LIVE TV

‘ସିକ୍ରେଟ୍ ଡିଲ୍’:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ କ’ଣ କହିଲେ ଡିକେ ଶିବକୁମାର ?

NEWS7
up-yamuna-express-way-series-accident-due-to-fog

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିରେ ହାଇଡ୍ରାମା ଜାରି ରହିଛି । କଂଗ୍ରେସ ସରକାରକୁ ଅଢ଼େଇ ବର୍ଷ ବିତିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ ଦାବି ଜୋର ଧରିଛି । ନିର୍ବାଚନ ବେଳେ ଅଢ଼େଇ ବର୍ଷୀୟା ମୁଖ୍ୟମନ୍ତ୍ରୀ ନେଇ ଦଳ ଭିତରେ ସହମତି ହୋଇଥିଲା। କିନ୍ତୁ ସିଦ୍ଦରମୈୟା ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବେ ବୋଲି କହି ଆସିଛନ୍ତି । ସେପଟେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି । ବାକି ଅଢ଼େଇ ବର୍ଷ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । କିନ୍ତୁ ଏହାରି ମଧ୍ୟରେ ରାଜ୍ୟର ଗୃହମନ୍ତ୍ରୀ ଜି ପରମେଶ୍ବର ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଚୌକିରେ ବସିବାକୁ ଆଶା ରଖିଛନ୍ତି ବୋଲି ଖୋଲାଖୋଲି କହିବା ପରେ ମାମଲା ବିଗିଡ଼ିଯାଇଛି ।

କଂଗ୍ରେସ ନେତା ଏବଂ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ନେତୃତ୍ବ ପରିବର୍ତ୍ତନ ନେଇ ସାର୍ବଜନୀନ ଭାବରେ କିଛି କହିବାକୁ ମନା କରି ଦେଇଛନ୍ତି । ମଙ୍ଗଳବାର ଗଣମାଧ୍ୟମକୁ ଏନେଇ ସେ କିଛି କହିନାହାଁନ୍ତି । କିନ୍ତୁ ୫-୬ ଜଣ ନେତାଙ୍କ ମଧ୍ୟରେ ଏକ ସିକ୍ରେଟ୍ ଡିଲ୍ ହୋଇଛି ବୋଲି ସେ କହିଛନ୍ତି । କର୍ଣ୍ଣାଟକ କଂଗ୍ରେସ ସଭାପତି ଶିବକୁମାର କହିଛନ୍ତି ଯେ, ସାର୍ବାଜନୀନ ଭାବରେ କୌଣସି ମନ୍ତବ୍ୟ ଦେଇ ସର୍ବ ପୂରାତନ ଦଳକୁ ନିନ୍ଦିତ କରିହେବନି । ସେ କହିଛନ୍ତି ଯେ, ‘ମୁଁ ଜାଣିନାହିଁ । ମୋତେ ମୁଖ୍ୟମନ୍ତ୍ରୀ କରାଯିବାକୁ କୁହାଯାଇ ନାହିଁ । ଆମ ୫-୬ ଜଣଙ୍କ ଭିତରେ ସିକ୍ରେଟ୍ ଡିଲ୍ ହୋଇଛି । ଏହା ଉପରେ ସାର୍ବାଜନୀନ ଭାବରେ କହିବାକୁ ଚାହୁଁନାହିଁ। ମୁଁ ମୋ ଅନ୍ତର ଆତ୍ମାକୁ ଜାଣିଛି । ଦଳକୁ ନିନ୍ଦିତ କରିବାକୁ କିମ୍ବା କମଜୋର କରିବାକୁ ଚାହୁଁନାହିଁ । ଯଦି ଦଳ ଅଛି, କାର୍ଯ୍ୟକର୍ତ୍ତା ଅଛନ୍ତି,ତେବେ ଆମେ ଅଛୁ ।’ ଆଜି ଶିବକୁମାର ନିଜ ନିର୍ବାଚନ ମଣ୍ଡଳୀ କନକପୁରା ଗସ୍ତ କରିଥିଲେ ।

ସେ ଆହୁରି କହିଛନ୍ତି, ‘ମୁଖ୍ୟମନ୍ତ୍ରୀ (ସିଦ୍ଦରମୈୟା) କହୁଛନ୍ତି ସେ ବରିଷ୍ଠ ନେତା । ଦଳ ପାଇଁ ସେ ବଡ଼ ସଂପତ୍ତି । ସେ ୭.୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେଣି ।’ ୨୦୧୩-୨୦୧୮ ମୁଖ୍ୟମନ୍ତ୍ରୀ ଥିଲେ ସିଦ୍ଦରମୈୟା । ସେପଟେ ତାଙ୍କ ସମର୍ଥନରେ ଥିବା ବିଧାୟକମାନେ ଦିଲ୍ଲୀରେ ପାର୍ଟି ହାଇକମାଣ୍ଡକୁ ଭେଟିଥିଲେ କି ପ୍ରଶ୍ନରେ, ଶିବକୁମାର କହିଛନ୍ତି ସେ କିଛି ଜାଣିନାହାନ୍ତି । ସେ କହିଛନ୍ତି, ବୋଧହୁଏ ସେମାନେ ନିଜ ନିଜର ମନ୍ତ୍ରୀ ପଦ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି । ମୁଁ କାହାକୁ କଲ କରିନାହିଁ କିମ୍ବା ଦିଲ୍ଲୀ ଯିବାକୁ କହିନାହିଁ । ସେମାନେ କାହିଁକି ଯାଇଥିଲେ ସେନେଇ ମଧ୍ୟ ଜାଣିବା ଜରୁରୀ ନୁହେଁ ।

ଦଳୀୟ ସୂତ୍ର ଅନୁସାରେ, ୬ ଜଣ ବିଧାୟକ ନଭେମ୍ବର ୨୩ରେ ଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କୁ ଭେଟି ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଦାବି ରଖିଥିଲେ । ପରେ ଅନ୍ୟ କେତେ ଜଣ ବିଧାୟକ ମଧ୍ୟ ଏଭଳି କରିପାରନ୍ତି । ଗତ ସପ୍ତାହରେ ସମାନ ଦାବି ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଥିଲେ ୧୦ ଜଣ ବିଧାୟକ ।ଅନ୍ୟପଟେ ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।