କଣାସ ଅଞ୍ଚଳରୁ ମିଳିଲା ଦୁଇ ହଜାର ବର୍ଷ ତଳର କୁଶାଣ ସାମ୍ରାଜ୍ୟର ମୁଦ୍ରା, ପ୍ରସ୍ତର ଯୁଗର କୁରାଢ଼ି ସଂଗ୍ରହ

Published By : Prameya-News7 Bureau | July 25, 2025 IST

କଣାସ ୨୫।୭: ପୁରୀ ଜିଲ୍ଲା କଣାସ  ବ୍ଲକ ଗଡ଼ବଡ଼ପୁଟ ଗ୍ରାମରୁ ୨ ହଜାର ବର୍ଷ  ତଳର ଏକ ମୁଦ୍ରା ମିଳିଛି । ଏହା କୁଶାଣ  ସାମ୍ରାଜ୍ୟ ସମୟର ବୋଲି କୁହାଯାଉଛି । ଉତ୍କଳ  ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗ ସହକାରୀ  ପ୍ରାଧ୍ୟାପକ ଡ. ଅନାମଚରଣ ବେହେରା ଓ ତାଙ୍କ  ସହକର୍ମୀମାନେ ଏହାକୁ ଉଦ୍ଧାର କରିଛନ୍ତି ।  ଏଥିସହିତ ସ୍ଥାନୀୟ ଅଞ୍ଚଳରୁ ପୁରାତନ  ପ୍ରସ୍ତର ଯୁଗର ପ୍ରସ୍ତର କୁରାଢ଼ି ଓ ଅନ୍ୟ  ଧାରୁଆ ପ୍ରସ୍ତରଖଣ୍ଡ ସଂଗ୍ରହ କରିଛନ୍ତି ।  

ପ୍ରାୟ ୫୦ ବର୍ଷ ତଳେ ଗ୍ରାମର ପ୍ରସିଦ୍ଧ ଶୈବ  ପୀଠ ମଲ୍ଲିକେଶ୍ୱର ମନ୍ଦିର ନିକଟରେ ଥିବା  ଏକ ଛୋଟ ପାହାଡ଼କୁ ଅନ୍ତର୍ଯ୍ୟାମୀ ପରିଡ଼ା  ନାମକ ବ୍ୟକ୍ତି ଖନନ କରିବା ବେଳେ ଏସବୁ  ମିଳିଥିଲା । ଏହାକୁ ସେ ତାଙ୍କ ବନ୍ଧୁ ତଥା  ଡେଲାଙ୍ଗ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ  ଭାସ୍କର ଚନ୍ଦ୍ର ସାମନ୍ତରାୟଙ୍କୁ ଦେଇଥିଲେ ।  ପାଖାପାଖି ୩-୪ଟି ମୁଦ୍ରା ସହିତ ଅନ୍ୟ କିଛି  ସାମଗ୍ରୀ ପ୍ରଦାନ କରିଥିଲେ । ଭାସ୍କର ଏହାକୁ  ଦୀର୍ଘ ଦିନ ବାକ୍ସରେ ସାଇତି ରଖିଥିଲେ ।  କାଳକ୍ରମେ କିଛି ହଜି ଯାଇଥିଲା । ରହିଥିବା  ମୁଦ୍ରା ବାବଦରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର  ଡ. ବେହେରାଙ୍କୁ କହିଥିଲେ । ସେ  ଏସବୁ ଦେଖିବା ପରେ ଏହା କୁଶାଣ  ସାମ୍ରାଜ୍ୟର ବୋଲି ମତ ଦେଇଛନ୍ତି । ଡ.  ବେହେରା କହିଛନ୍ତି, ଏହି ମୁଦ୍ରା ଗଞ୍ଜାମ ଓ  ଭୁବନେଶ୍ୱରରୁ ମଧ୍ୟ ମିଳିଛି । 

ଡେଲାଙ୍ଗର  ଘୋରଡ଼ିଆ ପାହାଡ଼ ଦେଇ ସେତେବେଳେ  ବ୍ୟବସାୟୀମାନେ ଗଞ୍ଜାମ ଯାଇ କାରବାର  କରୁଥିବା ଅନୁମାନ କରାଯାଉଛି । ଏହା  ଉପରେ ଅଧିକ ଗବେଷଣା କରି ଅଧିକ ତଥ୍ୟ  ବାହାର କରିବେ ବୋଲି ମତ ଦେଇଛନ୍ତି ।  ଗଡ଼ବଡ଼ପୁଟରେ ପୁରାତନ ସମୟର ବହୁ  ସାମଗ୍ରୀ ମିଳିଥିବାରୁ ଏଠାରେ ପ୍ରତ୍ନତତ୍ତ୍ୱ ବିଭାଗ  ଦ୍ୱାରା ଗବେଷଣା କରାଯାଇ ଖନନ କରାଗଲେ  ଆହୁରି ଅନେକ ପ୍ରାଚୀନ ସାମଗ୍ରୀ ମିଳିପାରେ  ବୋଲି କୁହାଯାଉଛି । ମୁଦ୍ରା ଓ କୁରାଢ଼ି ହସ୍ତାନ୍ତର  ବେଳେ ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣପୁର  ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ  ବୃନ୍ଦାବନ ପାହାଡ଼ସିଂହ, ଗ୍ରାମବାସୀ  ବୀରବର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

You Can Read:

ମହାନଦୀର ବିଭିନ୍ନ କଷ୍ଟ ଆମେ ପାଇଛୁ, ଏହା ଖୁବଶୀଘ୍ର ଲାଘବ ହେବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.