁଖ୍ୟ ଭୂମିକା ନିର୍ବାହ କରୁଥିଲା। ଏହା ଥୋରିୟମ କାର୍ଯ୍ୟକ୍ରମର ଐତିହାସିକ କେନ୍ଦ୍ର। ଏଠାରେ ୭୦ ବର୍ଷରୁ ଅଧିକ କାଳ ହେଲା ଏ ନେଇ ଗବେଷଣା ଚାଲି ଆସୁଛି, ଯେଉଁଥି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି।

ତେବେ ୨୦୨୫ ମସିହାରେ ଭାରତୀୟ ରିଆକ୍ଟର ନିମନ୍ତେ ବିଶ୍ୱର ପ୍ରଥମ କମର୍ସିଆଲ ଉପଯୋଗ ହୋଇପାରୁଥିବା ଥୋରିୟମ ଇନ୍ଧନ ବିଏଆରସିରୁ ବାହାରି ନାହିଁ ବରଂ ଏକ ବିଦେଶୀ ଘରୋଇ କମ୍ପାନୀରୁ ବାହାରିଛି, ଯାହା ମାତ୍ର ୮ ବର୍ଷ ପୂର୍ବେ ସ୍ଥାପିତ ହୋଇଛି। ତାହା ବି ଏପରି ଦେଶ (ଆମେରିକା)ରେ ଯେଉଁଠି ୫୦ ବର୍ଷ ହେଲା ଗବେଷଣା ବନ୍ଦ ହୋଇଯାଇଥିଲା। କ୍ଲିନ କୋର ଥୋରିୟମ ଏନାର୍ଜୀ (ସିସିଟିଇ) ନାମକ ଏକ ସ୍ୱଳ୍ପ ଜଣା କମ୍ପାନୀ ଆଡଭାନ୍ସ ନ୍ୟୁକ୍ଲିୟର ଏନର୍ଜୀ ଫର ଏନରିଚଡ ଲାଇଫ (ଏଏନଇଇଏଲ) ବାହାର କରିବାରେ ବିଶ୍ୱର ପ୍ରଥମ କମ୍ପାନୀ ପାଲଟିଛି।

ଏଏନଇଇଏଲର ଲୋକାର୍ପଣ ହୋଇଛି। ଯାହା ଭାରତର ରିଆକ୍ଟରଙ୍କ ଲାଗି ଡିଜାଇନ କରାଯାଇଥିବା ଏକ ବ୍ୟବସାୟୀକ ଉପଯୋଗ ହୋଇ ପାରୁଥିବା ଥୋରିୟମ ଆଧାରିତ ଇନ୍ଧନ। ଏହା ଏପରି ଏକ ଇନ୍ଧନ ଯାହାକୁ ଭାରତ ଦୀର୍ଘ ଦଶନ୍ଧୀ ଧରି ଅଧ୍ୟୟନ, ପରୀକ୍ଷଣ ଓ ସିଦ୍ଧାନ୍ତ ତିଆରି କରିଥିଲା। ସିସିଟିଇ-ଏଏନଇଇଏଲ ଇନ୍ଧନ ବିକଶିତ କରିଥିବା ଆମେରିକୀୟ କମ୍ପାନୀର ପରାମର୍ଶଦାତା ମଣ୍ଡଳିରେ ଡା.ଅନିଲ କାକୋଡକର ମଧ୍ୟ ଅଛନ୍ତି, ଯିଏ ଭାରତୀୟ ପରମାଣୁ ଉର୍ଜା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଥିଲେ। ସେ ଦୀର୍ଘ ସମୟରୁ ଭାରତର ଥୋରିୟମ କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ଲୋକଙ୍କ ମଧ୍ୟରେ ଅନ୍ୟତମ ଥିଲେ।

ଅନିଲ ଇନ୍ଧନର ନାମ କୋକଡକରଙ୍କ ନାମରେ ରଖା ଯାଇଛି। ଦୀର୍ଘ ଦଶନ୍ଧୀ ଧରି କୋକଡକର ନା କେବଳ ଭାରତର ଥୋରିୟମ ପ୍ରୟାସର ଭାଗିଦାର ଥିଲେ ବରଂ ଏହାର ମୁଖ୍ୟ ସଂରକ୍ଷକ ମଧ୍ୟ ଥିଲେ। ସିସିଟିଇର ସ୍ଥାପନା ୨୦୧୭ରେ ମେହୁଲ ଶାହ କରିଥିଲେ। ସେ ଏହି ସଂସ୍ଥାର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୂପେ କାମ କରୁଛନ୍ତି। ଏହାର ମୁଖ୍ୟ ରଣନୈତିକ ନିବେଶକଙ୍କ ମଧ୍ୟରେ ‘ରିନ୍ୟୁ’ର ସଂସ୍ଥାପକ ତଥା ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ୟଶବନ୍ତ ସିହ୍ନାଙ୍କ ପୁଅ ସୁମନ୍ତ ସିହ୍ନା, କଗ୍ନିଜେଣ୍ଟର ପୂର୍ବତନ ସିଇଓ ଲକ୍ଷ୍ମୀନାରାୟଣନ, ଏଚଡିଏଫସିର ପୂର୍ବତନ ଚେୟାରମ୍ୟାନ ଦୀପକ ପାରେଖ ଆଦି ଅଛନ୍ତି। ଏମ.କେ.ନାରାୟଣନ ଯିଏ ଭାରତର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଥିଲେ ସେ ମଧ୍ୟ ଏହି ବିଦେଶ ଭେଞ୍ଚର ସହ ପରାମର୍ଶଦାତା ରୂପେ ଜଡିତ ଅଛନ୍ତି।