ଯାଜପୁର ୧୦।୦୬ : ଯାଜପୁର ଜିଲ୍ଲା କାଳିଆପାଣି ଥାନା ମହୁଲଖାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ୫ ଜଣ ଏକ କାର୍ ଯୋଗେ ନିଜ ଘରକୁ ଫେରୁଥିଲେ । ଗାଡ଼ିଟି ଦ୍ରୁତଗତିରେ ଥିଲେ । ଏହି ସମୟରେ ବୁଲାଣିରେ ବୁଲାଇବା ସମୟରେ କାର୍ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏହାପରେ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କଳିଙ୍ଗନଗର ଟାଟା ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁଇ ମୃତକ ହେଲେ କାଦୁଆ ବନ୍ଦୀ ଗାଁର ବିଶ୍ୱନାଥ ମହାନ୍ତ ଓ ମହୁଲଖାଲ ଗାଁର ସଞ୍ଜୟ କୁମାର ମହାନ୍ତ ବୋଲି ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ କାଳିଆପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ।