ନୂଆଦିଲ୍ଲୀ : ଆଜି ( ୨୨ଜୁନ) ଆମେରିକାର ବୋମାବର୍ଷକ ବିମାନ ଇରାନର ସାମରିକ ଓ ପରମାଣୁ ସ୍ଥାନ ଉପରେ ହମଲା କରିଛି। ଏହା ଏକ ଜାଣିବାର ବିଷୟ ଯେ, ଗୋଟେ ସମୟ ଏମିତି ବି ଥିଲା ,ଯେବେ ଆମେରିକା ଓ ଇରାନ ପରସ୍ପରର ସହଯୋଗୀ ସାଜି ଥିଲେ। ଉଭୟଙ୍କର ବନ୍ଧୁତା ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ମଧ୍ୟ ଦେଖିବାକୁ ମିଳି ଥିଲା।
ଇଣ୍ଡିଆନ ଏକ୍ସପ୍ରେସ୍ ନିଜର ଏକ ରିପୋର୍ଟରେ ଆମେରିକାର ଡିକ୍ଲାସିଫାଇଡ୍ ଷ୍ଟେଟ୍ ଡିପାର୍ଟମେଣ୍ଟ କାଗଜପତ୍ରର ଉଦ୍ଧୃତ ଦେଇ କହିଛି ଯେ, ୯ ଡିସେମ୍ୱର ୧୯୭୧ରେ ୱାଶିଂଟନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇ ଥିଲା, ଯାହାର ଅଧ୍ୟକ୍ଷତା ତତ୍କାଳୀନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ହେନରୀ କିସିଞ୍ଜର କରି ଥିଲେ। ଏହି ସମୟରେ ଭାରତ ପାକିସ୍ତାନର କରାଚୀ ବନ୍ଦର ଉପରେ ଭୀଷଣ ହମଲା କରି ଥିଲା, ଯେଉଁଥିରେ ପଶ୍ଚିମ ପାକିସ୍ତାନର ଇନ୍ଧନ ଭଣ୍ଡାର ନଷ୍ଟ ହୋଇ ଯାଇ ଥିଲା ଏବଂ ପାକିସ୍ତାନୀ ସେନା ପାଖାପାଖି ପଙ୍ଗୁ ହୋଇ ଯାଇ ଥିଲା।
ସିଆଇଏ ନିର୍ଦ୍ଦେଶକ ରିଚର୍ଡ ହେଲମ୍ସ ବୈଠକରେ କହିଛନ୍ତି ଯେ, କରାଚୀର ତୈଳ ସଂରକ୍ଷଣ ଟ୍ୟାଙ୍କ୍ ଉପରେ ୧୨ରୁ ୧୩ଟି ହମଲା ହୋଇ ସାରିଥିଲା, ଯେଉଁଥିରେ ୮୦ ପ୍ରତିଶତ ଇନ୍ଧନ ନଷ୍ଟ ହୋଇ ଯାଇଥିଲା। ପାକିସ୍ତାନ ନିକଟରେ କେବଳ ଦୁଇ ସପ୍ତାହର ଇନ୍ଧନ ରହିଥିଲା। ଏହା ଉପରେ କିସିଞ୍ଜର ପ୍ରଶ୍ନ କରିଥିଲେ ଯେ, ତେହରାନରୁ କଣ ଫୁଏଲ ଟ୍ରାକିଂ ସମ୍ଭବ କି ? କିସିଞ୍ଜର ଓ ଆମେରିକୀୟ ଅଧିକାରୀଙ୍କ ଚର୍ଚ୍ଚା ବେଳେ ଇରାନରୁ ଇନ୍ଧନ ପଠାଇବା , ଇରାନରୁ ଲଢୁଆ ବିମାନ ଓ ପାଇଲଟ ପାକିସ୍ତାନ ପଠାଇବା ଓ ଚୀନ ଦ୍ୱାରା ଭାରତର ସୀମାରେ ସାମରିକ ଗତିବିଧି କରି ଭାରତକୁ ଭୟଭୀତ କରିବା ପାଇଁ ଚୀନର ଯୋଜନା ବିଷୟରେ ଆଲୋଚନା ହୋଇଥିଲା।
ଆମେରିକୀୟ ଅଧିକାରୀମାନେ ୮ ଡିସେମ୍ୱର ୧୯୭୧ରେ ଇରାନର ଶାହ ମହମ୍ମଦ ରଜା ପହଲଭିଙ୍କ ସହ ସାକ୍ଷାତ କରିଥିଲେ ଏବଂ ପାକିସ୍ତାନକୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଶାହ ସ୍ପଷ୍ଟ ରୂପେ ମନା କରି ଦେଇ ଥିଲେ। ସେ କହିଥିଲେ ଯେ, ଭାରତ-ସୋଭିଏତ ଚୁକ୍ତିକୁ ନଜରରେ ରଖି ପ୍ରତ୍ୟକ୍ଷ ସେନା ସହୟତା ଦେଇ ପାରିବେ ନାହିଁ। କାରଣ ଏଥିରେ ସୋଭିଏତ୍ ସଂଘ ସହ ସଂଘର୍ଷ ହୋଇପାରେ। ହେଲେ ଶାହ ବିକଳ୍ପ ପ୍ରସ୍ତାବ ଦେଇଥିଲେ ଯେ, ଜାର୍ଡନର ଏଫ୍-୧୦୪ ଫାଇଟର ବିମାନ ପାକିସ୍ତାନ ପଠାଯାଉ ଏବଂ ଇରାନ ବଦଳରେ ଜାର୍ଡନର ସୁରକ୍ଷା ପାଇଁ ନିଜର ବିମାନ ସେଠାରେ ମୁତୟନ କରୁ। ହେଲେ ଆମେରିକୀୟ ଆଇନଗତ ପ୍ରତିବନ୍ଧକ ଯୋଗୁଁ ଏହା ବି ସମ୍ଭବ ହୋଇ ପାରି ନଥିବା।