ଭଦ୍ରକ: ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦଇସିଂ ଆଦିବାସୀ ସାହିରେ ଅଘଟଣ। ବିଦ୍ୟୁତ ଆଘାତରେ ଚାଲିଗଲା ମାମୁ- ଭଣଜାଙ୍କ ଜୀବନ। ଜଣାପଡ଼ିଛି ଭଣଜାକୁ ବଞ୍ଚାଇବାକୁ ଯାଇ ମାମୁ ମଧ୍ୟ ମୃତ୍ୟୁବରଣ କରିଛନ୍ତି।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଦଇସିଂ ପଞ୍ଚାୟତ ଆଦିବାସୀ ସାହିରେ ୫ ବର୍ଷୀୟ ବାଳକ ନବ ମୁଣ୍ଡା ଗାଁ ନିକଟରେ କିଛି ମାଙ୍କଡ଼ଙ୍କୁ ଗୋଡ଼ାଉଥିଲେ। ଏହି ସମୟରେ ତଳେ ପଡ଼ିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯିବାରୁ ତାଙ୍କୁ ଝଟକା ଲାଗିଥିଲା ଓ ସେ ତଳେ ପଡ଼ିଯାଇଥିଲେ।
ଏକଥା ତାଙ୍କ ମାମୁ ନିଧି ମୁଣ୍ଡା ଜାଣିପାରି ଭଣଜାକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ହେଲେ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ । ତେବେ ସ୍ଥାନୀୟ ଲୋକେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦୁଇ ଜଣଙ୍କୁ ଭଦ୍ରକ ମେଡିକାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।