ନୂଆଦିଲ୍ଲୀ: ରୁଷ ସହ ଜାରି ଯୁଦ୍ଧ ଭିତରେ ଆମେରିକା ଓ ୟୁକ୍ରେନ ଖଣିଜ ଚୁକ୍ତି ଘୋଷଣା କରିଛନ୍ତି । ଆମେରିକାର ଟ୍ରେଜରୀ ସଚିବ ସ୍କଟ୍ ବେସେଣ୍ଟ ଏହି ବୁଝାମଣା ବାବଦରେ ଏକ୍ସରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ବୁଝାମଣା ଆମେରିକାକୁ ୟୁକ୍ରେନରେ ନିବେଶ ପାଇଁ ଅନୁମତି ଦେବ । ଏହି ବୁଝାମଣା ୟୁକ୍ରେନର ନିବେଶ ମାହୋଲକୁ ଉନ୍ନତ କରିବା ଓ କିଭ୍ର ଆର୍ଥିକ ସୁଧାରକୁ ଗତି ଦେବ ।
ଏହି ବୁଝାମଣା ସହ ୟୁକ୍ରେନର ମୂଲ୍ୟବାନ ଖଣିଜ ହାସଲ କରିପାରିବ ଆମେରିକା । ଏବେ ଦୁଇ ଦେଶ ୟୁକ୍ରେନରେ ଗଚ୍ଛିତ ଥିବା ମୂଲ୍ୟବାନ ଖଣିଜ ବାହାର କରିବା ସହ ବ୍ୟବହାର କରିପାରିବେ । ୟୁକ୍ରେନରେ ଲିଥିୟମ, ଟାଇଟେନିୟମ, ୟୁରେନିୟମ ପରି ମୂଲ୍ୟବାନ ଖଣିଜ ପଦାର୍ଥ ଗଚ୍ଛିତ ଅଛି । ଏହି ସବୁ ଖଣିଜକୁ ବ୍ୟାଟେରି, ବିମାନ ଓ ପରମାଣୁ ଉର୍ଜା ପରି ଜରୁରୀ ଉପକରଣ ନିର୍ମାଣରେ ବ୍ୟବହାର କରାଯାଇଥାଏ ।
ଚୁକ୍ତି ଅନୁସାରେ, ଦୁଇ ଦେଶ ପୁଞ୍ଜି ଏକାଠି କରିବେ ଓ ସେହି ଅର୍ଥ ରାଶିରେ ଖଣିଜ ବାହାର କରିବେ । ଏହାଦ୍ୱାରା ଆମେରିକାକୁ ଜରୁରୀ ଖଣିଜ ପଦାର୍ଥ ମିଳିବ ଓ ୟୁକ୍ରେନକୁ ପୁଞ୍ଜି ଓ ଆର୍ଥିକ ସହାୟତା ମିଳିବ । ଏହି ଚୁକ୍ତି ଜରିଆରେ ୟୁକ୍ରେନ ଭାଙ୍ଗି ପଡ଼ିଥିବା ନିଜ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଚାହୁଁଛି । ରୁଷ ସହ ଯୁଦ୍ଧ ଯୋଗୁଁ ୟୁକ୍ରେନର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଅନ୍ୟପଟେ ଆମେରିକା, ଚୀନ ପରି ଦେଶ ଉପରେ ନିର୍ଭରତା ହ୍ରାସ କରି ଏହିସବୁ ଖଣିଜରେ ଆତ୍ମନିର୍ଭର ହେବା ପାଇଁ ଚାହୁଁଛି ।
ୟୁକ୍ରେନରେ ୨୦ ରୁ ଅଧିକ ଖଣିଜ ପଦାର୍ଥର ଗଚ୍ଛିତ ଅଛି ଯାହାକୁ ଆମେରିକା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରୁଛି । ଏଥିରେ ବିମାନ ଡେଣା ତିଆରିରେ ବ୍ୟବହୃତ ଟାଇଟାନିୟମ୍, ବ୍ୟାଟେରିରେ ବ୍ୟବହୃତ ଲିଥିୟମ୍ ଏବଂ ପରମାଣୁ ଶକ୍ତି ପାଇଁ ଜରୁରୀ ୟୁରାନିୟମ୍ ସାମିଲ ରହିଛି । ଉଲ୍ଲେଖଯୋଗ୍ୟ ଯେ ଆମେରିକା ଦ୍ୱାରା ଏକ ନୂତନ ଡ୍ରାଫ୍ଟ ପଠାଯାଇଥିଲା, ଯାହାକୁ କିଛି ୟୁକ୍ରେନୀୟ ସାଂସଦ ଲିକ୍ କରିଥିଲେ । ଲିକ୍ ଡକ୍ୟୁମେଣ୍ଟ ଅନୁସାରେ, ଏହି ଡ୍ରାଫ୍ଟ କେବଳ ବିରଳ ଖଣିଜ ପଦାର୍ଥ ପର୍ଯ୍ୟନ୍ତ ସୀମିତ ନଥିଲା, ବରଂ ଏଥିରେ ଗ୍ୟାସ୍ ଏବଂ ତେଲର ଉତ୍ସ ମଧ୍ୟ ସାମିଲ ଥିଲା ।