ଯାଜପୁର ୧୨।୦୬ : ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି । ଜିଲ୍ଲାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଛି । ଏବେ ସୁଦ୍ଧା ମୋଟ ୪ ଜଣଙ୍କର ଏହି ଝାଡ଼ାବାନ୍ତିରେ ମୃତ୍ୟୁ ହୋଇସାରିଛି । ଏନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ADMO ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଯାଜପୁରରେ ଅଣାୟତ୍ତ ହେଉଛି ଝାଡାବାନ୍ତି। ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କ ଗଲାଣି ଜୀବନ। ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ୫ଶହରୁ ଅଧିକ। କିଛି ଦିନରେ ବ୍ୟାସନଗର, ଯାଜପୁର ସଦର, ଧର୍ମଶାଳା, ରସୁଲପୁର, କୋରାଇ, ଦାନଗଦି ଆଦି ବ୍ଲକକୁ ବ୍ୟାପିଗଲାଣି ଡାଇରିଆ। ଯାଜପୁର ରୋଡ ମେଡିକାଲରେ ୧୮୬ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହେଲେଣି। ଏବେ ସୁଦ୍ଧା ୬୫ ଜଣ ଚିକିତ୍ସାଧୀନ ଥିବା ବେଳେ ୧୧ ଜଣ କଟକ ବଡ ଡାକ୍ତରଖାନାକୁ ରେଫର ହୋଇଛନ୍ତି। ଧର୍ମଶାଳା ମେଡିକାଲରେ ୧୦୦ରୁ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଦାନଗଦି ମେଡିକାଲରେ ଭର୍ତ୍ତି ହୋଇଥିବା ୫୫ ଜଣଙ୍କ ମଧ୍ୟରୁ ୧୪ ଜଣ କଟକ ଏବଂ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଧର୍ମଶାଳା ମେଡିକାଲରେ ୨୦୦ ରୁ ଅଧିକ ରୋଗୀ ଭର୍ତ୍ତି ହୋଇଛନ୍ତି । ଦାନଗଦି ବ୍ଲକ ଉଚ୍ଚବାଲି ଗାଁର ୪୦ ଜଣ ଆକ୍ରାନ୍ତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲାପାଳ, ସିଡିଏମଓ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଆକ୍ରାନ୍ତଙ୍କୁ କିପରି ଉତ୍ତମ ଚିକିତ୍ସା ପ୍ରଦାନ କରାଯିବ ତାହା ଉପରେ ଗୁରୁତ୍ବ ଦେଇଛନ୍ତି। ଭୋଜି ଏବଂ ପିଇବା ପାଣି ପାଇଁ ଏମିତି ସ୍ଥିତି ଉପୁଜିଥିବା ଆଶଙ୍କା କରାଯାଉଛି।