ଯାଜପୁର ୧୨/୬ : ଆପଣ ଅନେକ ବାହାଘର ଦେଖିଥିବେ । ବାହାଘର ପ୍ରୋସେସନ ବି ଆଟେଣ୍ଡ କରିଥିବେ । ବାହାଘର ମାନେ ସୁନ୍ଦର ମଣ୍ଡପ ସଜା, ବାଜା ବାଣ ଡିଜେର ତାଳେ ତାଳେ ବରଯାତ୍ରୀଙ୍କ ଡ୍ୟାନ୍ସ ଆଖି ସାମ୍ନାକୁ ଚାଲିଆସିବ। । ହେଲେ ଆମେ ଯେଉଁ ବାହାଘର କଥା କହୁଛୁ ସେଇଟା ସବୁଠୁ ଅଲଗା । ଏଠି ବର କନ୍ୟା ଦେଇଛନ୍ତି ସମାଜକୁ ବାର୍ତ୍ତା । ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀ ମହାବିନାୟକ ପୀଠରେ ଏମିତି ଏକ ନିଆରା ଢଙ୍ଗରେ ବାହାଘର ହୋଇଛି ତାକୁ ନେଇ ସବୁଠି ଚର୍ଚ୍ଚା ।
ଏଠି ବାଲିଚନ୍ଦ୍ରପୁର ବାହାଦୁର ନଗରର ଶିବପ୍ରସାଦ ସାମଲ ଓ ଅରେଇକଣାର ଶୁଭଶ୍ରୀ ପରିଡାଙ୍କୁ ବର କନିଆ ବେଶରେ ଦେଖିବାକୁ ମିଳିଥିଲା । କିନ୍ତୁ ସବୁ ବାହାଘର ଠାରୁ ଏ ବାହାଘର ଥିଲା ପୁରା ଅଲଗା । ଏଠି ବାଜା,ବାଣ ଡିଜେର ତାଳେ ତାଳେ ମଡର୍ଣ୍ଣ ଡ୍ୟାନ୍ସ ଦେଖିବାକୁ ମିଳିନଥିଲା । ଘଣ୍ଟ,ଘଣ୍ଟା,ଶଙ୍ଖ,ସଂକୀର୍ତ୍ତନରେ ପ୍ରୋସେସନ କରି ବିବାହ ମଣ୍ଡପକୁ ଏଣ୍ଟ୍ରି କରିଥିଲା ବର । ପ୍ରସେସନରେ କିଛି କିନ୍ନର ସାମିଲ ହୋଇ ହୁଳହୁଳି ପକାଉଥିବାର ଦେଖିବାକୁ ମିଳିଥିଲା ।
ସେହିପରି ବାହାଘରକୁ ନିମନ୍ତ୍ରଣ ପାଇ ଆସିଥିବା ଅତିଥି ମାନଙ୍କୁ ନଡିଆ, ଗୁଆ ଗଛ ପରି ବିଭିନ୍ନ ପ୍ରକାରର ଗଛ ଦେଇ ଦିଆଯାଇଥିଲା । ବୃକ୍ଷ ହସିଲେ ଦୁନିଆ ହସିବ । ବୃକ୍ଷ ବଞ୍ଚିଲେ ସମାଜ ବଞ୍ଚିବ । ବୃକ୍ଷ ରୋପଣ କରି ଏକ ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ କରନ୍ତୁ । ପୁରା ସମାଜକୁ ଏପରି ବାର୍ତ୍ତା ଦେଇଛନ୍ତି ବର କନ୍ୟା ଶିବ ଓ ଶୁଭଶ୍ରୀ । ସେହିପରି ବାହାଘରରେ ଅତିଥିଙ୍କ ଠାରୁ ମିଳିଥିବା ଅର୍ଥକୁ ବରକନ୍ୟା କ୍ୟାନ୍ସର ରୋଗୀଙ୍କୁ ଦାନ କରିଦେଇଥିବା ଜଣାପଡିଛି । ଶିବ ଓ ଶୁଭଶ୍ରୀଙ୍କ ଏପରି ନିଆରା ବାହାଘର କଥା ଯିଏ ଦେଖୁଛି ଓ ଶୁଣୁଛି ପ୍ରଶଂସା କରି ରହିପାରୁନି ।