ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଉପରେ ଲୋକସଭାରେ ୧୬ ଘଣ୍ଟା ଆଲୋଚନା କରାଯିବ । ରାଜ୍ୟସଭାରେ ଏହି ପ୍ରସଙ୍ଗ ଉପରେ ୯ ଘଣ୍ଟା ଚର୍ଚ୍ଚା କରାଯିବ । ତେବେ, ଏହି ଆଲୋଚନା ଆଗାମୀ ସପ୍ତାହରେ କେଉଁ ତାରିଖରେ ହେବ, ତାହା ବର୍ତ୍ତମାନ ସ୍ଥିର ହୋଇନାହିଁ । ବିଜନେସ୍ ଆଡଭାଇଜରି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ବିରୋଧୀ ଚଳିତ ସପ୍ତାହରେ ଏହା ଉପରେ ଆଲୋଚନା ଓ ପ୍ରଧାନମନ୍ତ୍ରୀ ଜବାବ ରଖିବା ଦରକାର ବୋଲି ଦାବି କରୁଛନ୍ତି ।
ରିପୋର୍ଟ ଅନୁସାରେ କାର୍ଯ୍ୟ ପରାମର୍ଶଦାତା ସମିତି ବୈଠକରେ ସରକାରୀ ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚଳିତ ସପ୍ତାହରେ ହେବାକୁ ଥିବା ବିଦେଶ ଗସ୍ତକୁ ଦୃଷ୍ଟିରେ ରଖିଥିଲେ । ତେଣୁ ଆଗାମୀ ସପ୍ତାହରେ ହିଁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆଲୋଚନା ସମ୍ଭବ ହୋଇପାରିବ । ଚଳିତ ସପ୍ତାହରେ ସରକାରୀ ଏଜେଣ୍ଡାରେ ଏହି ପ୍ରସଙ୍ଗକୁ ଆଲୋଚନାରେ ସାମିଲ ନକରାଯିବାକୁ ନେଇ ବିରୋଧୀ ଆପତ୍ତି ଉଠାଇଥିଲେ । କିଛି ବିରୋଧୀ ସାଂସଦ ବିହାର ମତଦାନ ସୂଚୀ ଗଣନା ଓ ମଣିପୁର ସ୍ଥିତି ଉପରେ ବି ଚର୍ଚ୍ଚା ପାଇଁ ଦାବି କରିଥିଲେ ।
ସୋମବାର ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ ଲୋକସଭାରେ ପହଲଗାମ ଆତଙ୍କୀ ଆକ୍ରମଣ ଓ ଅନ୍ୟ ପ୍ରସଙ୍ଗ ଉପରେ ବିରୋଧୀ ସାଂସଦ ହଙ୍ଗାମା କରିଥିଲେ । ଏହାପରେ ସଂସଦକୁ ବାରମ୍ୱାର ମୁତଲବି ଘୋଷଣା କରାଯାଇଥିଲା । ରାଜ୍ୟସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ, ପହଲଗାମ ଆକ୍ରମଣର ଆତଙ୍କୀ ଆଜି ଯାଏ ଧରାପଡ଼ି ନାହାନ୍ତି । ଏଲଜି ଜମ୍ମୁ କାଶ୍ମୀରରେ ଗୁଇନ୍ଦା ବିଫଳତା କହିଥିଲେ । ଟ୍ରମ୍ପ ବାରମ୍ୱାର ଯୁଦ୍ଧ ଅଟକାଇବା କଥା କହୁଛନ୍ତି । ସରକାର ଏହି ସବୁ ପ୍ରସଙ୍ଗରେ ଉତ୍ତର ରଖିବା ଦରକାର । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଥିଲେ ଯେ ସରକାର ସବୁ ପ୍ରସଙ୍ଗରେ ଚର୍ଚ୍ଚା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।