ନୂଆଦିଲ୍ଲୀ,୩୧/୧: ଫେବ୍ରୁଆରୀ ପହିଲାରେ ସଂସଦରେ ଆଗତ ହେବ ବଜେଟ୍ । ଅଷ୍ଟମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତାବ ଉପସ୍ଥାପନ କରିବେ । ୪ଟି ସ୍ତମ୍ଭ ତଥା ‘ମହିଳା, ଯୁବପିଢ଼ି, ଚାଷୀ ଏବଂ ଗରିବ’ଙ୍କ ଉପରେ ଏଥର ବଜେଟ୍ରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇପାରେ । କେନ୍ଦ୍ର ସରକାରଙ୍କ ଦୃଷ୍ଟିରେ ରୋଟି, କପଡ଼ା ଏବଂ ମକାନ ଭଳି ଏହି ୪ ବର୍ଗ ସରକାରଙ୍କ ପାଇଁ ପ୍ରାଥମିକତା ବହନ କରୁଛନ୍ତି । ଏହି ୪ ବର୍ଗଙ୍କୁ ୨୦୨୪-୨୫ ବଜେଟ୍ରେ ‘ଅମୃତ ପିଲର’ ଭାବେ ସମ୍ବୋଧିତ କରାଯାଇଥିଲା । ଏ ବାବଦରେ ପ୍ରାୟ ୩୩.୬% ର ବ୍ୟୟବରାଦ ହୋଇଥିଲା । ତେବେ ବିତ୍ତୀୟ ଶୃଙ୍ଖଳାକୁ ଧ୍ୟାନରେ ରଖି ମହିଳା, ଯୁବପିଢ଼ି, ଚାଷୀ ଏବଂ ଗରିବଙ୍କ ଲାଗି ବଜେଟ୍ରେ ଉତ୍ତମ ବନ୍ଦୋବସ୍ଥ କରିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ଆହ୍ୱାନମୂଳକ ରହିପାରେ ।
ବିତ୍ତୀୟ ଶୃଙ୍ଖଳକୁ ଧ୍ୟାନରେ ରଖିବା ସହିତ ଭିତ୍ତିଭୂମି ବିକାଶ ଉପରେ ସରକାରଙ୍କ ପ୍ରାଥମିକତା ଜାରି କରିବ । ଦକ୍ଷତା ବିକାଶ, କଲ୍ୟାଣମୂଳକ ଯୋଜନା ଏବଂ ବିତ୍ତୀୟ ସହାୟତା ସହିତ ମହିଳା, ଯୁବପିଢ଼ି, ଚାଷୀ ଏବଂ ଗରିବଙ୍କ ଉପରେ ସରକାର ଗୁରୁତ୍ୱ ଦେବେ । ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ବଜେଟ୍ ୨୦୨୪-୨୫ରେ ଭିତ୍ତିପ୍ରସ୍ଥର ବିଛାଯାଇଛି । ଏକ ବ୍ୟାପକ ଏବଂ ନିରନ୍ତର ଅଭିବୃଦ୍ଧି ଲାଗି ସରକାର ଗୁରୁତ୍ୱ ଦେଇଆସୁଛନ୍ତି । ଆଗାମୀ ବଜେଟରେ ସଡ଼କ, ଜଳ ଯୋଗାଣ ବ୍ୟବସ୍ଥା ଭଳି ଭିତ୍ତିଭୂମି ପ୍ରକଳ୍ପ ଏବଂ ସାମାଜିକ କଲ୍ୟାଣ ଅଭିଯାନଗୁଡ଼ିକ ଉପରେ ଅର୍ଥମନ୍ତ୍ରୀ ଧ୍ୟାନ ଦେବେ ।
ମିଶନ୍ ଶକ୍ତି, ମାତୃ ବନ୍ଦନା ଯୋଜନା ଏବଂ ଜନନୀ ସୁରକ୍ଷା ଯୋଜନା ଭଳି ମହିଳାକୈନ୍ଦ୍ରିକ ସ୍କିମ୍ଗୁଡ଼ିକୁ ବ୍ୟୟବରାଦରେ ବଢ଼ାଇପାରନ୍ତି ସରକାର । ସୁରକ୍ଷା, ଶିକ୍ଷା ଏବଂ ମାତୃତ୍ୱ ସ୍ୱାସ୍ଥ୍ୟ ସୁବିଧା ଜରିଆରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ସ୍କିମ୍ଗୁଡ଼ିକ ପାଇଁ ପାଣ୍ଠି ବଢ଼ାଯାଇପାରେ ବୋଲି କାପ୍ରି ଲୋନ୍ସର ପରିଚାଳନା ନିର୍ଦ୍ଦେଶକ ରାଜେଶ ଶର୍ମା ପ୍ରକାଶ କରିଛନ୍ତି । ପୂର୍ବ ବଜେଟରେ ଏହି ସ୍କିମ୍ଗୁଡ଼ିକ ପାଇଁ ୩ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ଏହାଦ୍ୱାରା ମହିଳାମାନଙ୍କ ମଧ୍ୟରେ ଔଦ୍ୟୋଗିକତା ବିକାଶ ସହ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ । ସରକାରଙ୍କ ପ୍ରାଥମିକତା ମଧ୍ୟରେ ରହିଛି କୃଷି ଓ ଗ୍ରାମୀଣ ବିକାଶ । ୨୦୨୪ ବଜେଟ୍ରେ ଏ ଦିଗରେ ଘୋଷଣା ହୋଇଥିବା ସ୍କିମ୍ଗୁଡ଼ିକ ପାଇଁ ଏଥର ବଜେଟ୍ରେ ବ୍ୟୟବରାଦ ବଢ଼ାଯାଇପାରେ ।
ଚାଷୀଙ୍କୁ ବର୍ଷକୁ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଥିବା ପିଏମ୍-କିଷାନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ମୁଦ୍ରା ଯୋଜନା ଆଦି ପାଇଁ ନୂଆ ବନ୍ଦୋବସ୍ଥ କରାଯାଇପାରେ । ଗ୍ରାମାଞ୍ଚଳରେ ଔଦ୍ୟୋଗିକତା ବିକାଶର ଆବଶ୍ୟକତା ରହିଛି । କୃଷି ଉତ୍ପାଦକତା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର କୁ-ପରିଣାମରୁ କୃଷି କ୍ଷେତ୍ରକୁ ସୁରକ୍ଷା ପ୍ରଦାନ ଦିଗରେ ପ୍ରସ୍ତାବ ଆସିପାରେ । ଚାଷୀମାନଙ୍କ ନିକଟରେ ଆଧୁନିକ ଟେକ୍ନୋଲୋଜି ଏବଂ ଜଳସେଚନ ବ୍ୟବସ୍ଥାକୁ ପହଞ୍ଚାଇ କୃଷକଙ୍କ ଆୟ ବୃଦ୍ଧି ଏଜେଣ୍ଡାରେ ରହିପାରେ । ବଜେଟ୍ରେ ଯୁବପିଢ଼ିଙ୍କ କୌଶଳ ବିକାଶ ଉପରେ ପ୍ରାଥମିକତା ଦିଆଯାଇପାରେ ।
ଦକ୍ଷତା ବିକାଶ ଏବଂ ଔଦ୍ୟୋଗକତା ଦିଗରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଏବଂ ମୁଦ୍ରା ଯୋଜନା ପାଇଁ ବ୍ୟୟବରାଦ ବଢ଼ିପାରେ । ଏହା ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ । ଗରିବ ତଥା ଆର୍ଥିକ ଅନଗ୍ରସରଙ୍କ ଉତ୍ଥାନ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟୟବରାଦ ବଢ଼ାଯାଇପାରେ ବୋଲି ଆଶା ରଖାଯାଇଛି ।