delhi air pollution: ପ୍ରଦୂଷଣ ପାଇଁ କ୍ଷମା ମାଗିଲେ ଦିଲ୍ଲୀ ସରକାର, ପୂର୍ବ ସରକାର ଉପରେ ଲଦିଲେ ଦୋଷ

NEWS7
uttarakhand-bjp-mla-pranav-singh-champion-guns-dances-bollywood-item-number-getting-viral

ନୂଆଦିଲ୍ଲୀ: delhi air pollution, ଦିଲ୍ଲୀର ବାୟୁ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଞ୍ଚିଛି। ଏନେଇ ରାଜଧାନୀ ବାସିନ୍ଦା ଚିନ୍ତା ବ୍ୟକ୍ତ କରିବା ପରେ ଲୋକଙ୍କୁ କ୍ଷମା ମାଗିଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀର ପରିବେଶ ମନ୍ତ୍ରୀ ମଞ୍ଜୀଦର ସିଂହ ସିରସା ମଙ୍ଗଳବାର ହୃଦୟରୁ ଦିଲ୍ଲୀବାସୀଙ୍କୁ କ୍ଷମା ମାଗିଛନ୍ତି। ହେଲେ ସେ ଏହାର ସମାଧାନର ବାଟ ବାହାର କରିବା ପରିବର୍ତ୍ତେ ଓଲଟି ପୂର୍ବ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି।

ପ୍ରଦୂଷଣ ନେଇ ସିରସା କହିଛନ୍ତି “ମୁଁ ଦିଲ୍ଲୀବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି। ଏବଂ ଏହା ମଧ୍ୟ କହିବାକୁ ଚାହୁଁଛି ଯେ କୌଣସି ନିର୍ବାଚିତ ସରକାରଙ୍କ ପାଇଁ ୯-୧୦ ମାସ ମଧ୍ୟରେ ପ୍ରଦୂଷଣ ସ୍ତରକୁ ସମ୍ପୂର୍ଣ୍ଣ ହ୍ରାସ କରିବା ସମ୍ଭବ ନୁହେଁ।” ଏକ ସାମ୍ବାଦିକ ସମ୍ମିଳନୀରେ ସିରସା ନିଜ ସରକାରର ବିଫଳାକୁ ଲୁଚାଇବାକୁ ଯାଇ ପ୍ରଦୂଷଣକୁ ଏକ ପାରମ୍ପରିକ ସମସ୍ୟା ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି।

ପୂର୍ବର ଆମ ଆଦମୀ ପାର୍ଟି ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି “ଆମେ ଅସାଧୁ ଆପ୍ ସରକାରଙ୍କ ଅପେକ୍ଷା ଭଲ କାମ କରୁଛୁ, ଏବଂ ଆମେ ପ୍ରତିଦିନ AQI ହ୍ରାସ କରିଛୁ। ପ୍ରଦୂଷଣର ଏହି ରୋଗ ଆମକୁ ଆପ ଦ୍ୱାରା ଦିଆଯାଇଛି, ଏବଂ ଆମେ ଏହାକୁ ସମାଧାନ କରିବା ପାଇଁ କାମ କରୁଛୁ।”

ଏହା ପୂର୍ବରୁ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆର୍ଜେଣ୍ଟିନା ଫୁଟବଲ ଷ୍ଟାର ଲିଓନେଲ ମେସିଙ୍କୁ ସ୍ୱାଗତ କରୁଥିବା ବେଳେ ଦିଲ୍ଲୀବାସୀ ପ୍ରଦୂଷଣକୁ ବିରୋଧ କରି ଏକ୍ୟୁଆଇ ଏକ୍ୟୁଆଇ ନାରା ଲଗାଇଥିଲେ। ଅରୁଣ ଜେଟଲି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଏଠାରେ ଉପସ୍ଥିତ ଥିବା ଭିଡ଼ ଏଭଳି ନାରା ଲଗାଇ ସେଲିବ୍ରେସନ ସମୟରେ ଦିଲ୍ଲୀ ସରକାରଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଥିଲେ। ଷ୍ଟାଡିୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଏହି ସ୍ଲୋଗାନ ଦିଆଯାଇଥିଲା। ଏବଂ ସେ ଯିବା ସମୟରେ ତାଙ୍କୁ ଗାଳି ମଧ୍ୟ ଦିଆଯାଇଥିଲା।

କୁହୁଡ଼ି ପରିସ୍ଥିତି ଯୋଗୁ ମେସିଙ୍କ ଚାର୍ଟର ବିମାନ ମଧ୍ୟ ବିଳମ୍ବରେ ଦିଲ୍ଲୀରେ ପହଞ୍ଚିଥିଲା। ତାଙ୍କ ବିମାନ ପ୍ରଥମେ ସକାଳ ୧୦.୪୫ ରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପ୍ରଦୂଷଣ ଯୋଗୁ ତାଙ୍କ ବିମାନ ଅପରାହ୍ନ ୨.୩୦ରେ ପହଞ୍ଚିଥିଲା। ଏବଂ ଅପରାହ୍ନ ୪.୩୦ରେ ଷ୍ଟାଡିୟମରେ ପହଞ୍ଚିଥିଲେ। ଲୋକଙ୍କ କଡ଼ା ସମାଲୋଚନା ପରେ ଦିଲ୍ଲୀ ସରକାରଙ୍କର ଏଭଳି ମନ୍ତବ୍ୟ ସାମ୍ନାକୁ ଆସିଛି।

ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜୀଦର ସିଂହ ସିରସା କହିଛନ୍ତି ଯେ ବର୍ତ୍ତମାନର ସରକାର ପ୍ରଦୂଷଣ ମୁକାବିଲା ପାଇଁ ପ୍ରତିଦିନ ପଦକ୍ଷେପ ନେଉଛନ୍ତି, ଯେଉଁଥିରେ ଲ୍ୟାଣ୍ଡଫିଲ୍ ସାଇଟ୍ର ଉଚ୍ଚତା ୧୫ ମିଟର ହ୍ରାସ କରିବା ଏବଂ ୪୫ ଏକର ଜମି ସଫା କରିବା ଏବଂ ପୁନରୁଦ୍ଧାର କରିବା ଅନ୍ତର୍ଭୁକ୍ତ ରହିଛି। ସେ ଆହୁରି କହିଛନ୍ତି ଯେ ୬୨ ଟି ପ୍ରଦୂଷଣ ହଟସ୍ପଟ୍ ଚିହ୍ନଟ କରାଯାଇଛି। ଯେଉଁଥିରୁ ୧୩ ଟି ଗତ ବର୍ଷ ତୁଳନାରେ କମ୍ ପ୍ରଦୂଷଣ ସ୍ତର ଦେଖାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ଗମନ ହ୍ରାସ କରିବାରେ ସାହାଯ୍ୟ କରିବା ପାଇଁ ୩,୪୨୭ ଟି ଇଲେକ୍ଟ୍ରିକ୍ ବସ୍ ନିୟୋଜିତ କରାଯାଇଛି।

ଦିଲ୍ଲୀ ପରିବେଶ ମନ୍ତ୍ରୀ ପୁନର୍ବାର କହିଛନ୍ତି ଯେ BS-VI ମାନଦଣ୍ଡ ତଳେ ଥିବା ଅଣଦିଲ୍ଲୀ ଘରୋଇ ଯାନଗୁଡ଼ିକର ପ୍ରବେଶ ନିଷିଦ୍ଧ କରାଯାଇଛି, ଏବଂ ଦିଲ୍ଲୀ ମଧ୍ୟରେ ନିର୍ମାଣ ସାମଗ୍ରୀର ପରିବହନ ନିଷିଦ୍ଧ କରାଯାଇଛି, ଉଲ୍ଲଂଘନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ସିରସା କହିଛନ୍ତି। ସିରସା ଆହୁରି କହିଛନ୍ତି ଯେ ବୈଧ କିମ୍ବା ଅପଡେଟ୍ ହୋଇଥିବା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିବା ଯାନଗୁଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ୍ ଦିଆଯିବ ନାହିଁ ଏବଂ କ୍ୟାମେରା ମାଧ୍ୟମରେ ଇନ୍ଧନ ଷ୍ଟେସନଗୁଡ଼ିକ ଉପରେ ନଜର ରଖାଯିବ।

ସେ ଆହୁରି କହିଛନ୍ତି ଯେ ପ୍ରଦୂଷଣ କରୁଥିବା ଶିଳ୍ପଗୁଡ଼ିକ ଉପରେ ମୋଟ ୯ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। ସିରସା କହିଛନ୍ତି ଯେ କାଠ ପୋଡ଼ିବାରୁ ନିର୍ଗମନ ହ୍ରାସ କରିବା ପାଇଁ ସରକାର ୧୦,୦୦୦ ହିଟର ବଣ୍ଟନ କରିଛନ୍ତି ଏବଂ ଡିଜେ ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ବ୍ୟାଙ୍କେଟ୍ ହଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉକି ଦିଲ୍ଲୀର ବାୟୁ ପ୍ରଦୂଷଣ ବର୍ତ୍ତମାନ ଅତି ଗମ୍ବୀର ପରିସ୍ଥିତିରେ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ମଙ୍ଗଳବାର ସକାଳ ୯ଟାରେ ସହରର AQI ୩୭୮ ଥିଲା, ଯାହା ସୋମବାର ସନ୍ଧ୍ୟାର ୪୨୭ ଠାରୁ ସାମାନ୍ୟ ଉନ୍ନତି ହୋଇଛି। ଯାହା ଗମ୍ଭୀର ପରିସର ମଧ୍ୟରେ ପଡ଼ିଛି।

also read- ​​​​​​​ ପ୍ରଦୂଷଣ ରୋକିବାକୁ ବଡ଼ ନିଷ୍ପତ୍ତି, ଦିଲ୍ଲୀରେ ୧୮ ଡିସେମ୍ବରରୁ ଏମାନଙ୍କୁ ମିଳିବନି ତେଲ