ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ: ଇସଲାମାବାଦ୍‌ ନିକଟ ସେନା ବେସ୍‌ରେ ଏୟାରଷ୍ଟ୍ରାଇକ୍, ଦାବି କଲା ତାଲିବାନ

NEWS7
varun-dhawan-getting-married-natash-dalal-in-december-2019

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ଯୁଦ୍ଧ ଏବେ ଚିନ୍ତା ବଢ଼ାଇଛି । ତାଲିବାନ ଶାସିତ ଆଫଗାନିସ୍ତାନ ରକ୍ତମୁଖା ହୋଇଉଠିଛି । ପାକିସ୍ତାନ ପଟୁ ଯେକୌଣସି ଆକ୍ରମଣର ପ୍ରତିଜବାବ ଦେଉଛି ତାଲିବାନ । ଏବେ ପାକିସ୍ତାନର ରାଜଧାନୀ ଇସଲାମାବାଦକୁ ଟାର୍ଗେଟ କରିଛି ତାଲିବାନ । ଇସଲାମାବଦ ନିକଟରେ ଥିବା ପାକିସ୍ତାନର ସେନା ବେସକୁ ଟାର୍ଗେଟ କରି ଏୟାରଷ୍ଟ୍ରଇକ୍ କରାଯାଇଛି ବୋଲି ଶୁକ୍ରବାର ତାଲିବାନ ପକ୍ଷରୁ ସୂଚନା ଦିଆଯାଇଛି । ପାକିସ୍ତାନର ଆଭ୍ୟନ୍ତରୀଣ ଅଞ୍ଚଳରେ ତାଲିବାନର ମିସାଇଲ୍ ମାଡ଼ ପରେ, ଯୁଦ୍ଧର ତୀବ୍ରତା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ‘ଆଜି ପ୍ରାୟ ସକାଳ ୧୧:୦୦ ଟାରେ, ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ବାୟୁସେନା ଇସଲାମାବାଦର ଫୈଜାବାଦ ନିକଟରେ ଏକ ସାମରିକ ଶିବିର ନୌଶେରାରେ ସମନ୍ୱିତ ବିମାନ ଆକ୍ରମଣ କରିଥିଲା ।’କାବୁଲ, କାନ୍ଦାହାର ଏବଂ ପାକଟିଆର କିଛି ଅଂଶରେ ପାକିସ୍ତାନ ପକ୍ଷରୁ ବିମାନ ଆକ୍ରମଣ କରାଯିବା ପରେ ଏହି ଆକ୍ରମଣ କରାଯାଇଛି।

ଏହା ପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଘୋଷଣା କରିଥିଲେ ଯେ, ପାକିସ୍ତାନ ଆଫଗାନିସ୍ତାନ ବିରୁଦ୍ଧରେ ‘ଖୋଲା ଯୁଦ୍ଧ’ କରୁଛି । ଏକ୍ସରେ ଏକ ପୋଷ୍ଟରେ ସେ କହିଥିଲେ ଯେ, ଇସଲାମାବାଦର ଧୈର୍ଯ୍ୟ ସୀମା ଟପିଛି। ସେ ଉଲ୍ଲେଖ କରିଥିଲେ ଯେ, ନାଟୋ ସେନା ପ୍ରତ୍ୟାହାର ପରେ ପାକିସ୍ତାନ ଆଶା କରିଥିଲା ଯେ, ଆଫଗାନିସ୍ତାନରେ ଶାନ୍ତି ରହିବ ଏବଂ ତାଲିବାନ ଆଫଗାନ ଲୋକଙ୍କ ମଙ୍ଗଳ ଓ ଆଞ୍ଚଳିକ ସ୍ଥିରତାକୁ ପ୍ରାଥମିକତା ଦେବ।

ସେ ଆହୁରି କହିଥିଲେ ଯେ, ଇସଲାମାବାଦ ପ୍ରତ୍ୟକ୍ଷ ଉପାୟରେ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କ ମାଧ୍ୟମରେ ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ସମସ୍ତ ଚେଷ୍ଟା କରିଥିଲା । କିନ୍ତୁ ପାକିସ୍ତାନକୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଉଛି। ଏବେ ଏହା ଆମର ତୁମ ବିରୁଦ୍ଧରେ ଖୋଲା ଯୁଦ୍ଧ ।

ସେପଟେ ତାଲିବାନ ନାଗରିକଙ୍କ ମୌଳିକ ଅଧୀକାର ଛଡ଼ାଇ ନେଇଛି ବୋଲି ମଧ୍ୟ ଅଭିଯୋଗ କରିଥିଲେ ଖ୍ବାଜା ଆସିଫ । ଏପରିକି ଆଫଗାନିସ୍ତାନର ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି ବୋଲି ସେ କହିଥିଲେ । ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଶ କରିଛି ଇରାନ୍ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଲାଗି ମଧ୍ୟସ୍ଥତା କରିବାକୁ ମଧ୍ୟ ଇରାନ ପ୍ରସ୍ତାବ ଦେଇଛି ।