ନିଆରା ବାହାଘର ; ପୂରଣ ହେଲା ଶ୍ୱଶୁରଙ୍କ ଇଚ୍ଛା, ବିବାହ ପରେ ହଲିକପ୍ଟରରେ ବିଦା ହେଲେ କନ୍ୟା

NEWS7
two-more-people-were-injured-by-kite-string-at-cuttack

ମୁମ୍ଵାଇ ୨୩।୦୨; ହରିୟାଣା ନୁହ ଜିଲ୍ଲାର ତାୱଡୁରେ ରବିବାର ଏକ ନିଆରା ବିବାହ ଉତ୍ସବ ଦେଖିବାକୁ ମିଳିଛି । ସେଠାରେ ଜଣେ ଝିଅ ବିବାହ ପରେ ହେଲିକପ୍ଟରରେ ଶାଶୂଘର ଅଭିମୁଖେ ବିଦା ହୋଇଛନ୍ତି । ହେଲିକପ୍ଟରଟି ତାୱଡୁର ଅନାଜମଣ୍ଡି ପରିସରରେ ଓହ୍ଲାଇବା ପରେ ତାକୁ ଦେଖିବାକୁ ଆଖପାଖ ଗାଁର ଶତାଧିକ ଲୋକ ଜମା ହୋଇଯାଇଥିଲେ । କିଛି ଲୋକ ହେଲିକପ୍ଟର ସହ ଫଟୋ ଉଠାଇଥିଲେ ।

ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗର ଟିମ୍ ମଧ୍ୟ ମୁତୟନ ହୋଇଥିଲା । ସୂଚନା ଅନୁସାରେ, ଗୁରୁଗ୍ରାମ କାଦରପୁର ନିବାସୀ ରୋହିତ ଡାଗରଙ୍କ ବିବାହ ତାୱଡୁର ଜଟୱାଡ଼ା ମୋହଲ୍ଲା ବାସିନ୍ଦା ଦେବେନ୍ଦ୍ରଙ୍କ କନ୍ୟା ସ୍ୱାତୀଙ୍କ ସହ ସ୍ଥିର ହୋଇଥିଲା । ସେଥିଲାଗି ଆଜି ସକାଳେ ବରଯାତ୍ରୀ ଦଳ ଜଟୱାଡ଼ା ମୋହଲ୍ଲା ପହଞ୍ଚିଥିଲେ । ସେଠାରେ ବିବାହ ସଂପନ୍ନ ହେବା ପରେ ଦ୍ୱିପ୍ରହରରେ କନ୍ୟା ହେଲିକପ୍ଟରରେ ଶାଶୂଘର ଅଭିମୁଖେ ବିଦା ହୋଇଥିଲେ । ବର ରୋହିତ ଡାଗର କହିଛନ୍ତି, ବିବାହ ପରେ ବୋହୂ ହେଲିକପ୍ଟରରେ ତାଙ୍କ ଘରକୁ ଆସୁ ବୋଲି ପିତାଙ୍କର ଦୀର୍ଘ ଦିନର ଇଚ୍ଛା ଥିଲା । ସେହି ସ୍ୱପ୍ନ ପୂରଣ ଲାଗି ଜୀବନସାଥୀଙ୍କୁ ହେଲିକପ୍ଟରରେ ଆଣିବାକୁ ସେ ନିଷ୍ପତ୍ତି ନେଇଥିଲେ ।

ହେଲିକପ୍ଟରରେ ଦମ୍ପତିଙ୍କ ସହ ରୋହିତଙ୍କ ଦାଦା ଏବଂ ଭିଣୋଇ ମଧ୍ୟ ଯାତ୍ରା କରିଥିଲେ । ଏହି ରୋମାଞ୍ଚକର ମୂହୂର୍ତ୍ତ ତାଙ୍କୁ ସବୁବେଳେ ମନେ ରହିବ ବୋଲି ରୋହିତ କହିଛନ୍ତି । ସ୍ୱାତୀ ମଧ୍ୟ ହେଲିକପ୍ଟରରେ ବିଦା ହେବା ଯୋଗୁ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏଭଳି ଶ୍ୱଶୁର ଘର ମିଳିଥିବାରୁ ସେ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛନ୍ତି । ଶ୍ୱଶୁର ଘର ଲୋକଙ୍କ ଚିନ୍ତାଧାରା ତାଙ୍କୁ ଅଭିଭୂତ କରିଦେଇଛି ।

ଅଧିକ ପଢନ୍ତୁ- ବିଦାୟୀ ପରେ ଶାଶୂଘର ନୁହେଁ... ଇଣ୍ଟରଭ୍ୟୁ ଦେବାକୁ ଗଲେ କନିଆ, କାରଣଟା ବଡ଼ ରୋଚକ