ସୁନ୍ଦରଗଡ଼ ୦୨।୦୬ : ଧକ୍କା ଦେଲା ଅଜଣା ଗାଡ଼ି । ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ସୁନ୍ଦରଗଡ଼ ତଳସରା ଥାନା ବାଲିଶଙ୍କର ତେଇଶମାଇଲ୍ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଦୁଇ ଯୁବକ ହେଲେ ମାଳିଡିହି ଗାଁର ଅବିନାଶ ପ୍ରଧାନ ଓ ବିରଞ୍ଚି ପ୍ରଧାନ ବୋଲି ଜଣାପଡିଛି।
ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଅବିନାଶ ଓ ବିରଞ୍ଚି ନିଜ ବାଇକ୍ ଯୋଗେ କୌଣସି କାମରେ ଯାଉଥିଲେ । ଏହି ସମୟରେ ସୁନ୍ଦରଗଡ଼ରୁ ଛତିଶଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବାଲିଶଙ୍କରା ତେଇଶ ମାଇଲ୍ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଯାହାଫଳରେ ଦୁଇ ଜଣ ଯୁବକ ଛିଟ୍କି ପଡିଥିଲେ । ଦୁର୍ଘଟଣା ସଂପର୍କରେ ଖବର ପାଇ ତଳସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ତଳସରା ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏବେ ଯାଏଁ ଦୁର୍ଘଟଣା ଘଟାଇଥିବା ଗାଡ଼ି ସଂପର୍କରେ କୌଣସି ତଥ୍ୟ ମିଳିନାହିଁ ।