ନୂଆଦିଲ୍ଲୀ: ହୋଲି ପାଇଁ ଉତ୍ତର ପ୍ରଦେଶରେ ହାଇ-ଆଲର୍ଟ ଜାରି । ହୋଲି ଏବଂ ଜୁମା ନମାଜ ଗୋଟିଏ ଦିନ ପଡ଼ୁଥିବାରୁ ପୋଲିସ ପ୍ରଶାସନ ସତର୍କ ହୋଇଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ହାଇ-ଆଲର୍ଟ ଜାରି କରିଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ଜିଲ୍ଲାରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସହିତ ଅପରାଧିକ ତତ୍ତ୍ବ ଉପରେ କଡ଼ା ନଜର ରଖିବାକୁ ଡିଜିପିଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ୟୁପି ପୋଲିସ ଡିଜି ପ୍ରଶାନ୍ତ କୁମାର କହିଛନ୍ତି, କୌଣସି ବି ସ୍ଥାନରେ ନୂଆ ପରମ୍ପରା ଆରମ୍ଭ ପାଇଁ ଅନୁମତି ଦିଆଯାଇନାହିଁ । ସେହିପରି ଇଣ୍ଟରନେଟ୍ ଓ ସମସ୍ତ ସୋସିଆଲ୍ ମିଡିଓ ପ୍ଲାଟଫର୍ମ ପୋଲିସ ନଜରରେ ରହିଛି ।
ରାଜ୍ୟର ସମ୍ବେଦନଶୀଳ ଜିଲ୍ଲା ମଧ୍ୟରେ ଶାହଜହାଁପୁର, ମିରଟ, ସାହରନପୁର, ଆଲ୍ଲିଗଡ଼ ରହିଛି । ସେହିପରି ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ମଧ୍ୟ ବିଶେଷ ସତର୍କତା ଜାରି କରାଯାଇଛି । ପ୍ରମୁଖ ସ୍ଥାନରୁ ବାହାରୁ ଥିବା ହୋଲି ସମାରୋହ ସମୟରେ ସ୍ବତନ୍ତ୍ର ପୋଲିସ ବଳ ଉପସ୍ଥିତ ରହିବ । ସାଧା ପୋଷାକରେ ଏଟିଏସ ଏବଂ ଏଟିଏଫର କମାଣ୍ଡୋ ମୁତୟନ ହେବେ । ଏହା ସହିତ ଜୁମା ନମାଜ ବେଳେ ଚେକିଂ ବ୍ଲକିଂ ମଧ୍ୟ ବଢ଼ିବ । ଏନେଇ ରାଜ୍ୟର ଡିଜି ପୋଲିସ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ହିନ୍ଦୁ ଓ ମୁସଲିମ୍ ରହୁଥିବା ସ୍ଥାନରେ ହୋଲିକା ଦହନ ବେଳେ ଅତିରିକ୍ତ ସୁରକ୍ଷାବଳ ମୁତୟନ ହେବେ । ଉତ୍ତର ପ୍ରଦେଶ ପୋଲିସ ମୁଖ୍ୟାଳୟ ଅନୁଯାୟୀ, ହୋଲି ଦିନ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ୬୦ କମ୍ପାନି ଅତିରିକ୍ତ ପିଏସି ମଧ୍ୟ ମୁତୟନ ହେବେ । କାଶି, ମଥୁରା, ଅଯୋଧ୍ୟା ଏବଂ ଅନ୍ୟ ଧର୍ମିକସ୍ଥଳରେ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତକୁ ସୁନିଶ୍ଚିତ କରାଯାଇଛି । ସେହିପରି ହୋଲି ସମାବେଶ ମାର୍ଗ ଡ୍ରୋନ୍ କ୍ୟାମେରା ନଜରରେ ରହିବ ବୋଲି କୁହାଯାଇଛି । ଚଳିତ ଥର ହୋଲି ପଡ଼ୁଥିବା ଦିନରେ ଜୁମା ନମାଜ ରହିଥିବାରୁ ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି ।