ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ପରିଚାଳିତ ସିଭିଲ୍ ସର୍ଭିସେସ୍ ମେନ୍ସ ପରୀକ୍ଷା। ପରୀକ୍ଷାର୍ଥୀମାନେ ସେମାନଙ୍କର ଫଳାଫଳକୁ ଅଫିସିଆଲ୍ ୱେବସାଇଟ୍ upsc.gov.in ଏବଂ upsconline.nic.in ରେ ଦେଖିପାରିବେ। UPSC ତିନୋଟି ପର୍ଯ୍ୟାୟରେ ସିଭିଲ ସର୍ଭିସେସ୍ ପରୀକ୍ଷା କରେ। ପ୍ରଥମେ ପ୍ରିଲିମ୍, ତାପରେ ମେନ୍ ଏବଂ ଶେଷରେ ଅନ୍ତିମ ଚୟନ ତଥା ସାକ୍ଷାତକାର ହୋଇଥାଏ। ୨୦୨୪ ପାଇଁ ପ୍ରିଲିମ୍ ପରୀକ୍ଷା ଜୁନ୍ ୧୬ରେ ଅନୁଷ୍ଠିତ ହୋଇଥିଲା। ଏହି ଲିଖିତ ପରୀକ୍ଷା ସେପ୍ଟେମ୍ବର ୨୦, ୨୧, ୨୨, ୨୮ ଏବଂ ୨୯ରେ କରାଯାଇଥିଲା।
ମେନ୍ସ ପରୀକ୍ଷା କ୍ଲିଅର କରିଥିବା ପ୍ରାର୍ଥୀଙ୍କୁ ବର୍ତ୍ତମାନ ଅନ୍ତିମ ରାଉଣ୍ଡ ତଥା ସାକ୍ଷାତକାର ପାଇଁ ଡକାଯିବ। ଏହା ମାଧ୍ୟମରେ ଆୟୋଗ ପ୍ରଶାସନିକ ସ୍ତରର ୧୧୦୫ ପଦବୀ ଚୟନ କରିବେ। ଏହି ଚୟନଗୁଡିକ ଭାରତୀୟ ବୈଦେଶିକ ସେବା, ଭାରତୀୟ ପୋଲିସ ସେବା, ଭାରତୀୟ ପ୍ରଶାସନିକ ସେବା ଏବଂ ଅନ୍ୟାନ୍ୟ ବିଭାଗ ପାଇଁ ହେବ।
ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ପ୍ରାର୍ଥୀ ୧୩ ଡିସେମ୍ବରରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ଏକ ବିସ୍ତୃତ ଆବେଦନ ଫର୍ମ (DAF) ପୂରଣ କରିବେ। ସେମାନଙ୍କର ଦିଲ୍ଲୀସ୍ଥିତ ଆୟୋଗରେ ସାକ୍ଷାତକାର ନିଆଯିବ। 2024 ମସିହାରେ, UPSCର ଏହି ସମ୍ମାନଜନକ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ମୋଟ ୧୩ ଲକ୍ଷ ୪୦ ହଜାର ପ୍ରାର୍ଥୀ ପରୀକ୍ଷା ଦେଇଥିଲେ।
ଚଳିତ ବର୍ଷ ଦେଶର ୭୯ଟି କେନ୍ଦ୍ରରେ ପ୍ରିଲିମିନାରୀ କରାଯାଇଥିଲା। ପ୍ରାୟ ୧୩ ଲକ୍ଷ ପିଲାଙ୍କ ମଧ୍ୟରୁ ୧୪ ହଜାର ୬୨୭ ଦ୍ୱିତୀୟ ରାଉଣ୍ଡରେ ଅର୍ଥାତ୍ ମେନ୍ସ ଦେଇଥିଲେ। ଆଜି ମେନ୍ସ ଫଳାଫଳ ଘୋଷଣା ପରେ ଚୟନ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।