ପହିଲାରୁ ୟୁପିଆଇ ନିୟମରେ ବଡ ପରିବର୍ତ୍ତନ, ସୁରକ୍ଷିତ ହେବ ଦେଣନେଣ ପ୍ରକ୍ରିୟା

Published By : Prameya-News7 Bureau | July 26, 2025 IST

ନୂଆଦିଲ୍ଲୀ ୨୬/୦୭: ଅଗଷ୍ଟ ପହିଲାରୁ ୟୁପିଆଇ ନିୟମରେ ବଡ ପରିବର୍ତ୍ତନ । ୟୁଜରମାନଙ୍କ ପାଇଁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଦୈନିକ ଫୋନ୍‌ ପେ’, ଗୁଗୁଲ୍‌ ପେ’  କିମ୍ବା ପେଟିଏମ୍‌ ଭଳି ୟୁପିଆଇ ଆପ୍‌ରୁ ପେମେଣ୍ଟ କରୁଥିବା ୟୁଜରଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ବାଲାନ୍ସ ଚେକ୍‌ ଲିମିଟ୍‌ ଧାର୍ଯ୍ୟ କରାଯିବା ସହିତ ଟ୍ରାଞ୍ଜାକ୍‌ସନ୍‌ ଷ୍ଟାଟସ୍‌  ଚେକ୍‌ ନେଇ ବି ସୀମା ସ୍ଥିର କରାଯାଇଛି ।  ଦିନକୁ ବାଲାନ୍ସ ଚେକ୍‌ କରିବାର ଲିମିଟ୍‌ ୫୦ ରହିବ । ଏହିଭଳି ଆହୁରି ଅନେକ  କିଛି ପରିବର୍ତ୍ତନ ଆସୁଛି ।  

ନ୍ୟାସ୍‌ନାଲ ପେମେଣ୍ଟ୍‌ସ  କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ ଅର୍ଥାତ୍‌ ଏନ୍‌ପିସିଆଇ ୟୁପିଆଇକୁ ଅଧିକ ଦ୍ରୁତ,  ସୁରକ୍ଷିତ ଏବଂ ଭରସାଯୋଗ୍ୟ କରିବା ପାଇଁ ଏହି ନୂଆ ନିୟମ ଲାଗୁ କରିବାକୁ  ଯାଉଛି । ଏହି ପରିବର୍ତ୍ତନର ପ୍ରଭାବ  ଲୋକଙ୍କ ଦୈନନ୍ଦିନ ଡିଜିଟାଲ ପେମେଣ୍ଟ  ଉପରେ ପଡ଼ିବ । ଭାରତରେ ପ୍ରତି ମାସ ୟୁପିଆଇ  ମାଧ୍ୟମରେ ୧୬୦୦ କୋଟିରୁ ଊଦ୍ଧ୍ୱର୍  ଟ୍ରାଞ୍ଜାକ୍‌ସନ ହୋଇଥାଏ । କିନ୍ତୁ ଅନେକ ଥର  ସର୍ଭରରେ ସମସ୍ୟା ତଥା ପେମେଣ୍ଟରେ  ବିଳମ୍ବ ହେଉଥିବାର ଅଭିଯୋଗ ଆସେ ।  

ଏହି ସମସ୍ୟାଗୁଡ଼ିକୁ କମ୍‌ କରିବା ପାଇଁ ଏନ୍‌ପିସିଆଇ ୟୁପିଆଇ ନିୟମରେ ୭ଟି  ବଡ଼ ପରିବର୍ତ୍ତନ ଆଣିଛି ।  ପ୍ରଥମ ପରିବର୍ତ୍ତନ ହେଉଛି  ବାଲାନ୍ସ ଚେକ୍‌ କରିବାର ଲିମିଟ୍‌ । ଏବେ  ୟୁଜର ଦିନକରେ ନିଜ ୟୁପିଆଇ ଆପ୍‌  ଜରିଆରେ ମାତ୍ର ୫୦ ଥର ବାଲାନ୍ସ  ଚେକ୍‌ କରିପାରିବେ । ବାରମ୍ବାର ବାଲାନ୍ସ  ଚେକ୍‌ କରିବା ଦ୍ୱାରା ସର୍ଭର ଉପରେ  ଚାପ ପଡ଼ିଥାଏ, ଯାହାଦ୍ୱାରା ଟ୍ରାଞ୍ଜାକ୍‌ସନ  ଧୀମା ହୋଇଯାଏ । ତେଣୁ ଏହି ନିୟମ  ଅଣାଯାଇଛି । ଉପଭୋକ୍ତା ନିଜ ମୋବାଇଲ ନମ୍ବର ସହ ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଦୈନିକ ମାତ୍ର ୨୫ ଥର  ଚେକ୍‌ କରିପାରିବେ । 

ଏହାଦ୍ୱାରା ସିଷ୍ଟମ୍‌ରେ  ଅନାବଶ୍ୟକ ଚାପ କମ୍‌ ହେବ ଏବଂ ଜାଲିଆତି ଆଶଙ୍କା ବି ହ୍ରାସ ପାଇବ । ଅଟୋପେ’ ଟ୍ରାଞ୍ଜାକସନ୍‌ ଯେପରି ନେଟ୍‌ଫ୍ଲିକ୍ସ କିମ୍ବା ମ୍ୟୁଚୁଆଲ ଫଣ୍ଡ୍‌ କିସ୍ତି  ଏବେ ୩ଟି ଟାଇମ୍‌ ସ୍ଲଟ୍‌ରେ ପ୍ରୋସେସ୍‌  ହେବ । ଏହି ସମୟ ହେଲା ସକାଳ ୧୦ଟା  ପୂର୍ବରୁ, ଅପରାହ୍ନ ୧ରୁ ୫ଟା ଏବଂ ରାତି ୯  ଟା ୩୦ ପରେ । ଏହାଦ୍ୱାରା ଭିଡ଼ ରହୁଥିବା ସମୟରେ ସର୍ଭର ଉପରେ ଚାପ କମ୍‌  ହେବ । ଚତୁର୍ଥ ପରିବର୍ତ୍ତନ ହେଉଛି,  ଟ୍ରାଞ୍ଜାକ୍‌ସନ ଷ୍ଟାଟସ୍‌ ଚେକ୍‌ କରିବାର  ସୀମା । 

ଏବେ ଉପଭୋକ୍ତା କୌଣସି ବିଫଳ  ଟ୍ରାଞ୍ଜାକ୍‌ସନ୍‌ର ଷ୍ଟାଟସ୍‌ ଦିନରେ କେବଳ ୩  ଥର ଚେକ୍‌ କରିପାରିବେ ଏବଂ ପ୍ରତିଟି  ଚେକ୍‌ ମଧ୍ୟରେ ୯୦ ସେକେଣ୍ଡର ଗ୍ୟାପ୍‌  ରହିବା ଜରୁରୀ । ବାରମ୍ବାର ଷ୍ଟାଟସ ଦେଖିବା  ଦ୍ୱାରା ସିଷ୍ଟମ୍‌ ଧୀମା ହୋଇଥାଏ ।  ୩୦ ଜୁନ୍‌ ପୂର୍ବରୁ ଏକ ନିୟମ ଲାଗୁ  ହୋଇଛି, ଯାହା ଅନ୍ତର୍ଗତ ପେମେଣ୍ଟ କରିବା  ପୂର୍ବରୁ ହିଁ ରିସିଭର୍‌ଙ୍କ ପଞ୍ଜୀକୃତ ବ୍ୟାଙ୍କ  ନେମ୍‌ ଦେଖିବାକୁ ମିଳିବ । ଏହାଦ୍ୱାରା  ଭୁଲ ଆକାଉଣ୍ଟରେ ଟଙ୍କା ଚାଲିଯିବାର  ଭୟ ରହିବ ନାହିଁ ଏବଂ ଜାଲିଆତି ଆଶଙ୍କା କମିବ । 

ଚାର୍ଜବ୍ୟାକ୍‌ ତଥା ପେମେଣ୍ଟ  ରିଭର୍ସାଲ ଲିମିଟ୍‌ ଧାର୍ଯ୍ୟ କରାଯାଇଛି ।  ୩୦ ଦିନରେ ୧୦ ଥର ଏବଂ କୌଣସି  ଜଣେ ବ୍ୟକ୍ତି କିମ୍ବା ସଂସ୍ଥାରୁ ୫ ଥର ହିଁ  ଚାର୍ଜବ୍ୟାକ୍‌ ମାଗିପାରିବେ । ଏହାବ୍ୟତୀତ ଏନ୍‌ପିସିଆଇ ବ୍ୟାଙ୍କ  ଏବଂ ଆପ୍‌ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଯେ,  ସେମାନେ ୟୁପିଆଇ ବ୍ୟବହାରକୁ ଅନୁଧ୍ୟାନ  କରନ୍ତୁ । ଯାହାଦ୍ୱାରା ସିଷ୍ଟମ୍‌ରେ ହେରଫେର  ହେବ ନାହିଁ ।  ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ୟୁପିଆଇକୁ ଆହୁରି ଅଧିକ ଉନ୍ନତ  କରିବା । 

ବାରମ୍ବାର ବାଲାନ୍ସ ଚେକ୍‌ କରିବା  କିମ୍ବା ଷ୍ଟାଟସ୍‌ ରିଫ୍ରେସ୍‌ କରିବାର ଅଭ୍ୟାସ  ଛାଡ଼ିବେ ୟୁଜର । ଅଟୋପେ’ ପାଇଁ  ନନ୍‌-ପିକ୍‌ ସମୟକୁ ଧ୍ୟାନରେ ରଖି ଏବଂ  ପେମେଣ୍ଟ ପୂର୍ବରୁ ରିସିଭର୍‌ଙ୍କ ନାଁ ଦେଖିବା  ପାଇଁ ୟୁଜରଙ୍କୁ ଆହ୍ୱାନ ଦିଆଯାଇଛି । ଏ  ନିୟମ ସିଷ୍ଟମ୍‌କୁ ଦ୍ରୁତ ଏବଂ ସୁରକ୍ଷିତ  କରିବ, ଯାହାଦ୍ୱାରା ୟୁଜର ନିର୍ବିଘ୍ନରେ  ଡିଜିଟାଲ ପେମେଣ୍ଟ କରିପାରିବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.