ଟାରିଫ୍ ବିବାଦ ମଧ୍ୟରେ ଆସିଲା ବଡ଼ ଖବର, ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ସୂଚନା ଦେଲେ ନୂଆ ଆମେରିକୀୟ ରାଷ୍ଟ୍ରଦୂତ

NEWS7
two-mruta-in-bhuban

ନୂଆଦିଲ୍ଲୀ: ଭାରତରେ ନୂଆ ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବନ୍ଧୁତା ଅତ୍ୟନ୍ତ ଦୃଢ଼। ଗୋର୍ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ସେ ସାରା ବିଶ୍ୱ ଭ୍ରମଣ କରିଛନ୍ତି ଏବଂ ଏହି ବନ୍ଧୁତାର ପ୍ରମାଣ ଦେଇପାରିବେ ।

ସର୍ଜିଓ ଗୋର୍ କହିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ କେବଳ ପାରଷ୍ପରିକ ଲାଭ ଉପରେ ଆଧାରିତ ନୁହେଁ । ବିଶ୍ୱାସ ଏବଂ ସହଯୋଗ ଉପରେ ଆଧାରିତ ଏହି ସଂପର୍କ। ପ୍ରକୃତ ବନ୍ଧୁମାନଙ୍କ ମଧ୍ୟରେ କେତେକ ସମୟରେ ମତଭେଦ ହୋଇପାରେ, କିନ୍ତୁ ଶେଷରେ ସମସ୍ୟାର ସମାଧାନ ମଧ୍ୟ ହୋଇପାରେ। ସେ ଟ୍ରମ୍ପଙ୍କ ଭାରତ ଗସ୍ତ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ମଧ୍ୟ ଦେଇଛନ୍ତି।

ସର୍ଜିଓ ଗୋର୍ କହିଛନ୍ତି, ‘ମୁଁ ଆଶା କରୁଛି ରାଷ୍ଟ୍ରପତି ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ । ଆଗାମୀ ବର୍ଷ କିମ୍ବା ଦୁଇ ବର୍ଷ ମଧ୍ୟରେ ଟ୍ରମ୍ପ ଆସିପାରନ୍ତି । ସେ ମଜାଳିଆ ଢ଼ଙ୍ଗରେ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କର ରାତି ୨ଟାରେ ଫୋନ୍ କରିବାର ଅଭ୍ୟାସ ଅଛି । ଏହା ନୂଆଦିଲ୍ଲୀ ସମୟ ଅନୁସାରେ ତାଙ୍କ ପାଇଁ ଏକ ଭଲ ସମୟ।

ସର୍ଜିଓ ଗୋର୍ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ବିଷୟରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଉଭୟ ଦେଶର ଅଧିକାରୀମାନେ ସକ୍ରିୟ ଭାବରେ ଆଲୋଚନା କରୁଛନ୍ତି । ପରବର୍ତ୍ତୀ ଆଲୋଚନା ଆସନ୍ତାକାଲି ପାଇଁ ସ୍ଥିର କରାଯାଇଛି। ଭାରତ ବିଶ୍ୱର ବୃହତ୍ତ ଦେଶ । ଫଳରେ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବା କଷ୍ଟକର ହେଉଛି । କିନ୍ତୁ ଉଭୟ ଦେଶ ଏହାକୁ ହାସଲ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ବାଣିଜ୍ୟ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଦୁଇ ଦେଶ ସୁରକ୍ଷା, ଶକ୍ତି, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆତଙ୍କବାଦ ବିରୋଧୀ ଅଭିଯାନ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏକାଠି କାମ କରୁଛନ୍ତି।

ରାଷ୍ଟ୍ରଦୂତ ଭାରତ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଖବର ଦେଇଛନ୍ତି । ଭାରତକୁ PaxSilicaର ପୂର୍ଣ୍ଣ ସଦସ୍ୟ ହେବା ପାଇଁ ନିମନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି । ଗୋରଙ୍କ ଅନୁସାରେ, PaxSilica ହେଉଛି ଏକ ଆମେରିକା ନେତୃତ୍ୱାଧୀନ ପଦକ୍ଷେପ । ଖଣିଜ, ଶକ୍ତି, ଉନ୍ନତ ଉତ୍ପାଦନ,ସେମିକଣ୍ଡକ୍ଟର, AI ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଏକ ସୁରକ୍ଷିତ ଏବଂ ଦୃଢ଼ ସିଲିକନ୍ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ଏହାର ଲକ୍ଷ୍ୟ। ପୂର୍ବରୁ, ଏଥିରେ ଜାପାନ, ଦକ୍ଷିଣ କୋରିଆ, ବ୍ରିଟେନ ଏବଂ ଇସ୍ରାଏଲ ଥିଲେ। ଏବେ ଭାରତକୁ ମଧ୍ୟ ଏହି ଟିମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯିବ ବୋଲି ଆମେରିକୀୟ ରାଷ୍ଟ୍ରଦୂତ କହିଛନ୍ତି ।