ମସ୍କୋ ୨୩।୬: ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାକଚୀ ସୋମବାର ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଭେଟିଛନ୍ତି। ଏହି ଅବସରରେ ଇରାନ ଉପରେ ଆମେରିକାର ଆକ୍ରମଣକୁ ପୁଟିନ ନିନ୍ଦା କରିଛନ୍ତି।କହିଛନ୍ତି ଆମେରିକାର ଏପରି ଆକ୍ରମଣର କୌଣସି ଯଥାର୍ଥତା ନାହିଁ। ତେବେ ଇରାନକୁ ସବୁମନ୍ତେ ସହାତା ପାଇଁ ଋଷିଆ ପ୍ରସ୍ତୁତ ଅଛି। ଇରାନ ପରମାଣୁ କେନ୍ଦ୍ର ଉପରେ ଆମେରିକୀୟ ବମ୍ବରଙ୍କ ଆକ୍ରମଣର ଦୁଇଦିନ ପରେ ପୁଟିନ ମସ୍କୋରେ ଅରାକଚୀଙ୍କୁ ସ୍ୱାଗତ କରିଛନ୍ତି।
ପୁଟିନ ଅରାକଚୀଙ୍କୁ ଟେଲିଭିଜନରେ ଟିପ୍ପଣୀ କରି କହିଛନ୍ତି ଯେ ଇରାନ ବିରୋଧରେ ଆମେରିକା ଏପରି ଆକ୍ରମଣର କୌଣସି ଔଚିତ୍ୟ ନାହିଁ। ଏହା ଅକାରଣ ଆକ୍ରମଣ, ତେବେ ଆମେ ଆମ ତରଫରୁ ଇରାନର ଲୋକଙ୍କ ସହାୟତା ନିମନ୍ତେ ଉଦ୍ୟମ କରୁଛୁ। ଏଥିରେ ଇରାନ ବୈଦେଶିକ ମନ୍ତ୍ରୀ ଆମ ସହିତ ମସ୍କୋରେ ଉପସ୍ଥିତ ରହିବା ବାସ୍ତବିକ୍ ଉଲ୍ଲେଖନୀୟ। ବର୍ତ୍ତମାନ ପରିସ୍ଥିତିରେ କଣ କରଯାଇ ପାରିବ ଓ ଉପୁଜିଥିବା ପରିସ୍ଥିତିରୁ କିପରି ବାହାରକୁ ବାହାରି ହେବ ସେ ନେଇ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକାଠି ମିଶି ବିଚାର କରିବାକୁ ଅବସର ମିଳିବ।
ଏଥିରେ ଅରାକଚୀ କହିଛନ୍ତି ଯେ ଇରାନ ତାର ବୈଧ ଆତ୍ମରକ୍ଷା କରୁଛି ଓ ପୁଟିନ ଆମେରିକୀୟ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ସେ ଇରାନର ସର୍ବୋଚ୍ଚ ନେତା ଓ ରାଷ୍ଟ୍ରପତିଙ୍କ ପକ୍ଷରୁ ପୁଟିନଙ୍କୁ ଶୁଭକାମନା ଜଣାଇଛନ୍ତି। ଅରାକଚୀ କହିଛନ୍ତି ଯେ ଋଷିଆ ଆଜି ଇତିହାସ ଓ ଅନ୍ତର୍ଜାତୀୟ ଆଇନର ଉପଯୁକ୍ତ ପକ୍ଷରେ ଅଛି। ତେବେ ଏହା ସ୍ପଷ୍ଟ ନଥିଲା ଯେ ଇରାନ ସମର୍ଥନରେ ଋଷିଆ କଣ କରି ପାରିବ।
ପୁଟିନ ଗତ ଜାନୁୟାରୀରେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଇରାନ ସହ ଏକ ରଣନୈତିକ ବୁଝାମଣାରେ ସ୍ୱାକ୍ଷର କରିଥିଲେ। ତେବେ ଏହି ବୁଝାମଣାରେ ପାରସ୍ପରିକ ସୁରକ୍ଷା ସାମିଲ ନଥିଲା। ତେବେ ଶନିବାର ଆମେରିକା ଆକ୍ରମଣ ପୂର୍ବରୁ ପୁଟିନ ଚେତାବନୀ ଦେଇଥିଲେ ଯେ ଆମେରିକାର ସାମରିକ ହସ୍ତକ୍ଷେପ ସମ୍ପୂର୍ଣ୍ଣ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରିପାରେ। ତେବେ ଋଷିଆ ତେହେରାନର ସହାୟତା ପାଇଁ କଣ କରି ପାରିବ ବୋଲି ପଚରା ଯିବାରେ ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି ଯେ ଏହା ସେ କଥା ଉପରେ ନିର୍ଭର କରେ ଯେ ଇରାନ ଚାହୁଁଛି କଣ?
ପେସକୋଭ କହିଛନ୍ତି ଯେ ସଂକଟରେ ମଧ୍ୟସ୍ଥତା ପାଇଁ ମସ୍କୋ ଆଗକୁ ଆସିବା ନିଜକୁ ନିଜେ ଏକ ସମର୍ଥନ। ସେ କହିଛନ୍ତି ଯେ ଏହି ଯୁଦ୍ଧରେ ଏବେ ପ୍ରତିଭାଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି ଓ ଆମେ ଏହାକୁ ନିନ୍ଦା କରୁଛୁ। ଏହାଛଡା ଏହା ଦେଖିବାର କଥା ଯେ ଆକ୍ରମଣ ଯୋଗୁ ଇରାନର ପରମାଣୁ ଫ୍ୟାସେଲିଟିର କଣ ହୋଇଛି, ଏଥିରୁ ବିକିରଣର ବିପଦ ନାହିଁ ତ? ପେସକୋଭ କହିଛନ୍ତି ଯେ ଯୋଜନାବଦ୍ଧ ଆକ୍ରମଣ ନେଇ ପୁଟିନଙ୍କୁ ଟ୍ରମ୍ପ ଆଗରୁ କୌଣସି ସୂଚନା ଦେଇ ନଥିଲେ। ତେବେ ଇରାନ ବିଷୟରେ ଦୁଇ ରାଷ୍ଟ୍ରପତି ନିକଟରେ ବାରମ୍ବାର ଆଲୋଚନା କରୁଥିଲେ ବୋଲି ସେ କହିଛନ୍ତି।