ନ୍ୟୁୟର୍କ: ନୋବେଲ ଶାନ୍ତି ପୁରସ୍କାର ପାଇବା ଦୌଡ଼ରେ ଟ୍ରମ୍ପ ପ୍ରଶାସନ ସବୁ ଜୋର ଲଗାଇ ଦେଇଛନ୍ତି। ଭାରତ ପାକିସ୍ତାନ ଯୁଦ୍ଧ ଟ୍ରମ୍ପ ବନ୍ଦ କରାଇଥିଲେ ବୋଲି କୁହାଇବାକୁ ଭାରତ ଉପରେ ପ୍ରବଳ ଚାପ ପକାଉଛନ୍ତି। ହେଲେ ଭାରତ ମଧ୍ୟ ତା ଜିଦ୍ରେ ଅଟଳ ରହିଛି।
ଭାରତକୁ ହଁରେ ହଁ ମିଶାଇବାକୁ ପୁଣିଥରେ ଉଦ୍ୟମ କରିଛି ଆମେରିକା। ଏହାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଭାରତ ପାକିସ୍ତାନ ଯୁଦ୍ଧ ବେଳେ ଆମେରିକା ଏଥିରେ ଡାଇରେକ୍ଟ ହସ୍ତକ୍ଷେପ କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ ବୋଲି ରୁବିଓ କହିଛନ୍ତି।
ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ରୋକିବାକୁ ଟ୍ରମ୍ପ ଉଦ୍ୟମ କରିଥିବା ଆମେରିକା ମେ ୧୦ ତାରିଖରୁ ଦାବି କରି ଆସୁଛି। ଯୁଦ୍ଧ ବନ୍ଦ କଲେ ଆମେରିକା ଦୁଇ ଦେଶ ସହିତ ଭଲ ଟ୍ରେଡ୍ ଡିଲ କରିବ ବୋଲି ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିବା ମଧ୍ୟ ଦାବି କରିଥିଲେ। ହେଲେ ଆମେରିକାର ଏଭଳି ଦାବିକୁ ଭାରତ ବାରମ୍ବାର ଖଣ୍ଡନ କରି ଆସିଛି। ଯୁଦ୍ଧ ବନ୍ଦ କରିବାକୁ କୌଣସି ଦେଶ ଚାପ ପକାଇ ନାହିଁ ବୋଲି ଭାରତ କହି ଆସୁଛି। ଯାହା ଟ୍ରମ୍ପଙ୍କ ନୋବେଲ ଶାନ୍ତି ପୁରସ୍କାର ପଥରେ ଅଡ଼ୁଆ ସୃଷ୍ଟି କରୁଛି।
ଭାରତ କହୁଛି ଦୁଇ ଦେଶ ମଧ୍ୟରେ ଡିଜିଏମ୍ଓ ସ୍ତରୀୟ ବୈଠକ ମାଧ୍ୟମରେ ଯୁଦ୍ଧ ବନ୍ଦ କରାଯାଇଥିଲା। ପାକିସ୍ତାନ ଡିଜିଏମ୍ଓ ଭାରତକୁ ଫୋନ୍ କରି ଅନୁରୋଧ କରିବାକୁ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଭାରତ କହୁଛି। ଏଥିରେ ଆମେରିକାର ଆଧିପତ୍ୟ ଉପରେ ଆଞ୍ଚ ଆସୁଛି। ତେଣୁ ଆମେରିକା ଭାରତ ଉପରେ ଦାଉ ସାଧୁଛି ବୋଲି କୁହାଯାଉଛି।
ଗୁରୁବାର ରୁବିଓ ଇଡବ୍ଲୁଟିଏନ୍ର ଦ ୱର୍ଲ୍ଡ ଓଭରକୁ ସାକ୍ଷାତ୍କାର ଦେଇ କହିଥିଲେ ଯେ ଶାନ୍ତିର ରାଷ୍ଟ୍ରପତି ହିସାବରେ ଟ୍ରମ୍ପ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ବଦ୍ଧ। ଯେତେବେଳେ ଆମେ ଦେଖିଲୁ ଯେ ଭାରତ-ପାକିସ୍ତାନ ଯୁଦ୍ଧମୁହାଁ ହେଉଛନ୍ତି ସେତେବେଳେ ଆମେ ସିଧାସଳଖ ଏଥିରେ ହସ୍ତକ୍ଷେପ କରିଥିଲୁ। ରାଷ୍ଟ୍ରପତି ଏଥିରେ ଶାନ୍ତି ପ୍ରତିଷ୍ଠାରେ ସଫଳ ହୋଇଥିଲେ।
କେବଳ ସେତିକି ନୁହେଁ ଅନ୍ୟ ଦେଶମାନଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ଟ୍ରମ୍ପ ଚେଷ୍ଟା କରିଛନ୍ତି ବୋଲି ରୁବିଓ କହିଥିଲେ। ସେ କହିଥିଲେ “ନିକଟରେ କାମ୍ବୋଡିଆନ ଓ ଥାଇଲାଣ୍ଡ, ଆଜାରବାଇଜାନ ଏବଂ ଆର୍ମେନିଆ, ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ ଓ ରୱାଣ୍ଡା ମଧ୍ୟରେ ଯୁଦ୍ଧ ରୋକିବାରେ ସଫଳ ହେଉଛି। ଯାହା ଦୀର୍ଘ ୩୦ ବର୍ଷ ହେଲା ଲାଗି ରହିଥିଲା, ଯେଉଁଥିରେ ୭ ମିଲିଅନ ଲୋକଙ୍କର ଜୀବନ ଯାଇଥିଲା।”
ଆମେରିକା ଏଭଳି ପଦକ୍ଷେପ ପାଇଁ ଗର୍ବ ଅନୁଭବ କରୁଛି। ଏବଂ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଆମେ ପ୍ରୟାଶ କରୁଛୁ ବୋଲି ରୁବିଓ କହିଛନ୍ତି। ଯୁଦ୍ଧ ବନ୍ଦ କରିବା ଓ ଶେଷ କରିବା ପାଇଁ ବହୁତ ସମୟ ନଷ୍ଟ କରିଛୁ ବୋଲି ରୁବିଓ କହିଛନ୍ତି। ଆମେରିକାର ବାରମ୍ବାର ଏଭଳି ଦାବିରୁ ଲାଗୁଛି ଯେ ଟ୍ରମ୍ପ ତାଙ୍କ ପ୍ରଦର୍ଶନ ବଳରେ ନୁହେଁ ବରଂ ମାଗି କିମ୍ବା କଳି କରି ନୋବେଲ ପୁରସ୍କାର ନେବାକୁ ଚାହୁଁଛନ୍ତି।