ମହାପ୍ରଭୁଙ୍କ ୩ ରଥ ଯେତିକି ଆକର୍ଷଣୀୟ, ନିର୍ମାଣ ଶୈଳୀ ସେତିକି ନିଆରା

Published By : Prameya-News7 Bureau | May 24, 2025 IST

ପୁରୀ ୨୪/୦୫: ଆସୁଛି ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା । ନୀଳକନ୍ଦର ଛାଡି ଭକ୍ତମେଳକୁ ଓହ୍ଲାଇ ଆସିବେ ନୀଳମଣି ।ମହାପ୍ରଭୁ ଶ୍ରୀ ଜଗନ୍ନାଥ,ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା   ୩ରଥରେ୦ ବିରାଜମାନ କରି ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯିବେ ।  ବଡଦାଣ୍ଡରେ ଲହଡି ଭାଙ୍ଗିବ ଜନ ସମୁଦ୍ର । ତେବେ ମହାପ୍ରଭୁଙ୍କ ଏହି ୩ ରଥ  ଯେତିକି ଆକର୍ଷଣୀୟ  ଏହାର ନିର୍ମାଣ ଶୈଳୀ ମଧ୍ୟ ସେତିକି ନିଆରା। ବିନା କୌଣସି ଆଧୁନିକ ମାପଚୁପରେ କାହିଁ କେଉଁ କାଳରୁ ମାତ୍ର ୨୦ ଇଞ୍ଚର ହାତ କାଠିରେ ନିର୍ମାଣ ହୋଇଆସୁଛି ଏହି ବିଶାଳ ରଥ। ତେବେ ଏହି ହାତକାଠିରେ କିଭଳି ହୁଏ ରଥ ନିର୍ମାଣ ଏବଂ କ'ଣ ରହିଛି ଏହାର ଭୂମିକା ।

ଚଳଚଞ୍ଚଳ ରଥଖଳା। ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ବିଶ୍ଵକର୍ମା ମହାରଣା। ରଥ ପାଇଁ ପାରମ୍ପରିକ ନିର୍ମାଣକାରୀ ସାମଗ୍ରୀ ନିହାଣ, ମୁଗୁର, ବାରିସୀରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ମହାପ୍ରଭୁଙ୍କ ବିଶାଳ ରଥ ନିର୍ମାଣରେ ଏହି ଛୋଟିଆ ୨୦ ଇଞ୍ଚ ହାତ କାଠିରେ ମାପ ନିଆଯାଇ ତିଆରି କରାଯାଉଛି। ବିନା କୌଣସି ଆଧୁନିକ ଯନ୍ତ୍ରପାତିରେ ମାପଚୁପ କରାନଯାଇ କେଉଁ ଆବାହମାନ କାଳରୁ ଏହି ୨୦ ଇଞ୍ଚ ହାତକାଠି ସାହାଯ୍ୟରେ ମହାପ୍ରଭୁଙ୍କ ତିନି ରଥ ତିଆରି ହୋଇଆସୁଛି। ଏହି ହାତକାଠିରେ ରଥ ନିର୍ମାଣ କରାଯାଉଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ। ସେପଟେ ବିଶ୍ଵକର୍ମା ମହାରଣାଙ୍କ କହିବାକଥା ରଥ ନିର୍ମାଣ କାର୍ଯ୍ୟ ସ୍ବୟଂ ମହାପ୍ରଭୁ ନିଜେ ହିଁ କରିଥାନ୍ତି। ଆମେ ସବୁ ନିମିତ ମାତ୍ର। 

ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ତିନି ରଥ ପାଇଁ ବିଶ୍ବକର୍ମା ମହାରଣାଙ୍କ ପାଖରେ ରହିଛି ତିନୋଟି ହାତ କାଠି। ଏହାର ଅନ୍ୟ ଏକ ନାମ କୁହୁକ ବାଡ଼ି। ହିତ କାଠି ବା କୁହୁକ ବାଡ଼ିର ନିର୍ଦ୍ଦେଶର ହିଁ ତିନୋଟି ବିଶାଳକାୟ ରଥ ନିର୍ମାଣ ହେଉଛି। ହାତକାଠିରେ ରହିଛି ଆଙ୍ଗୁଳି ସହ ଟିପ ଓ ନଖ ଚିହ୍ନ। ଏଥିରେ ଲୁଚିରହିଛି ରଥ ନିର୍ମାଣର ପୁରା କୌଶଳ। ଚକର ତୁମ୍ବ ଅନୁକୂଳ ଠାରୁ ଆରମ୍ଭ କରି ଅଖ, ଦଣ୍ଡା, ନିରାଡି, ପାର୍ଶ୍ବ ମୁଂହାଟ, ଚକ, ଅଖ ପର୍ଯ୍ୟନ୍ତ ସବୁକିଛି ଏହି ହାତକାଠି ମାପରେ ହିଁ ନିର୍ମାଣ ହୋଇଥାଏ‌। ଏହି ହାତକାଠିର ଯାଦୁଗାରୀ ଶକ୍ତିରେ ରଥର‌ ଚକ ଠାରୁ ଦଧିନଉତି ପର୍ଯ୍ୟନ୍ତ ତିଆରି ହୋଇଥାଏ। ବିଶ୍ଵକର୍ମା ମହାରଣାଙ୍କ କହିବାକଥା ରଥ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଏହି ହାତକାଠି ନିର୍ଦ୍ଦେଶରେ ସବୁକିଛି ସମ୍ପନ୍ନ ହୋଇଥାଏ। 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.