କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇଦିନିଆ ଗଞ୍ଜାମ ଗସ୍ତ, ଜିଲ୍ଲାର ବିକାଶ ପାଇଁ ଏକାଠି ହେବାକୁ ଦେଲେ ଆହ୍ବାନ

Published By : Prameya-News7 Bureau | August 10, 2025 IST

ବ୍ରହ୍ମପୁର: ରବିବାର ଥିଲା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗସ୍ତର ଥିଲା ଦ୍ଵିତୀୟ ଦିନ।  ଦ୍ଵିତୀୟ ଦିନରେ ଆଇଆରଆଇ ଠାରେ ଲୁଣି ପାଣିରୁ ମଧୁର ଜଳ ପ୍ରକଳ୍ପକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ। ପରେ ଛତ୍ରପୁରରେ ଅନୁଷ୍ଠିତ ଗରୀବ କଲ୍ୟାଣ ଓ ବିକାଶ ସମାବେଶରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ । ବିଜେଡି ଠାରୁ ଲେଖାଛିଡ଼ାଇ ବିଜେପିରୁ ସାଂସଦ ହୋଇଥିବା ପ୍ରଦୀପ ପାଣିଗ୍ରାହୀ  ବିକାଶର ମାନଚିତ୍ରରେ ଗଞ୍ଜାମ କାହିଁକି ପଛାଇଯାଇଛି ବୋଲି ପ୍ରଶ୍ନ କରିଥିଲେ । ସେ କହିଥିଲେ ୧-  ଏବେବି ଗଞ୍ଜାମ ଶ୍ରମିକ ବାହାର ରାଜ୍ୟକୁ ଯାଉଛନ୍ତି ୨- ଜାତୀୟ ରାଜପଥ ସବୁଠି ୬ ଥାକିଆ ହେଲା ଗଞ୍ଜାମରେ କିନ୍ତୁ ହେଲାନି ୩- ଆସିକା ଚିନିକଳର ପୁନରୁଦ୍ଧାରହେଲାନି ୪- ସେହିପରି ବ୍ରହ୍ମପୁରରେ ଆଇଜର, ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସେ ଦାବି କରିଥିଲେ। 

ତେବେ ତାଙ୍କର ପ୍ରଶ୍ନରୁ କଥା କାଢ଼ି ବିଜେଡିକୁ ଆକ୍ଷେପ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଗତ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇ ରହିଥିଲା ଗଞ୍ଜାମ।   ରାଜ୍ୟର ତୁଙ୍ଗନେତାମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଗଞ୍ଜାମ ଜିଲ୍ଲାର ବିକାଶ ଦାୟିତ୍ବ ତୁଲାଉଥିଲେ। ଏହା ସତ୍ତ୍ବେ ବି ଗଞ୍ଜାମ ପଛୁଆ ରହିବା କ୍ଷୋଭର ବିଷୟ  । ଏହା ପରେ ଡବଲ ଇଞ୍ଜିନ ସରକାର ଲୋକଙ୍କ ପାଇଁ କଣ କରିଥିଲେ ବ୍ୟାଖ୍ୟା କରିଥିଲେ କେନ୍ଦ୍ରମନ୍ତ୍ରୀ। ନୂଆ ପ୍ରକଳ୍ପ ମାଧ୍ୟମରେ ଲୁଣିଆ ପାଣିକୁ ମଧୁର ପାଣିରେ ପରିଣତ କରିବା  ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାର ଯୁବକ ଚାକିରୀ ପଛରେ ଗୋଡ଼ାଇବେ ନାହିଁ, ଚାକିରୀ ପ୍ରଦାନ କରିବେ  ବୋଲି ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। 

 କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଦେଇଥିଲେ ଯେ ଯଦି ଗଞ୍ଜାମ ଜିଲ୍ଲାର ନେତାମାନେ ଏକାଠି ହୋଇ କାର୍ଯ୍ୟ କରିବେ, ତେବେ ସେ ମଧ୍ୟ ଏଥିରେ ସାମିଲ ହେବେ। ଗଞ୍ଜାମ ଜିଲ୍ଲାର ବିକାଶ ଡବଲ ସ୍ପିଡରେ ଚାଲିବ। କାର୍ଯ୍ୟକ୍ରମରେ ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ସାମିଲ ହୋଇଥିଲେ । ବିକଶିତ ଓଡ଼ିଶା, ବିକଶିତ ଭାରତ ପାଇଁ ବିକଶିତ ଗଞ୍ଜାମ ହେବାକୁ ପଡ଼ିବ। ଗଞ୍ଜାମ ନେତୃତ୍ୱ ନେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.