ଭୁବନେଶ୍ବର ୧୧।୪: ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଜେ.ପି. ନଡ୍ଡା ସାମିଲ ହେବେ । ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ । ଏହା ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ) ଏବଂ ଆୟୁଷ୍ମାନ ବୟୋବନ୍ଦନାର ମଧ୍ୟ ଶୁଭାରମ୍ଭ କରିବେ । ରାଜ୍ୟର ସାଢ଼େ ୩ କୋଟି ଲୋକ ପାଇବେ ମାଗଣା ସ୍ୱାସ୍ଥ୍ୟସେବା ।
କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଏଥିପାଇଁ ମେଗା ଆୟୋଜନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ୩ଟି ଯାକ ଯୋଜନାର ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ, ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରିଡ଼ା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ୧୨ ଜିଲ୍ଲାରେ ମଧ୍ୟ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଜ୍ୟ ସରକାରଙ୍କ ୧୨ ଜଣ ମନ୍ତ୍ରୀ ଏଥିରେ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ।
ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୩ଟି ଯୋଜନାର ଲୋକାର୍ପଣ କରିବାକୁ ଯାଉଛନ୍ତି । ରାଜ୍ୟର ସମସ୍ତ ୧୪୦୫ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ୩ଟି ଯୋଜନାରେ ରାଜ୍ୟର ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଯୋଡ଼ି ହେବେ । ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ । ରାଜ୍ୟରେ ଏମାନଙ୍କ ସଂଖ୍ୟା ୨୩ ଲକ୍ଷ ୧୩ ହଜାର । ପ୍ରାୟ ୧୭ ଲକ୍ଷ ଆୟୁଷ୍ମାନ ଏବଂ ଜିଜେଏୱାଇରେ ସାମିଲ ଥିବାରୁ ଆଉ ୬ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହେବେ । ପ୍ରତି ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ତେବେ ପରିବାରର ମହିଳା ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପ୍ରଦାନ କରାଯିବ ।
ଗୋଟିଏ ପରିବାରରେ ୭୦ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ମିଳିବ ।
ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳୁଥିଲା । ଏବେ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ଏହାଦ୍ୱାରା ରାଜ୍ୟ ବାହାରେ ରହୁଥିବା ହିତାଧିକାରୀମାନଙ୍କୁ ଆଉ ମାଗଣା ସ୍ୱାସ୍ଥ୍ୟସେବା ପାଇବାରେ କୌଣସି ଅସୁବିଧା ହେବନି । ବୟୋବନ୍ଦନା ହିତାଧିକାରୀମାନେ ଅଲଗା ସ୍ୱତନ୍ତ୍ର କାର୍ଡ ପାଇବେ । ପୂର୍ବରୁ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲା । ଏବେ ଦେଶର ୨୯ ହଜାର ଅଗ୍ରଣୀ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ ।
You Can Read:
ଅଭିଜ୍ଞଙ୍କଠୁ ଶିଖିବେ ନବାଗତ, ନୂଆ ବିଧାୟକଙ୍କୁ ତାଲିମ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା