ତିରୁପତି ୨୧।୩: ଭାରତରେ ସବୁ ରାଜ୍ୟଙ୍କ ରାଜଧାନୀରେ ତିଆରି ହେବ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାୟଡୁ ଶୁକ୍ରବାର ଏହି ଘୋଷଣା କରିଛନ୍ତି। ତେବେ ସାରା ଦେଶରେ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ନିର୍ମାଣ କେବେଠୁ ଆରମ୍ଭ ହେବ ସେ ନେଇ ମୁଖ୍ୟମନ୍ତ୍ରୀ କିଛି କହିନାହାନ୍ତି। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କ ଆଗ୍ରହ ବଢୁଥିବା ସେ କହିଛନ୍ତି। ଏହା ଉପରେ ସେ ଖୁବ୍ ଶୀଘ୍ର କାମ ଆରମ୍ଭ କରିବେ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶୁକ୍ରବାର ତିରୁପତି ତିରୁମାଲା ଦେବସ୍ଥାନମ(ଟିଟିଡି)ରେ ପୂଜା କରିଛନ୍ତି। ଏହି ଅବସରରେ ସେ ଟିଟିଡିରେ କେବଳ ହିନ୍ଦୁ କର୍ମଚାରୀଙ୍କ ନିଯୁକ୍ତି ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଏବେ ତିରୁପତି ମନ୍ଦିରରେ ଅନ୍ୟ ଧର୍ମର ଲୋକେ କାମ କରୁଛନ୍ତି ସେମାନଙ୍କ ଭାବନାକୁ ଆଘାତ ନ ଦେଇ ଅନ୍ୟ ସ୍ଥାନରେ ସେମାନଙ୍କ ନିଯୁକ୍ତି ସୁନିଶ୍ଚିତ କରାଯାଉ। ଗତମାସରେ ଟିଟିଡି ବୋର୍ଡ ଦ୍ୱାରା ସଞ୍ଚାଳିତ ଅଲଗା ଅଲଗା ଅନୁଷ୍ଠାନରେ କାମ କରୁଥିବା ୧୮ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।
"Only Hindus should be employed at the Tirumala Temple. If individuals from other religions are currently working there, they will be relocated to other places without hurting their sentiments," says Andhra Pradesh CM N Chandrababu Naidu" pic.twitter.com/GUAFPtbviK
— ANI (@ANI) March 21, 2025
ଏହି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏଥି ପାଇଁ ହୋଇଥିଲା ଯେ ସେମାନେ ହିନ୍ଦୁ ଧର୍ମର ପ୍ରଥା ଓ ପରମ୍ପରା ପାଳନ ନିମନ୍ତେ ଶପଥପାଠ କରିଥିଲେ ମଧ୍ୟ କଥିତ ରୂପେ ଇସାଇ ଧର୍ମ ପାଳନ କରୁଥିଲେ। ଏହି ସମସ୍ତ ୧୮ ଜଣ କର୍ମଚାରୀ ଇସାୟୀ ଥିଲେ। ଏମାନେ ଟିଟିଡି ସଞ୍ଚାଳିତ ବିଭିନ୍ନ ସଂସ୍ଥାନରେ ଇଞ୍ଜିନିୟର, ହେଲପର, ନର୍ସ ଓ ପାରାମେଡିକାଲ ଷ୍ଟାଫ ରୂପେ କାମ କରୁଥିଲେ। ଏଥି ପାଇଁ ଜାରି ହୋଇଥିବା ଆଦେଶରେ ସମସ୍ତ ୧୮ ଜଣ କର୍ମଚାରୀଙ୍କୁ ବୋର୍ଡ ଦ୍ୱାରା ଅନୁଷ୍ଠିତ ହେଉଥିବା ସମସ୍ତ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାରଣ କରାଯାଇଥିଲା।
ଟିଟିଡି ଟ୍ରଷ୍ଟବୋର୍ଡ ବୈଠକରେ ୧୮ ନଭେମ୍ବର ୨୦୨୪ରେ ହୋଇଥିବା ନିଷ୍ପତ୍ତି ମୁତାବକ ମନ୍ଦିର ପ୍ରଶାସନର ପୃଥକ ପୃଥକ ପଦପଦବୀରେ କାର୍ଯ୍ୟରତ ଅଣ ହିନ୍ଦୁ କର୍ମଚାରୀଙ୍କୁ ସରକାରଙ୍କୁ ସମର୍ପଣ କରିଦିଆଯିବ। ସରକାର ଏହି କର୍ମଚାରୀମାନଙ୍କୁ ଅନ୍ୟାନ୍ୟ ବିଭାଗରେ ଆଡଜଷ୍ଟ କରିବେ। ୨୦୧୮ ମସିହାର ଏକ ରିପୋର୍ଟ ଅନୁସାରେ ଟିଟିଡିରେ ହିନ୍ଦୁ ବ୍ୟାତିରେକ ଅନ୍ୟ ଧର୍ମର ଅନୁନ୍ୟ ୪୪ ଜଣ କର୍ମଚାରୀ କାମ କରୁଛନ୍ତି। ତେବେ ସେମାନେ ସିଧାଶଳକ ମନ୍ଦିର ଅଥବା ଧାର୍ମିକ କାର୍ଯ୍ୟକ୍ରମ ସହ ଜଡିତ ନାହାନ୍ତି।