ସୁପ୍ରିମକୋର୍ଟ ଯାଇଥିଲେ ପ୍ରଶାନ୍ତ କିଶୋର, ପାଟନା ହାଇକୋର୍ଟକୁ ପଠାଇଦେଲେ CJI

NEWS7
us-issues-advisory-asks-its-citizens-to-leave-lahore-amid-ind-pak-tension--

ନୂଆଦିଲ୍ଲୀ ୬।୨: ପ୍ରଶାନ୍ତ କିଶୋରଙ୍କ ‘ଜନ ସୁରାଜ’କୁ ସୁପ୍ରିମକୋର୍ଟ ଶୁକ୍ରବାର କଡ଼ା ଭର୍ତ୍ସନା କରିଛନ୍ତି। ପାର୍ଟି ଫ୍ରିବିଜକୁ ନେଇ ବିହାର ବିଧାନସଭା ନିର୍ବାଚନ ରଦ୍ଦ କରିବା ଦାବିରେ ସୁପ୍ରିମକୋର୍ଟକୁ ଯାଇଥିଲା। ପାର୍ଟିର ଆବେଦନ ଉପରେ ସୁପ୍ରିମକୋର୍ଟ ୬ ଫେବୃଆରୀ ଶୁକ୍ରବାର ଶୁଣାଣି କରିଛନ୍ତି। ଏହି ଅବସରରେ ସିଜେଆଇ ସୂର୍ଯ୍ୟକାନ୍ତ ଜନସୁରାଜକୁ ତାଗିଦ କରିଛନ୍ତି ଓ କହିଛନ୍ତି ପରାଜିତ ପାର୍ଟି କହିବା ଅନୁସାରେ କୋର୍ଟର ଉପଯୋଗ ହୋଇ ପାରିବନି, ଆପଣ ପାଟନା ହାଇକୋର୍ଟକୁ ଫେରି ଯାଆନ୍ତୁ।

ସୁ୍ପ୍ରିମକୋର୍ଟ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପାର୍ଟିର ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜର ତର୍କ ଶୁଣିବା ପରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପାଟନା ହାଇକୋର୍ଟ ଯିବାକୁ କହିଛନ୍ତି। ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଲୋକେ ଆପଣଙ୍କୁ ରିଜେକ୍ଟ କରିଦେବା ପରେ ଆପଣ ଆଶ୍ୱସ୍ତି ପାଇବା ପାଇଁ ନ୍ୟାୟିକ ମଞ୍ଚର ବ୍ୟବହାର କରୁଛନ୍ତି କି ବୋଲି ପଚାରିଛନ୍ତି।

ଏଥିରେ ଆବେଦନକାରୀ ତର୍କ ରଖିଛନ୍ତି ଯେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁଥିବା ବେଳେ ମହିଳାମାନଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଗଲା। ଏହା ଉପରେ ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଏହି ରାଶି ମହିଳାଙ୍କ ସହାୟତା ନିମନ୍ତେ ଜାରି ପାଣ୍ଠିର ଅଂଶବିଶେଷ ଥିଲା। ପ୍ରଶାନ୍ତ କିଶୋରଙ୍କ ପାର୍ଟି ପକ୍ଷରୁ ଓକିଲ ଚନ୍ଦ୍ର ଉଦୟ ସିଂହ କହିଛନ୍ତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏଥିରେ କୋର୍ଟ ହସ୍ତକ୍ଷେପ କରି ଜବାବ ମାଗିବା ଉଚିତ। ତେବେ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ପୀଠ ସ୍ପଷ୍ଟ କରିଦେଇଛନ୍ତି ଯେ ଆମେ ନୋଟିସ୍ ଜାରି କରିପାରିବୁନି।

ଉଲ୍ଲେଖଯୋଗ୍ୟ ଯେ ଜନସୂରାଜ ପକ୍ଷରୁ ରୁଜୁ ଆବେଦନରେ ବିହାର ବିଧାନସଭା ନିର୍ବାଚନ ୨୦୨୫କୁ ଅବୈଧ ଦର୍ଶାଇ ଏହାକୁ ରଦ୍ଦ କରିବାକୁ ଦାବି କରାଯାଇଛି। ଜନସୁରାଜର ଆବେଦନରେ ୨୦୨୫ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାଜ୍ୟର ଏକ କଲ୍ୟାଣକାରୀ ଯୋଜନାର ଦୂରୁପଯୋଗ କରାଯାଇଥିବାର ଅଭିଯୋଗ କରାଯାଇଛି। ତେବେ ସୁପ୍ରିମକୋର୍ଟ କହିଛନ୍ତି ଯଦି କୌଣସି ସ୍କିମକୁ ନେଇ ଆପତ୍ତି ଥିଲା ତେବେ ଏହା ବିରୋଧରେ ଆବେଦନ କରାଯାଇ ପାରିଥାନ୍ତା। ତେବେ ଆପଣ କୌଣସି ନିର୍ବାଚନକୁ ରଦ୍ଦ କରିବାକୁ ଦାବି କରିପାରିବେନି। ଏହା ସହିତ ବେଞ୍ଚ ପ୍ରଶାନ୍ତ କିଶୋରଙ୍କ ଦଳକୁ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟକୁ ଦେଖି ଜନସୁରାଜ ପିଟିସନ ପ୍ରତ୍ୟାହାର କରିବା କଥା କହିଥିଲା, ଯାହାକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଏହା ଏକ ରାଜ୍ୟ ସମ୍ପର୍କିତ ମାମଲା, ଏଣୁ ଆପଣ ହାଇକୋର୍ଟକୁ ଯିବା ଉଚିତ। କିଛି ମାମଲାରେ ‘ଫ୍ରି ସ୍କିମ’କୁ ନେଇ ପ୍ରଶ୍ନ ଉଠାଯାଉଛି ଓ ଏହା ଉପରେ ବିଚାର କରାଯାଇ ପାରିବ। ଏଥିରେ ଜନସୁରାଜର ପକ୍ଷ ରଖୁଥିବା ଓକିଲ ଚନ୍ଦ୍ର ଉଦୟ ସିଂହ କହିଛନ୍ତି ଯେ ନିର୍ବାଚନର ଠିକ୍ ପୂର୍ବରୁ ଏପରି ଏକ ଫ୍ରି ସ୍କିମର ଘୋଷଣା କରାଗଲା ଯେଉଁଥିରେ ଭୋଟରଙ୍କ ବ୍ୟାଙ୍କ ଖାତାରେ ପଇସା ଦିଆଯିବାର ଥିଲା। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ଥିବା ବେଳେ ଏହି ଯୋଜନାରେ ଲୋକଙ୍କ ଖାତାକୁ ପଇସା ଆସିବାରେ ଲାଗିଲା। ଏଥିରେ ଭୋଟ ଦେବା ପାଇଁ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଇଥିଲା।

ଜନସୁରାଜ ନିଜ ଆବେଦନରେ ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’କୁ ନେଇ ପ୍ରଶ୍ନ ଉଠାଇଥିଲା। ଅଭିଯୋଗ ଅନୁସାରେ ନୀତିଶ ସରକାର ନିର୍ବାଚନର ଠିକ୍ ପୂର୍ବରୁ ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ, ଯାହା ଦ୍ୱାରା ଏହି ସହାୟତା ଅର୍ଥରେ ମହିଳା ନିଜର ସ୍ୱରୋଜଗାର ଆରମ୍ଭ କରିପାରିବେ। କେବଳ ଏତିକି ନୁହେଁ ଆକଳନ ପରେ ଏହି ମହିଳାମାନଙ୍କୁ ସହାୟତା ଆକାରରେ ଅତିରିକ୍ତ ୨ ଲକ୍ଷ ଟଙ୍କା ଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା। ପିଟିସନରେ କୁହାଯାଇଛି ଯେ ଏହି ସ୍କିମକୁ ଜୀବିକା ଯୋଜନା ସହ ସଂଯୁକ୍ତ କରାଯାଇଛି। ଏଥିରେ ୧ କୋଟି ମହିଳାଙ୍କ ସଦସ୍ୟତା ଥିଲା। ଏହା ପରେ କୁହାଗଲା ଯେଉଁ ମହିଳା ପଞ୍ଜିକୃତ ନାହାନ୍ତି ସେମାନେ ମଧ୍ୟ ନାମାଙ୍କନ କରିପାରିବେ। ଏହି ପରି ମହିଳାଙ୍କ ସଂଖ୍ୟା ୧.୫୬କୋଟିକୁ ପହଞ୍ଚି ଯାଇଥିଲା।

ଏହା ବି ପଢନ୍ତୁ :-ବିବାହର ମିଛ ପ୍ରତିଶ୍ରୁତି ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିପାରିବେନି ବିବାହିତା- ସୁପ୍ରିମକୋର୍ଟ