କେବଳ ଏହି ୨ ଦେଶଙ୍କୁ ଛାଡି ବନ୍ଦ ହେଲା ଅନ୍ୟ ସବୁ ଦେଶଙ୍କୁ ଆମେରିକାର ଆର୍ଥିକ ସହାୟତା

Published By : Prameya-News7 Bureau | January 25, 2025 IST

ନୂଆଦିଲ୍ଲୀ ୨୫।୧:   ଜାନୁୟାରୀ ୨୦ ତାରିଖ ଦିନ ଆମେରିକା ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ଏବେ ସାରା ବିଶ୍ୱକୁ ଚକିତ କରୁଛନ୍ତି। ଟ୍ରମ୍ପ ଗୋଟିଏ ପରେ ଗୋଟିଏ ଏପରି ନିଷ୍ପତ୍ତି ନେଉଛନ୍ତି ଯାହା ବ୍ରିଟେନରୁ ଆରମ୍ଭ କରି ଆରବ ଦେଶଙ୍କୁ ମଧ୍ୟ ଝଟକା ଦେଉଛି। ଟ୍ରମ୍ପ ଆମେରିକାର ସୁରକ୍ଷା ଓ ଅର୍ଥବ୍ୟବସ୍ଥା ନିମନ୍ତେ ନିଜ ନୀତିକୁ ନେଇ ଅତ୍ୟନ୍ତ କଠୋର ହୋଇପଡିଛନ୍ତି। ଏବେ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ଅନେକ ଦେଶଙ୍କ ନିଦ ହଜେଇ ଦେଇଛି। ସବୁ ବିଦେଶୀ କାର୍ଯ୍ୟକ୍ରମ ନିମନ୍ତେ ଦିଆଯାଉଥିବା ଆର୍ଥିକ ସହାୟତା ଆମେରିକା ବନ୍ଦ କରିଦେଇଛି। 

ସାରା ବିଶ୍ୱରେ ଥିବା ଆମେରିକୀୟ ଦୂତାବାସଙ୍କୁ ପଠାଯାଇଥିବା ଆଦେଶରେ ନୂଆ ସରକାରୀ ଖର୍ଚ୍ଚ ଉପରେ ରୋକ ଲଗାଯାଇଛି। ଆମେରିକା ବିଦେଶମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କେବଳ ମାନବିକ ଖାଦ୍ୟ କାର୍ଯ୍ୟକ୍ରମ ଓ ଇସ୍ରାଏଲ ଏବଂ ଇଜିପ୍ଟକୁ ମିଳୁଥିବା ସୈନ୍ୟ ସହାୟତା ଜାରି ରହିବ। ଏହା ଛଡା ଅନ୍ୟ ଦେଶଙ୍କୁ ମିଳୁଥିବା ଆମେରିକୀୟ ସହାୟତା ଉପରେ ରୋକ ଲଗାଇ ଦିଆଯାଇଛି। ନୂଆ ରାଷ୍ଟ୍ରପତିଙ୍କ ଏହି ଆଦେଶ ପରେ ସାରା ବିଶ୍ୱରେ ଆମେରିକା ଅନୁଦାନରେ ଚାଲୁଥିବା ଶିକ୍ଷା, ସ୍ୱାସ୍ଥ୍ୟ, ବିକାଶ, ରୋଜଗାର ପ୍ରଶିକ୍ଷଣ ଓ ଅନ୍ୟ କାର୍ଯ୍ୟ ସମ୍ପର୍କିତ ଅଗଣିତ ପ୍ରକଳ୍ପ ଏବେ ଅଟକି ଯିବାର ବିପଦ ଉପୁଜିଛି। 

କୁହାଯାଉଛି ଟ୍ରମ୍ପଙ୍କ ଏହି ପଦକ୍ଷେପ ସେହି ସବୁ ସହାୟତା କାର୍ଯ୍ୟକ୍ରମ ସମାପ୍ତ କରିଦେବ ଯାହା ଆମେରିକାର ହିତ ପାଇଁ ନୁହେଁ। ଏବେ ବିଦେଶ ମନ୍ତ୍ରାଳୟ ଏକଥାର ସମୀକ୍ଷା କରିବେ ଆମେରିକା ସହାୟତାରେ  ସାରା ବିଶ୍ୱରେ ଚାଲୁଥିବା ହଜାର ହଜାର କାର୍ଯ୍ୟକ୍ରମ ମଧ୍ୟରୁ କେଉଁ କାର୍ଯ୍ୟକ୍ରମରେ ଆମେରିକାର ସ୍ୱାର୍ଥ ନାହିଁ। ସେହି ଅନୁସାରେ ପରବର୍ତ୍ତି କାର୍ଯ୍ୟକ୍ରମ ଚଳାଇ ରଖାଯିବ। ରାଷ୍ଟ୍ରପତି ଟ୍ରମ୍ପ ଚଳିତ ସପ୍ତାହ ପ୍ରାରମ୍ଭରେ ଏହି ଆଦେଶ ଉପରେ ସ୍ୱାକ୍ଷର କରିଥିଲେ। 

ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ରୂପେ ଟ୍ରମ୍ପ ଶପଥ ନେବାର ୪ ଦିନ ମଧ୍ୟରେ ସାମରିକ ବିମାନରେ ଅବୈଧ ପ୍ରବାସୀମାନଙ୍କୁ ଦେଶରୁ ବାହାରକୁ ପଠାଇବା ଆରମ୍ଭ କରିଛନ୍ତି। ଟ୍ରମ୍ପ ଏହାକୁ ବିଶ୍ୱର ସବୁଠୁ ବଡ଼ ନିର୍ବାସନ ମିସନ ବୋଲି କହିଛନ୍ତି। ଏହା ଛଡା ଟ୍ରମ୍ପ ଆହୁରି ଅନେକ ଗୁଡିଏ ନିଷ୍ପତ୍ତି ନେଇଛନ୍ତି, ଯେଉଁଥି ପାଇଁ ସାରା ବିଶ୍ୱର ନଜର ଏବେ ଆମେରିକା ଉପରେ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.