ଆନନ୍ଦପୁର ୨୫।୦୮ : ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇଟି ଘର । ଗୋଟିଏ ପରିବାରର ୫ ସଦସ୍ୟ ଶୋଇଥିବା ସମୟରେ ଶୋଇବା ଘରର ମାଟି କାନ୍ଥ ହଠାତ୍ ଖସିପଡିଥିଲା । ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଘର ଭାଙ୍ଗିଯିବା ପରେ ଏବେ କେଉଁଠି ରହିବେ । ତାକୁ ନେଇ ଚିନ୍ତାରେ ପରିବାର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକା ୧୩ ନମ୍ବର ଓ୍ୱାର୍ଡର ଜେନା ସାହିରେ ଦିଲ୍ଲୀପ ଜେନାଙ୍କ ଘରେ ଏପରି ଘଟଣା ଘଟିଛି ।
ସେହିପରି ଗତରାତିରେ ଜେନା ସାହିର ଜୟଦେବ ଜେନାଙ୍କ ଘର ମଧ୍ୟ ଲଗାଣ ବର୍ଷାରେ ଭାଙ୍ଗିଯାଇଛି । ବାରମ୍ବାର ଆବେଦନ କଲେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡେ ମିଳିପାରିନଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଦୁଇପରିବାର । ଅନ୍ୟପଟେ ଖବରପାଇ ସ୍ଥାନୀୟ କାଉନସିଲର କ୍ଷତିଗ୍ରସ୍ତ ପରିବାର ନିକଟରେ ପହଁଞ୍ଚିଛନ୍ତି । ସ୍ଥାନୀୟ ତହସିଲଦାରଙ୍କ ସହ ଯୋଗଯୋଗ କରି ଉଭୟ ପରିବାରଙ୍କୁ ପଲିଥିନ ଯୋଗାଇବା ସହ ପ୍ରାଥମିକତା ଭିତ୍ତିରେ ଖୁବ୍ ଶୀଘ୍ର ଆବାସ ଗୃହ ଯୋଗାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ।