ନୂଆଦିଲ୍ଲୀ ୨୨।୦୬ : ଇରାନ୍ ଉପରେ ଆମେରିକାର ବଡ଼ ଆକ୍ରମଣ । ଇରାନ୍ -ଇସ୍ରାଏଲ୍ ଯୁଦ୍ଧରେ ଏଣ୍ଟ୍ରି ମାରିଲା ଅମେରିକା । ଇରାନର ୩ ପରମାଣୁ ଠିକଣା ଫୋର୍ଡୋ, ନତାଂଜ ଓ ଇସ୍ଫହାନରେ ବୋମା ବର୍ଷା ହୋଇଛି । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାର ବି-୨ ବମ୍ବର ଏୟାରକ୍ରାଫ୍ଟ ବିମାନ ଇରାନରେ ତିନୋଟି ପରମାଣୁ ଆଡ୍ଡାରେ ଆକ୍ରମଣ କରିଛନ୍ତି । ବୋମା ପକାଇବା ପରେ ଆମେରିକାର ସମସ୍ତ ଯୁଦ୍ଧ ବିମାନ ଇରାନର ଆକାଶ ସୀମାରୁ ସୁରକ୍ଷିତ ବାହାରି ଯାଇଛନ୍ତି । ଫୋର୍ଡୋ ପରମାଣୁ କେନ୍ଦ୍ରରେ ବୋମା ବର୍ଷା କରାଯାଇଥିବା ଟ୍ରମ୍ପ ସୂଚନା ଦେଇଛନ୍ତି । ଭାରତୀୟ ସମୟ ଭୋର ସାଢେ ୪ଟା ସମୟରେ ଏହି ବୋମା ମାଡ଼ କରାଯାଇଛି । ଟ୍ରମ୍ପ ସୋସିଆଲ୍ ମିଡିଆରେ ଲେଖିଛନ୍ତି, ବିମାନ ଗୁଡିକ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି । ଆମେରିକୀୟ ସେନାକୁ ସେ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ବିଶ୍ବରେ ଏମିତି ଆଉ କୌଣସି ସେନା ନାହିଁ ଯିଏ ଏହା କରିପାରିବ । ଏବେ ଶାନ୍ତିର ସମୟ ବୋଲି ଟ୍ରମ୍ପ ଲେଖିଛନ୍ତି । ଅନ୍ୟ ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ଇରାନ୍ ଏବେ ଯୁଦ୍ଧ ବନ୍ଦ କରିବା ଲାଗି ସହମତ ହୋଇଯିବା ଉଚିତ । ଆଉ କିଛି ସମୟ ଭିତରେ ଟ୍ରମ୍ପ ଏନେଇ ପ୍ରେସ୍ ବ୍ରିଫିଂ କରିବେ ବୋଲି ଜଣାପଡିଛି ।
ଅନ୍ୟପଟେ ବୋମାମାଡ଼ ନେଇ ଇରାନ ପକ୍ଷରୁ ବୟାନ ଜାରି କରାଯାଇଛି । ଇରାନର ସରକାରୀ ଟିଭି ଚ୍ୟାନେଲ୍ ମୁତାବିକ, ଆମେରିକା କିଛି ସ୍ଥାନରେ ବୋମାମାଡ଼ କରିଛି । ହେଲେ ତାପୂର୍ବରୁ ଆମେ ସମସ୍ତ ପରମାଣୁ ବୋମାରେ ବ୍ୟବହୃତ ସାମଗ୍ରୀକୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଆମର କୌଣସି ବଡ଼ଧରଣର କ୍ଷତି ହୋଇନାହିଁ ।